ସୁପର୍ ହିରୋ
ସୁପର୍ ହିରୋ
ବାପା ଆମ ଜୀବନର ପ୍ରିୟ ଲୋକ । ବାହ୍ୟରେ କଠିନ ଏବଂ ଭିତରର ଏକ କୋମଳ ହୃଦୟ ଧାରଣ କରିଥିବା ବ୍ୟକ୍ତି , ବାପା ଜଣେ ଏମିତି ମଧୁର ବ୍ୟକ୍ତି ଯାହାକୁ ଆମେ ଡେରି ରେ ହେଉ ପଛକେ ଜାଣିବାର ସୁଯୋଗ ପାଇଥାଉ ।
ସେ ଏମିତ ଜଣେ ବ୍ୟକ୍ତି ଯିଏକି ବିଶେଷ ଭାବରେ କିଛି କରିବାକୁ କହି ନାହାଁନ୍ତି । ବରଂ ନିଜ ପସନ୍ଦକୁ ନେଇକି ଆଗକୁ ବଢ଼ିବାର ପ୍ରେରଣା ଦେଇଥାନ୍ତି । ଜୀବନର ସବୁ ସଙ୍କଟମୟ ପରିସ୍ଥିତିରେ ସେ ଗୋଟେ ବିଶାଳ ମାନଦଣ୍ଡ ସଦୃଶ୍ୟ ଛିଡ଼ା ହେଇଥାଆନ୍ତି ଏବଂ ଜଣେ ଉତ୍ତମ ଗୁରୁ ପରି ଆମକୁ ଶିକ୍ଷା ପ୍ରଦାନ କରିଥାନ୍ତି । ଆର୍ଥିକ ସଙ୍କଟ ମଧ୍ୟରେ ସେ ପରିବାରର ପ୍ରଥମ ସାହସ ବ୍ୟକ୍ତି ଯିଏକି କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଯେତେ ବାଧା ବିଘ୍ନ ଆସୁ ପଛକେ ହେଲେ ଜୀବନରେ ଅନେକ କିଛି କରିବାକୁ ଏବଂ ଅଧିକ ଉଚ୍ଚତା ହାସଲ କରିବାକୁ ସେ ପ୍ରେରଣା ଦେଇଥାନ୍ତି।
ପୁଅ ଯେତେବେଳେ ତାର ସମସ୍ତ ପାଣ୍ଠି ସହିତ ଘରୁ ବାହାରି ଦୁନିଆକୁ ଦେଖିବା ପାଇଁ ଯିବାକୁ ଚାହୁଁଛି । ବାପା ସେତେବେଳେ ଏକ ଦୀର୍ଘ ସମୟ ପାଇଁ କର୍ତ୍ତବ୍ୟ ଆଗରେ, ତାଙ୍କର ସମସ୍ତ ଅର୍ଥକୁ ପୁଅ ପାଇଁ ବିନିଯୋଗ କରନ୍ତି ଏପରିକି ତାଙ୍କ ଶରୀର ପାଇଁ ସୁସ୍ଥ ନଥିବା କାରଣରୁ ଔଷଧ ପତ୍ର ଖର୍ଚ୍ଚ କରୁଥିବାବେଳେ ଟଙ୍କା ଅଭାବରୁ କର୍ତ୍ତବ୍ୟବୋଧ ଭାବରେ ନିଜ ଦେହର ଯତ୍ନ ନ ନେଇକି ଘରେ ରହି ନିଜର ସର୍ବୋତ୍ତମ ଦାନ କରନ୍ତି । ପୁଅ ଶେଷରେ ଯଦି କୌଣସି କ୍ଷେତ୍ରରେ ହରିଯାଏ କିମ୍ୱା କିଛି ଭୁଲ୍ ବାଟରେ ପାଦ ଦିଏ ତେବେ ଏଭଳି ପରାଜିତ ଅବସ୍ଥାରେ ବିଚଳିତ ପୁଅକୁ ତାଙ୍କ ପିତା ଗ୍ରହଣ କରନ୍ତି । ସେ ପ୍ରମାଣ କରନ୍ତି ଯେ ପ୍ରକୃତରେ ସଂପର୍କ କୌଣସି ବସ୍ତୁବାଦୀ ସଫଳତା ସହିତ ବନ୍ଧା ନୁହେଁ।
