ଜଳୁଛି ଦୀପାଳି
ଜଳୁଛି ଦୀପାଳି
ବାହାରେ ଦୀପାଳି ର ମେଳ
ତା ସାଥେ ଚିକମିକ ଆଲୁଅ ର ଖେଳ,
କେତେ ଯେ ଆତସବାଜି ର କୋଳାହଳ I
କିନ୍ତୁ..ଭିତର ର ଦରଜା ଖୋଲିଲା ବେଳକୁ...
ଆଃ..!! କି ନିସ୍ତବ୍ଦତା...କି ନିରବିଚ୍ଛିନ ଅନ୍ଧକାର I
ସତେ ଲାଗେ ଆବୋରି ବସିବ କି..!!
ମୋ ସମଗ୍ର ସତ୍ତା କୁ ।
ଏ କଣ..!! ମନ ର ପ୍ରତିଟି ଅଳିନ୍ଦରେ
ସଞ୍ଚରି ଯାଇଛି ଅନ୍ଧାର ର ରାଜୁତି ।
ଆଉ ମୋ ହସ ଖୁସି ଦୟା କ୍ଷମା ଶାନ୍ତି ଯେ
ବନ୍ଧା ପଡିଛନ୍ତି ରାଗ ରୋଷ ଦ୍ୱେଷ ଆଉ ଅହଂ ପାଖରେ ।
ଅନୁନୟ ହେଉଛନ୍ତି ଧାରେ ଆଲୁଅ ପାଇଁ;
ଏଇ ଅନ୍ଧ ଗଳି ରୁ ଟିକେ ନିସ୍ତାର ପାଇଁ।
କିନ୍ତୁ ଏ ଅନ୍ଧାରି ରାଜା ଅନ୍ଧ ଧୃତରାଷ୍ଟ୍ର ପରି
ଆଲୋକ ର ସବୁ ଉତ୍ସ ବନ୍ଦ ଯେ କରିଛି..!!
ଆସିବାର ବାଟ କାହିଁ..!!
ନା...ରହି ତ ହେବନି...
ଏ ଅଣନିଃଶ୍ୱାସୀ ବାତାବରଣରେ,
ମତେ ବି ଟିକେ ଦରକାର
ଖୋଲା ଆକାଶ ଆଉ ମୁକ୍ତ ପବନ I
ମୁଁ ବି ବଞ୍ଚିବାକୁ ଚାହେଁ !!
ଅବିଶ୍ୱାସ ଓ ପ୍ରତାରଣା ର ଚୌହଦୀ କୁ ଡେଇଁ
ସମ୍ମାନ ଓ ଆତ୍ମ ପ୍ରତ୍ୟୟ ର ଜୀବନଟେ ଜିଇଁବାକୁ I
ଏ ନିରନ୍ଧ୍ର ଅନ୍ଧକାର ମଧ୍ୟେ
ସମ୍ପୂର୍ଣ୍ଣ ସତ୍ତା ନିଶ୍ଚିହ୍ନ ହେବା ଆଗରୁ
ମତେ ହିଁ ଖୋଜିବାକୁ ପଡିବ ମୋ ଆତ୍ମ ସତ୍ତାକୁ II
ମତେ ହିଁ ବୁଝିବାକୁ ପଡ଼ିବ
ମୋ ଆସିବାର କାରଣ ର ପ୍ରାସଙ୍ଗିକତା କୁ II
ଜାଳିବାକୁ ପଡିବ ବିବେକର
ଛୋଟ ଦୀପାଳିଟିକୁ ଅଖଣ୍ଡ ଦୀପ ରେ II
କେଜାଣି;...
ନିରାଶା ର ଅନ୍ଧକାର ମଧ୍ୟେ
ଆଶାର କ୍ଷୁଦ୍ର ଆଲୋକ ବର୍ତ୍ତିକାଟିଏ ଅବା ହୋଇ
ବତୀଘରଟେ ପରି ବାଟ କଢେଇବ ମତେ;
ଆଉ ଆଖି ବି ଦେଖେଇବ
ମୋର ଅସତର୍କ ମୁହୂର୍ତ୍ତ ମାନଙ୍କରେ I
ଅହରହ ଜଳୁଥିବ ଦୀପଟିଏ ହୋଇ
ମୋ ଅସ୍ତିତ୍ୱ ଭିତରେ I
ଆଲୋକିତ କରୁଥିବ..
ମୋ ଅନ୍ତର ର ନିଭୃତ କୋଣ କୁ;
ବଞ୍ଚିବାକୁ ରାହା ଦବ ମତେ "ମୁଁ" ହୋଇ II