ଶାପ ମୁକ୍ତି
ଶାପ ମୁକ୍ତି
ସେଦିନ ବି ସେମିତି ହସୁଥିଲ...
ଠିକ ଯୋଗନିଦ୍ରା ଯିବା ପୁର୍ବରୁ..II
କେଜାଣି ସେ ଅର୍ଥପୂର୍ଣ୍ଣ ହସରେ ତୁମର କଣ ଥିଲା..!!
କେତେ ଅବିଚଳିତ ଶାନ୍ତ ଥିଲ ସତେ..II
କୋକୁଆ ଭୟ ବ୍ୟାପିଥିଲା ସର୍ବତ୍ର..II
ନିଜ ଆଖିରେ ଦେଖୁଥିଲ
ଅଣ୍ଟି ଛୁରୀ କେମିତି ତଣ୍ଟି କାଟୁଥିଲା..II
ସ୍ୱ-ହସ୍ତ ସର୍ଜନା ସ୍ୱ-ରଚିତ ସୃଷ୍ଟିକୁ ଗିଳୁଥିଲା..II
ଓଃ..!!! କି ବିଭୀତ୍ସ ଥିଲା ସେ ଦୃଶ୍ୟ..!!!
ଗାନ୍ଧାରୀଙ୍କ ଅଭିଶାପ ରୂପ ନେଉଥିଲା..
ରକ୍ତର ହୋରି ଖେଳ ଚାଲିଥିଲା..II
ଭାଈ..ଭାଈ..ବାପ..ପୁଅ
ସମ୍ପର୍କ ସବୁ ଯେମିତି ଜୀବନ୍ତ ସମାଧିରେ ଥିଲେ..II
ତୁମେ କିନ୍ତୁ ଥିଲ ନିର୍ଲିପ୍ତ ନିର୍ବିକାର..;
ବୋଧେ ଜାଣିସାରିଥିଲ ଅନ୍ତ ଅତି ନିକଟରେ..II
"କରି କରାଉ ଥାଏ ମୁହିଁ..ମୋ ବିନୁ ଅନ୍ୟ ଗତି ନାହିଁ "..II
ଚାହିଁଥିଲେ ଏ ସବୁକିଛି ବନ୍ଦ କରିପାରିଥାନ୍ତ..
କିନ୍ତୁ ଚାହିଁଲନି...!!!
ନିଜ ଶକ୍ତି ଓ ସାମର୍ଥ୍ୟକୁ ବି ସମର୍ପିଦେଲ...II
ଚୁପଚାପ ଚାଲିଗଲ ଶିଆଳି ଲଟା କୋଳକୁ
କାଳକୁ ତା କରାମତି ଦେଖେଇବାକୁ ଛାଡିଦେଲ..II
ଅପେକ୍ଷାରେ ଥିଲ ନିର୍ବାଣର ସ୍ପର୍ଶକୁ...II
ଶେଷଥର ପାଇଁ ବଂଶୀର ସ୍ୱର ଶୁଭୁଥିଲା..
ନା ପ୍ରେମର..ନା ବିରହର..
ନା ଆନନ୍ଦର..ନା ବିଷାଦର ;
କେବଳ ଏକ ମୂର୍ଚ୍ଛନା ଥିଲା..
ବିବଶ ମନ ଚଢୁଥିଲା ଇନ୍ଦ୍ରିୟରୁ ଅତୀନ୍ଦ୍ରିୟର
ଆଉ ଏକ ସୋପାନକୁ..II
ହେଲେ ତୁମ ପ୍ରିୟ ସ୍ଵର୍ଣ୍ଣପ୍ରସୁ ଦ୍ଵାରକା..!!!
ତୁମ ବିରହ ସାହିପାରିଲାନି..II
ସଲିଳ ସମାଧି ନେଲା ସାଗର ବୁକୁରେ..II
ନିଜ ବଂଶକୁ ନିଜ ହାତେ ଧ୍ଵଂସ କରିବାର ସତେ
ଅନନ୍ୟ ଉଦାହରଣ ତୁମେ..II
କର୍ମ ଅନୁସାରେ ଫଳ ପ୍ରାପ୍ତି
ଏଇଆ ତ ଜଣେଇବାକୁ ଚାହଁ..II
ଆଜି ବି ସେଇ ଅବସ୍ଥା..!!!