ବାପା ଗୋଟିଏ ଝିଅ ପାଇଁ ମଧ୍ୟ ପ୍ରେରଣା ଭଳି ଥାଆନ୍ତି। ବୟସ ବଢିବା ସହିତ ବାପା ଙ୍କୁ ଅନୁକରଣ କରିବାକୁ ପ୍ରତ୍ୟେକ ଝିଅ ଇଚ୍ଛା ପ୍ରକାଶ କରିଥାନ୍ତି । ବାପା ପ୍ରତ୍ୟେକ କ୍ଷେତ୍ରରେ ଉଦାହରଣ ଦେଇ ନେତୃତ୍ୱ ନେଇଥାଆନ୍ତି ଏବଂ ଜୀବନର ଶେଷରେ ଜଣେ ପ୍ରକୃତ ବନ୍ଧୁଟିଏ ପରି ପାଖେ ପାଖେ ରହିଥାନ୍ତି । ତାଙ୍କୁ ସବୁବେଳେ ଆଗକୁ ବଢ଼ିବାର ପ୍ରେରଣା ପ୍ରଦାନ କରିବାଟା ବେଶ୍ ଭଲ ଭାବରେ ଜଣା ଥାଏ । ନିଜର ଅବୁଝା ଝିଅକୁ ବୁଝାଇବା ସହିତ କିପରି ଉତ୍ସାହିତ କରିବେ ତାହା ସେ ଭଲ ଭାବରେ ଜାଣିଥାଆନ୍ତି । ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ନିଜ ଝିଅ ସହ କିପରି ରହିବାକୁ ହେବ , କେମିତି ମନେଇବାକୁ ହେବ , କେମିତି ଛୋଟ ମୋଟ ଜିଦିକୁ ପୂରଣ କରିବାକୁ ହେବ ସେଇଟା ଭଲ ଭାବରେ ଜାଣିଥାନ୍ତି।
ଅଭାବ ଅନଟନ ଜୀବନରେ ସେ ସବୁ କିଛି , ସବୁ ଛୋଟ ଛୋଟ ଖୁସିକୁ ପୂରଣ କରିଥାନ୍ତି । କିନ୍ତୁ କାହିଁକି କେଜାଣି ସିଏ ସେ ଛୋଟ ଖୁସିକୁ ପୂରଣ କରିବା ପାଇଁ ନିଜେ କାମରୁ ଏତେ ବିଳମ୍ବରେ ଘରକୁ ଆସିଥାନ୍ତି। ବାପା ତ ନୁହଁନ୍ତି, ସିଏ ସତେକି ଗୋଟେ ଯଦୁଗର । ଗୋଟେ ନୂଆ ପୋଷାକ କହିଲେ ତିନି ତିନିଟା ନୂଆ ପୋଷାକ ଆଣିକି ଦେଇଥାନ୍ତି । ହେଲେ କାହିଁକି କେଜାଣି ସେ ଗୋଟାଏ ରଙ୍ଗର ପୋଷାକକୁ ବାରମ୍ବାର ପିନ୍ଧିଥାନ୍ତି ।
ଛୁଟିରେ ଆମକୁ ବାହାରକୁ ବୁଲେଇ ନିଅନ୍ତି, ବହୁତ୍ କିଛି ଖାଇବାକୁ ଦିଅନ୍ତି , ହେଲେ କାହିଁକି କେଜାଣି ନିଜେ ଗୋଟେ ଚା' କପ୍ ରେ ହିଁ ସନ୍ତୁଷ୍ଟ ରହିଥାନ୍ତି । ପାଠ ପଢିବା ପାଇଁ ଖରାରେ ଯିବିନି ବୋଲି ମୋ ପାଇଁ ଗାଡ଼ିର ବ୍ୟବସ୍ଥା କରି ଦିଅନ୍ତି । ହେଲେ କାହିଁକି କେଜାଣି ନିଜେ ଏତେ ଖରାରେ ଚାଲି ଚାଲି ଘରକୁ ଫେରନ୍ତି।
ଶିକ୍ଷା ହୁଏତ ସିଏ ବିଶେଷ କିଛି ପ୍ରଦାନ୍ କରି ନଥାନ୍ତି । କିନ୍ତୁ ସଂସ୍କାର ଏବଂ ଜୀଵନ ପାଇଁ ସଂଘର୍ଷ ର ପ୍ରେରଣା ଦେବା କ୍ଷେତ୍ରରେ ତାଙ୍କର ଯୋଉ ହାତ ଥାଏ ନା , ସେ ହାତ ପାଇଁ କୌଣସି ବାଧା ବିଘ୍ନ ଆମର ସମ୍ମୁଖୀନ ହିଁ ହୋଇ ନଥାନ୍ତି।
