ପଖାଳର ସ୍ବାଭିମାନ
ପଖାଳର ସ୍ବାଭିମାନ
ପଖାଳର ସ୍ବାଭିମାନ
ଆଶୁତୋଷ ମେହେର
ଆଜି ଖରାଟା ଟିକେ ଟାଣ ଜଣାପଡୁଛି । ଷ୍ଟେସନରେ ଯାତ୍ରୀକୁ ଛାଡି ଆସିବାରେ ଟିକେ ଡେରି ହୋଇଯାଇଛି । ଅଟୋକୁ ଗଳିରାସ୍ତାରେ ରଖି ଘରେ ପଶିଲାବେଳକୁ ରବୀନ୍ଦ୍ର ଭାବୁଥିଲା ଏ ପାଗରେ ଖରାବେଳିଆ ପଖାଳ ଖିଆ ବହୁତ ମଜାଦାର ଲାଗିବ । ରମା, ତା ସ୍ତ୍ରୀ ତା' ପାଇଁ ରସୁଣ ଭୁରୁସୁଙ୍ଗା ପତ୍ର ଛୁଙ୍କ ଦେଇ କ'ଣ ଟିକେ ଭଜାଭଜି କରିଥିବ ସବୁଦିନ ପରି ।
''କ'ଣ ଡେରି କଲ ଯେ ? ଜଲଦି ହାତମୁହଁ ଧୋଇ ବସ... ତୁମ ପାଇଁ ଖାଇବା ବାଢିଦେଇଛି ।'' ରମାର କଥା ରବିର କାନରେ ବାଜିଲା ।
''ହଁ ରେ... ଆଜି ପରା ଆମ ରାଓ ବାବୁଙ୍କୁ ଷ୍ଟେସନ ଛାଡିବାର ଥିଲା... ତେଣୁ ଡେରି ହେଲା ଟ୍ରାଫିକ ଜାମ ପାଇଁ । ଆମ ରାଓ ବାବୁ ଅଣଓଡିଆ, ହେଲେ ବହୁତ ଭଲ ଲୋକ ଯେ ।''
ରାଓ ବାବୁଙ୍କ ଘରେ ରମା ନିତିଦିନିଆ କାମ କରେ । କହିଲା.. ''ହଁ, ରାଓ ବାବୁଆଣୀ ମଧ୍ୟ ଭଲ ଲୋକ । ଦେଖ, ସ୍ବାମୀ-ସ୍ତ୍ରୀ ଦୁଇଜଣଯାକ ବଡ ଚାକିରି କରନ୍ତି... କେତେ ଭଲ ସ୍ବଭାବର...।''
ରବି ଖାଇବାକୁ ବସି ଦେଖିଲା ଆଜି ପଖାଳ ସହ ନିତିଦିନିଆ ତିନି ଚାରିଟା ଅଲଗା ତିଅଣ । ପଚାରିଲା, ''କଥା କ'ଣ ରମା, ଆଜି ଏତେଗୁଡା ସବୁ ?''
''ଆରେ ହଁ, ତୁମକୁ କହିବାକୁ ଭୁଲିଯାଇଛି । ଆମ ବାବୁଆଣୀ କିଛିଦିନ ହେଲା ମୋତେ କହୁଥିଲେ କ'ଣ ଗୋଟେ ପଖାଳ ଦିନ ଆସୁଛି... ପଚାରି ବୁଝୁଥିଲେ ପଖାଳ କେମିତି ତିଆରି କରାଯାଏ; ତା' ସହ କ'ଣ ସବୁ ତିଅଣ ତରକାରି ଖିଆଯାଏ, କେମିତି ସେଗୁଡା ତିଆରି କରାଯାଏ । ମୋତେ ଯେତେ ଆସୁଥିଲା ତାଙ୍କୁ କହିଥିଲି.. ତା'ପରେ ସେ ବି କିଛି ବହିପତ୍ର ପଢି ଆଜି ବାବୁଙ୍କ ପାଇଁ ପଖାଳ ସହ ଅନେକ ଜିନିଷ ତିଆରି କରିଥିଲେ । ବାବୁ ତାଙ୍କର ଖାଇକରି ଷ୍ଟେସନ ଗଲାପରେ, ମୋତେ ବି ଦେଲେ ତାଙ୍କରି ତିଆରିରୁ କିଛି.... କହିଲେ ଖାଇ କିନା କହିବୁ କେମିତି ଲାଗିଲା.... ।''
ରମା କହିଚାଲିଥିଲା... ରବି ତା ପଖାଳ ଖିଆ ଆରମ୍ଭ କରିସାରିଥିଲା... ''କହିଲା ବଢିଆ ହୋଇଛିରେ ଜିନିଷଗୁଡା, ଆମ ଓଡିଆଙ୍କ ତିଆରି ପରି ।''
ରବି ଭାବୁଥିଲା ତାଙ୍କ ପରି ଓଡିଆ ଖଟିଖିଆ ପାଇଁ ଖରାବେଳା ପଖାଳଟା ଜରୁରୀ, କିଂତୁ ଆଣଓଡିଆ ବାବୁମାନଙ୍କ ପଖାଳଖିଆ, ଏ ପଖାଳ ଦିବସର ଏକ ପ୍ରକାରର ସଉକ... ହେଉ ପଛେ ଦିନକ ପାଇଁ ।
ରବି ଖୁସି ହେଉଥିଲା ଏ ପଖାଳଟା ସତରେ ଓଡିଆଙ୍କ ଅତି ନିଜର... ପରିଚୟର ଚିହ୍ନ... ମନେମନେ ଛାତି ତା'ର ଫୁଲିଉଠୁଥିଲା ସ୍ବାଭିମାନରେ ....
*******