ତୁମକୁ ନେଇ ଯେତେ ବ୍ୟବସାୟ.,
ତୁମ ନାମରେ ଯେତେ ବ୍ୟଭିଚାର.,
ତୁମ ନାମେ ଯେତେ ଷଡତନ୍ତ୍ର..,
ତୁମ ନାମେ ଯେତେ ପ୍ରଚାର ଓ ପ୍ରସାର..,
ତୁମ ନାମେ ଯେତେ ରକ୍ତପାତ..;
ସେମାନେ କୁହନ୍ତି.......
ଏ ସବୁ କିଛି କେବଳ ତୁମ ସଂରକ୍ଷଣ ପାଇଁ..II
ତୁମ ହାତଗଢ଼ା ଦ୍ୱିତୀୟ ଈଶ୍ଵର ଆଜି ହତାଦରେ
ମାଡଖାଇ ରାସ୍ତାରେ ଗଡୁଛି..II
ହେଲେ ସବୁ ଜାଣି ବି ତୁମେ ନ ଜାଣିଲା ପରି..
ସବୁ ଦେଖି ବି କିଛି ନ ଦେଖିଲା ପରି..
ବର୍ତ୍ତମାନର ମଣିଷ ହାତରେ...
କାଠ କଣ୍ଢେଇଟେ ଅବା ପାଲଟି ଯାଇଛ
ସ୍ଥାଣୁ କରି ନିଜକୁ..II
ଅସୀମ ଧୈର୍ଯ୍ୟର ପ୍ରତୀକ ଯେ ତୁମେ
ଅପେକ୍ଷାରେ ଅଛ ବୋଧେ--
ଧୈର୍ଯ୍ୟର ବନ୍ଧ ଭାଙ୍ଗିଲା ପର୍ଯ୍ୟନ୍ତ..II
ଯଦୁକୂଳ ଧ୍ବଂସ ପରି...
ଏବେର ସମାଜ ବି ଆସନ୍ନ ପତନମୁଖୀ..;
ହେ ଯୁଗ ପୁରୁଷ..!! ଶାପମୁକ୍ତିର ଉପାୟ...!!!
ସବୁ ଶୁଣି ପୁଣି ହସିବା ଆରମ୍ଭ କଲଣି ଯେ..!!
କେଜାଣି...ଭାରି ଭୟ ଲାଗେ ତୁମର ସେ ହସ
ସେ ହସରେ ବହୁତ କିଛି ଅର୍ଥ ଥାଏ..II
ଓଃ...ଆଚ୍ଛା.. ଆଚ୍ଛା..!!
ତୁମର ସେ କୋକୁଆ..କେବେଠୁ
ଘର କଲାଣି ସମସ୍ତଙ୍କ ଭିତରେ..II
ଖାଲି ଖତ ସାର ପାଇ
ଯାହା ମହାଦ୍ରୁମ ହେବାକୁ ଅପେକ୍ଷା...।।
ତୁମକୁ କିଛି କରିବାକୁ ପଡିବନି
ସବୁ ଆପେ ଆପେ ହେଇଯିବ..II
ଲାଗୁଛି ଗାନ୍ଧାରୀଙ୍କ ଶାପରୁ
ଏବେ ବି ନିସ୍ତାର ପାଇନି ଏ ସୃଷ୍ଟି....
ପୁଣି ଉଭାହେବ କେବେ ପ୍ରଳୟ ରୂପରେ..II
ହେଲେ..ତୁମେ କିନ୍ତୁ ଥିବ କଳ୍ପ ମଗ୍ନ...
ବିଭୋର ଥିବ ନିଜେ ରଚି ଥିବା
ଯୋଗ-ବିଯୋଗର ମାୟା ଜାଲ ରେ ...!!
ବିନ୍ଦୁ ନିବେଦିତା