ଦେଖିବାକୁ ଗଲେ ଝିଅକୁ ତ କେତେଟା କ୍ଷେତ୍ରରେ ବାହାରକୁ ଗୋଡ଼ କାଢ଼ିବାକୁ ବି ମନା କରାଯାଉଛି । ହେଲେ ଗୋଟିଏ ବାପା ପାଇଁ ଝିଅ ଆଜି ବି ସ୍ଵାଧୀନ ଭାବରେ ବଞ୍ଚି ପାରୁଛି । ଏକ ଘଟଣା ଯେତେବେଳେ ଝିଅଟି ଦ୍ୱିତୀୟ ଶ୍ରେଣୀରେ ପଢୁଥାଏ, ବାପା ଝିଅକୁ ବ୍ୟାଙ୍କରେ ସ୍କୁଲ ଫି ଦେବାକୁ ଏବଂ ରସିଦ ଆଣିବାକୁ କହିଥିଲେ। ବ୍ୟାଙ୍କ ଘରୁ 4 କିଲୋମିଟର ଦୂରରେ ଥିଲା । ତେଣୁ ଝିଅଟି ବାପାଙ୍କୁ ପଚାରିଲା ବ୍ୟାଙ୍କରେ ପ୍ରଣାଳୀ ସହିତ କିପରି ଯିବ । ହେଲେ ବାପା କହିଛନ୍ତି ସେଠାକୁ ଯାଇ ନିଜେ ସେମାନଙ୍କୁ ପଚାରିବା ସହିତ ସେଠି କହୁଥିବା ମାର୍ଗରେ ଯାଇ କାମ ହାସଲ କରି ଫେରିବା ପାଇଁ । ଝିଅର ମା ସେତେବେଳେ ତା ବାପାଙ୍କୁ ତାଗିଦ୍ କରିଥାଏ କି " ତମେ କିପରି ଏକ ଛୋଟ ପିଲାକୁ ଫି ପେମେଣ୍ଟ ପାଇଁ ପଠାଇ ପାରିବ " । ହେଲେ ବାପା , ଝିଅ ଆଡକୁ ଚାହିଁ ହସି ହସି ବ୍ୟାଙ୍କକୁ ଯିବାକୁ କହିଥାଆନ୍ତି।
ଝିଅଟି ବହୁତ ଉତ୍ସାହିତ ଏବଂ ଭୟଭୀତ, ପ୍ରଥମ ଥର ପାଇଁ ସେ ବହୁତ ପରିମାଣର ଟଙ୍କା ପରିଚାଳନା କରୁଥାଏ ଏବଂ ଭୟଭୀତ ହୋଇଥାଏ କି ଯେପର୍ଯ୍ୟନ୍ତ ସେ ବ୍ୟାଙ୍କରେ ପହଞ୍ଚି ଏହାକୁ ଯତ୍ନର ସହ ପରିଚାଳନା ନ କରିଛି ।ଝିଅଟି ସାଇକେଲ ଆରୋହଣ କରି ସିଧା ବ୍ୟାଙ୍କକୁ ଯାଏ । ସେଠାରେ ଥିବା ଜଣେ ବ୍ୟକ୍ତିଙ୍କୁ ପଚାରି ପ୍ରଣାଳୀ ସହିତ କିପରି ଯିବାକୁ ହେବ ସେଇଟା ଜାଣି ନିଏ । କିଛି ସମୟ ଧାଡିରେ ଛିଡା ହେବା ପରେ , ରସିଦ ଏବଂ ଟଙ୍କା ଦେଇକି ଅପଡେଟ୍ କାର୍ଯ୍ୟ ଏବଂ ଷ୍ଟାମ୍ପ୍ ସହିତ ରସିଦକୁ ପାଇବାର ଅପେକ୍ଷାରେ ଥାଏ । ଝିଅଟି ଧାଡିରେ ଠିଆ ହେଇ ଥାଏ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତାକୁ ଦେଖୁଥାନ୍ତି । ତା’ପରେ ଝିଅର ପାଳି ପଡ଼ିଲା । ସେ କେବଳ ତା ଆଖପାଖରେ ଥିବା ଲୋକଙ୍କ ଆଣ୍ଠୁ ଏବଂ କାଠ ଡେସ୍କ ଦେଖିପାରୁଛି ଯାହା