କାଲି ରାତିର କବିତା
କାଲି ରାତିର କବିତା
ପଢିବାକୁ ଜିଦ୍ କରନି
କାଲି ରାତିର କବିତା !
କାହିଁକିନା , ମୁଁ ବି'
ତୁମ ପରି ଲେଖିପାରିନଥିଲି
ଅମାପ ବନ୍ଧୁତ୍ୱର ମହ ମହ ବାସ୍ନାକୁ..
ପୃଷ୍ଠାଏ ଡାଏରୀ ମଧ୍ୟରେ..।
ତଥାପି ଯଦି ଜିଦ୍ କରୁଛ
ନେହୁରା ହୁଅ ରାତି ପାଖରେ
ସେ ଆସି ଶୁଣେଇ ଦେଇପାରିବ
ସବୁକିଛି ସପନେ ସପନେ..
କାହିଁକିନା ! ମୁଁ ଦେଖିଛି
ସେ କେମିତି କାଲି ?
ଲୁଚି ଲୁଚି ଦେଖୁଥିଲା ଶୁଣୁଥିଲା
ଆମ ନିଆରା ଢଙ୍ଗର ବନ୍ଧୁତ୍ୱ ଦିବସ ପାଳନକୁ ।
ବାଧ୍ୟକରି ପଚାରନି ମୋତେ !
କାହିଁକି ମୁଁ ? ରୁମାଲ ଭିତରେ
ଲୁଚେଇ ଦେଉଥିଲି
ତୁମ ନଜରରୁ ମୋ ପୃଥିବୀଟିକୁ ;
ପୁଣି ସ୍ମୃତି ସାଉଁଟିବା ଛାଡ଼ି
ମଝି ମଝିରେ ପସନ୍ଦ କରୁଥିଲି କାହିଁକି ?
ସିଝିବାକୁ ତତଳାଗଡ଼ର ଅଦିନ ଝାଞ୍ଜିରେ..।
ଆଉ ଗୋଟେ କଥା !
ନିଜ ସହ ଲଢ଼ି କହିଦେଉଛି ବୋଲି
କହିଦେବନି ଆଉ କା' ଆଗରେ..
କାହିଁକି ଜାଣିଛ ?
ମୁଁ ଠିକ୍ ଜାଣିଛି ଯେ-
"କିଛି ହୃଦୟ କାଚ ଠୁ ବି' ଅଧିକ ଭଙ୍ଗୁର ଥାଏ ।"
ଆଉ ତୁମେ ବି' ଠିକ୍ ଜାଣିଥିବ !
କାଚ ଭାଙ୍ଗିଗଲେ ; କେମିତି ?
ଭାଙ୍ଗିଯାଏ ତା' ସାମ୍ନାର ଚଳଚଞ୍ଚଳ ପୃଥିବୀଟା ।
ମଝି ମଝିରେ ଯେତେବେଳେ
ମୋ ଆଖି ଦିଶୁଥିଲା
ତୁମ କା' ଆଖି ଭିତରେ...
ସମୟ ଯେ ସେଇଠି ଥ' ହୋଇଯାଉଥିଲା
ତୁମେ ବୋଧେ ବିଶ୍ୱାସ କରିବନି !
ସେଇଠୁ ବାହାରୁ ବାହାରୁ..
ବାସ୍ତବତା ଯେ ଚାଲିଯାଉଥିଲା
ଢେର କିଛି ବର୍ଷ ଆଗକୁ...
ତା ପରେ ପରେ ହଠାତ୍ କେମିତି ?
ବନ୍ଦ ହୋଇଯାଉଥିଲା ନିଶ୍ୱାସ
ଦ୍ବିଗୁଣିତ ହୋଇଯାଉଥିଲା ହୃତସ୍ପନ୍ଦନ
ବହିଯାଉଥିଲା ଆଖି ଆଗର ପୃଥିବୀ ସାଗର ହୋଇ
ତମେ ତା' ବି ବିଶ୍ୱାସ କରିବନି ବୋଧେ !
ପାରିବ ଯଦି ! ଏବେବି ଆସ
ଶୁଣ ! ମୋ ଛାତିରେ ନେସି ହୋଇ ଥରେ
ବତୁରୀଯାଇଥିବା ହୃଦୟ କେମିତି
ବୀରହ ରାଗରେ ଗାଉଛି-
"ତୁ ଧୀରେ ଧୀରେ..ଚାଲରେ ସମୟ...! "
#Bab_L_U
#Dedicate_to_all_my_friends