ଖପରା
ଖପରା
ଖପରା
ପ୍ରମୋଦ ପ୍ରଧାନ
ଖପରା ଇତିବୃତ୍ତ କଥା କହୁନି
କି କହୁନି ତା’ର ଇତିହାସ,
ଖାଲି ଏତିକି ମନେ ଅଛି
ଖଣ୍ଡେ ଖପରାକୁ ଧରି
ଏକଗୋଡ଼ିଆ ହୋଇ
ତୁମେ ବି ନାଚୁଥିଲ ଦିନେ ଦାଣ୍ଡରେ ।
ଓଳିତଳୁ ଦୂରରୁ ମୁଁ ଦେଖୁଥିଲି ତୁମକୁ
ଉପଭୋଗ ବି କରୁଥିଲି
ସେଇ ସୁନ୍ଦର ମୁହୂର୍ତ୍ତକୁ କାହିଁକି କେଜାଣି !
ଠିକ୍ ସେଇ ମୁହୂର୍ତ୍ତରେ
ମୋ ସାମ୍ନାରେ ବୁଢ଼ିଆଣୀଟିଏ
ଗୋଟେ ମାଛିକୁ ଗୁଡ଼ଉଥିଲା
ତା ଇନ୍ଦ୍ରଜାଲରେ,
ଠିକ୍ ସେଇଭଳି
ସେବେଠୁ ମୁଁ ବି
ଗୁଡ଼େଇ ହେଇଯାଇଥିଲି
ତୁମ ଖପରା ଭିତରେ ।
ତୁମେ ମୁଣ୍ଡରେ ମାରି
ଫିଙ୍ଗିଦେଉଥିଲ ମୋତେ
କୋଠିକୋଠି ଘର ଭିତରକୁ,
ଆଗେଆଗେ ଚାଲୁଥିଲି ମୁଁ
ପଛେପଛେ ତୁମ ଏକଗୋଡ଼ିଆ ପାଦ,
ମୋତେ ଛୁଇଁଦେବାମାତ୍ରେ
ଉଠେଇଆଣି
ମଥାରେ ଲଗେଇ ଚୁମୁଥିଲ ମୋତେ ।
ଏବେ ତୁମେ ଖେଳୁଛ ବ୍ୟାଡମିଣ୍ଟନ୍
ଟେନିସ୍, ଟେବୁଲଟେନିସ୍...
ନାମୀ-ଦାମୀ କ୍ଲବମାନଙ୍କ
ନାଲି-ନୀଳ ଛାତିରେ,
ଭାରି ଚାହିଦା ତୁମ
ଏବେକାର କର୍କ ଆଉ ବଲ୍ ।
ମୁଁ ଏବେ ଅଣନିଃଶ୍ୱାସୀ ବାଲିତଳେ
ତୁମଠୁ ବହୁଦୂରରେ...
ତୁମ ଘର ପଛପାଖ ପୋଖରୀ ଭିତର
ମାଟିରେ ମିଶିବାକୁ ଅପେକ୍ଷାରତ ।
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****