ତା ମୁଣ୍ଡଠାରୁ ବହୁତ ଦୂରରେ । ସେ କେବଳ ତା ଗୋଇଠିରେ ଡେଇଁ କାଉଣ୍ଟରରେ ପହଞ୍ଚିବାରେ ସକ୍ଷମ ହେଳ । ଶେଷରେ ସେ ଫିସ୍ ଦେଇ ରସିଦ ଗ୍ରହଣ କରି ଫେରିଥିଲା । ବାପା ଦେଖିଲେ କି ସେ ଘରକୁ ଆସିଛି ଏବଂ କାମ ସଂପୂର୍ଣ୍ଣ କରି । ସେଇଠି ବାପା ମାଙ୍କୁ କହିଥିଲେ “ସେ ମୋର ଝିଅ ସେ ସବୁ କରି ପାରିବ" । ପରେ ବାପା କହିଥିଲେ କି ମୁଁ ଜାଣିଛି ତୁ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଛୁ। ତଥାପି ତତେ ଏ କାମ ଆଇଥି ପାଇଁ ଦେଇଥିଲି କାରଣ ତୁ ନିଜ ପ୍ରୟାସରେ ସବୁକିଛି କରି ପାରିବୁ । ଝିଅ ବୋଲି କେବଳ ଘରେ ନୁହେଁ । ବରଂ ତୁ ମଧ୍ୟ ବାହାରକୁ ବାହାରି ପାରିବୁ । ସେହି ବୟସରେ, ବାପା ଝିଅକୁ ଏକ କାର୍ଯ୍ୟ ସମାପ୍ତ କରିବାକୁ ଏକୁଟିଆ ଯିବାକୁ ଦେଲେ ଯାହା ଦ୍ଵାରା ଝିଅଟି ଏହା ବୁଝି ପାରିଥିଲା କି ଯେ କୌଣସି କାର୍ଯ୍ୟ ଗୁଡିକ କିପରି କରାଯାଏ, ପରିସ୍ଥିତିକୁ କିପରି ପରିଚାଳନା କରାଯାଏ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି “କିପରି ସ୍ୱାଧୀନ ହେବା”।
ଝିଅ ନିଜ ବାପାଙ୍କଠାରୁ ଶିଖିଥିବା ସର୍ବୋତ୍ତମ କଥା ହେଲା, "ଉଚ୍ଚକୁ ଉଡ଼ିବା ଦେଖିବା ପାଇଁ ତୁମେ ପକ୍ଷୀକୁ ଛାଡିବା ଆବଶ୍ୟକ!"
"ପରିସ୍ଥିତି ଯାହା ହେଉନା କାହିଁକି, ତୁମକୁ ଏହାକୁ ପରିଚାଳନା କରିବାକୁ ପଡିବ, ତଥାପି ତୁମେ ତୁମର ଜୀବନର ସୈନିକ ହୋଇ ଲଢ଼ିବାକୁ ପଡ଼ିବ। "
ଟଙ୍କା ସହିତ ଜ୍ଞାନୀ ହେବା ଏବଂ କଠିନ ପରିଶ୍ରମ କରିବା ବିଷୟରେ ବାପା ସବୁବେଳେ ବହୁତ କିଛି ଶିଖାଇଥାଆନ୍ତି । ତାଙ୍କ ଜ୍ଞାନର ଧନ୍ୟବାଦ, ବାପାଙ୍କ ଆଦେଶକୁ ପାଳନ କରି ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ସଞ୍ଚୟ ହୋଇଥିବା ମାସର ଆୟ ସହିତ କଲେଜ ସ୍ନାତକ , ଏବଂ କୌଣସି ଛାତ୍ର ଋଣ ନ ନେଇକି , କଲେଜ ମାଧ୍ୟମରେ ପୈଠ କରିବାକୁ ଏବଂ ବର୍ଷା ଦିନ ପାଇଁ ଟଙ୍କା ସଞ୍ଚୟ କରିବାକୁ ପ୍ରକୃତରେ କଠିନ ପରିଶ୍ରମ ରହେ ।