ଆକାଂକ୍ଷିତ ପୃଥିବୀରେ
ଆକାଂକ୍ଷିତ ପୃଥିବୀରେ
ଜଡ ରୁ ଜଡ ପାଳଟୁଥିବା,
ଛାତିତଳ ନୀରବତାକୁ ଭାଙ୍ଗି,
ଏଇ ବିଦାୟ ବେଳାରେ,
ବାରମ୍ବାର ପଚାରନି ମୋତେ,
କେମିତି ଅଛ ?
କେମିତି ଅଛ ?
କାହିଁକିନା ,
ଏଇ ନିକଟ ଅତୀତକୁ ତମେ ଆଉ ମୁଁ ,
ସିଗାରେଟ୍ ପରି ଫୁଙ୍କିଦେବା ଭିତରେ,
ତମେତ ଠିକ୍ ଜାଣିସାରିଥିବ,
ତମ ପ୍ରେମର ଆକାଂକ୍ଷିତ ପୃଥିବୀରେ l
ମୁଁ କେମିତି ସର୍ବାଙ୍ଗର ପୁରୁଷତ୍ୱକୁ ଓହ୍ଲାଇ,
ଲାଜକୁଳୀ ଲତା ହିଁ ପାଲଟିଯାଏ,
ପକ୍ଷୀରାଜ ଘୋଡାସବାର ଛାଡି ,
ତୁମକୋଳେ ହିଁ ରାତି ରାତି ଶୋଇରହେ,
ତାଜମହଲର ଆମନ୍ତ୍ରଣକୁ ନଜର୍ ଅନ୍ଦାସ୍ କରି,
ତୁମ ପାଇଁ ବାଲିଘର ହିଁ ଗଢୁଥାଏ,
ଆଜାଦ୍ ହୋଇ ଡେଣା ଝାଡ଼ି ଉଡ଼ିବୁଲିବା ଛାଡି,
ତୁମ ନଜର୍ ବନ୍ଦୀ ହିଁ ପାଲଟିଯାଏ,
ଜୀବନ-ଜ୍ଵଳନର ଦଗ୍ଧ ଦୁଃଖକୁ ଫାଙ୍କି ,
କଳାପାଣି ହିଁ ଭୋଗୁଥାଏ ,
ତୁମ ସେଇ ହଳକ ଆଖି ସମୁଦ୍ରରେ.... l
ଯଦି ଶେଷଥରକ
ଆଖିମିଶେଇ କଥା ହେବାପାଇଁ,
ବାହାନାଟେ ଖୋଜୁଛ,
ପଚାରିପାର ସାଧାରଣ ପ୍ରଶ୍ନଟେ,
ମୁଁ କେମିତି ଦେଖାଯାଉଛି ?
ସତରେ..ମୁଁ ସତ ହିଁ କହିବି
ତମେ ଆଜି ଚନ୍ଦ୍ରମା ପରି ଦିଶୁଚ..,
ମଲ୍ଲୀ ପରି ମହକୁଚ..,
ନଳିନୀ ପରି ଆକର୍ଷଣ କରୁଚ..l
ମୁଁ ଜାଣିଛି...ଯେ..
ଶୁଣି ନଶୁଣିଲା ପରି ହେଉଥିବ ତମେ,
ମୁଁ ବାରମ୍ବାର କହୁଥିବି ଭଲ ଦିଶୁଚ,
ତମେ ଲାଜେଇ ଯିବ,
ମୁଁ ଶୀତେଇ ଯିବି,
ତମେ ଜାବୁଡି ଧରିବ ଛାତିରେ,
ମୁଁ ଚନ୍ଦନ ପାଲଟିଯିବି ତମ ସ୍ପର୍ଶରେ,
ତମ ଲୁହ ଝକେଇ ଆସିବ,
ମୁଁ ପାପୁଲି ବାହାର କରିବି,
ତମେ ଇତସ୍ତତଃ ହେବ ଲୁହ ଲୁଚେଇବା ପାଇଁ ,
ମୁଁ ଇତସ୍ତତଃ ହେବି ଲୁହର ସାନ୍ଦ୍ରତା କଳିବା ପାଇଁ,
ତମେ ଲୁଚିଯିବ ମୋ ନଜର ଠାରୁ...,
ମୁଁ ଖୋଜୁଥିବି ଯେ ଖୋଜୁଥିବି....,
ତମ ସେ ଆଖି ହଳକକୁ...l