ଯାହା ସେହି ସମୟରେ ବହୁତ କଠିନ ପରିଶ୍ରମ ଥିଲା, କିନ୍ତୁ ଏହା ସମଗ୍ର ବିଶ୍ୱର ସର୍ବୋତ୍ତମ ଉପହାରଗୁଡ଼ିକ ମଧ୍ୟରୁ ଗୋଟିଏ ଦେଇଛି: ଆର୍ଥିକ ସ୍ୱାଧୀନତା ।ଯାହା ବାପାଙ୍କ ଆଦେଶକୁ ନେଇକି ଚାଲିବା ହେତୁ ସନ୍ତାନ ଟିଏ ଦେଖି ପରିଥାଏ।
ଏମିତି ବହୁତ୍ ସ୍ଥାନରେ ବାପାଙ୍କ ଉପଦେଶ ପାଇଁ ସନ୍ତାନର ଅଧିକରୁ ଅଧିକ ସମସ୍ୟାର ଯଥା ସମ୍ଭବ ସମାଧାନ ମିଳି ଯାଇଥାଏ । ସମସ୍ୟାକୁ ନ ଡରି କିପରି ଲଢ଼ିକି ସାମ୍ନା କରିବାକୁ ହେବ ସେଥି ପାଇଁ ସେ ଆମକୁ ପ୍ରସ୍ତୁତ କରିଥାନ୍ତି । ତଥାପି ଯଦି କେବେ କୌଣସି ସମସ୍ୟା ଆମର ପଥ ଅଟକେଇ ଥାଏ । ସେ ଆମକୁ ସାହସ ଦେଇଥାନ୍ତି । ଏବଂ ଏକା ଲଢିକି ସାମ୍ନା କରିବା ପାଇଁ ଦୃଢ ଆତ୍ମ ବିଶ୍ବାସ ଜଗାଇ ଆମର ଇଚ୍ଛାଶକ୍ତିକୁ ବଢେଇ ଥାଆନ୍ତି । ପରେ ଯଦି ସେ ସମସ୍ୟା ତୀବ୍ର ହୋଇ ଥମିବାର ନାଁ ନ ନେଇଥାଏ । ତେବେ ସେ ସେହି କ୍ଷେତ୍ରରେ ନିଜ ସନ୍ତାନର କିଛି କ୍ଷତି ଘଟିବା ପୂର୍ବରୁ ପ୍ରଥମେ ନିଜ ଶରୀରକୁ ରଖିଥାନ୍ତି । ହଁ ହେଇଥାନ୍ତି ତ ସେ ବିଶାଳ କଠୋର ସାଦୃଶ୍ୟ କିନ୍ତୁ ଆନ୍ତରରୁ ନିଜ ସନ୍ତାନ ପାଇଁ କୋମଳ ହୃଦୟକୁ ଧାରଣ କରିଥାନ୍ତି ।
ଏକ ଯାଦୁଗର ଠୁ ବି କିଛି କମ୍ ନୁହଁନ୍ତି ସିଏ । ମୁହୂର୍ତ୍ତରେ ସବୁକିଛି ନିଜ ସନ୍ତାନର ପାଦ ତଳେ ବିଛେଇ ଦିଅନ୍ତି । ମୁହଁର ଗୋଟେ ଛୋଟ ହସ ପାଇଁ ସେ ବିଶାଳ ବିଶାଳ ଯନ୍ତ୍ରଣା ର ସାମ୍ନା କରି ନିଅନ୍ତି। ଲୁହ ତ ଅତି ଛୋଟ ତାଙ୍କ ପାଇଁ , କଣ ଆଉ କହିବି ନିଜର ଲହୁକୁ ବି ସେ ଖୁସିରେ ବିନା ଦ୍ବିଧାରେ ଦାନ କରି ଦେଇଥାନ୍ତି । ସ୍ଵଂୟ ଭଗବାନଙ୍କ ସାଦୃଶ୍ୟ ତ ହେଇଥାନ୍ତି । ଖାସ୍ ସେଇଥି ପାଇଁ ଯେମିତି ଭଗବାନ୍ ଙ୍କ ଦ୍ଵାର ରୁ କେହି କେବେ ଖାଲି ହାତରେ ଫେରି ନଥାନ୍ତି , ଠିକ୍ ସେମିତି ତାଙ୍କ ପାଖରୁ ମଧ୍ୟ ଖାଲି ହାତରେ ଫେରିବାର ପ୍ରଶ୍ନ ହିଁ ଉଠି ନଥାଏ ।
।। ସମାପ୍ତ।।
