STORYMIRROR

Apalata Aruk

Others

3  

Apalata Aruk

Others

ରାକ୍ଷୀ

ରାକ୍ଷୀ

2 mins
174


ଆଜି ଆକାଶରେ ପୂର୍ଣ୍ଣିମାର ଜହ୍ନ । ଜ୍ୟୋତ୍ସ୍ନା ବିଧୌତ ରଜନୀର କି ଅପୂର୍ବ ଆକର୍ଷଣ !ପୂର୍ଣ୍ଣିମାର ଏଇ ନୈସର୍ଗିକ ସୁଷମାକୁ ମନଭରି ଉପଭୋଗ କରିବ ବୋଲି ସୀମାନ୍ତ ଯାଇ ବସିଲା ବଗିଚାର ସିମେଣ୍ଟ ବେଞ୍ଚ ଉପରେ ।ନିରୀକ୍ଷଣ କଲା ଜହ୍ନ ଆଉ ତାରାର ଲୁଚକାଳି ଖେଳକୁ ।ନିବିଡ ଭାବେ ଅନୁଭବ କଲା ଶୀତଳ ଜ୍ୟୋତ୍ସ୍ନାର ମଧୁର ସ୍ପର୍ଶକୁ।


ଏମିତି ଏକ ହିରଣ୍ମୟ ମୁହୂର୍ତ୍ତରେ ହଠାତ ସୀମାନ୍ତର କାନରେ ବାଜିଲା ପାଉଁଜିର ରୁଣୁଝୁଣୁ ମଧୁର ମୂର୍ଚ୍ଛନା।ପରମ ଉତ୍କଣ୍ଠାରେ ଚାରିଆଡକୁ ଚାହିଁଲା ବେଳକୁ ଚମ୍ପା ଗଛ ଉହାଡରୁ ତାକୁ ଦିଶିଗଲା ତା' ପଡିଶା ଘର ଝିଅ ସୋଫିଆର ସଜଫୁଟା ମୁହଁ ।ସେ କିଛି ଭାବିବା ଆଗରୁ ସୋଫିଆ ପହଞ୍ଚି ସାରିଥିଲା ତା' ନିକଟରେ ଆଉ କହିଲା," ହାତ ଦେଖାଅ ସୀମାନ୍ତ ଭାଇ,ମୁଁ ରାକ୍ଷୀ ବାନ୍ଧିବି।ତମର କ'ଣ ମନେ ନାହିଁ,ଆଜି ପରା ପବିତ୍ର ରାକ୍ଷୀ ପୂର୍ଣ୍ଣିମା ! ଦିନସାରା ମୁଁ କେତେ ଛଟପଟ ନ ହୋଇଛି !ହେଲେ ଗୋଟିଏ ଅନ୍ଧ ସମାଜର ନିଷ୍ଠୁର ନିୟମକୁ ଭାଙ୍ଗି ଏ ଦରଦୀ ଭଉଣୀଟି ମମତାର ସୂତାଖିଅଟିଏ ବାନ୍ଧି ଦେବାକୁ ସକାଳୁ ସକାଳୁ ପହଞ୍ଚି ପାରିଲାନି ତା' ପ୍ରିୟ ଭାଇ ନିକଟରେ ।ଲୁଚି ଲୁଚି ତାକୁ ଏଇ ରାତିରେ ଆସିବାକୁ ପଡିଲା। ।ହେଇପାରେ ସମାଜର କେଇଜଣ ଧର୍ମାନ୍ଧଙ୍କ ପାଇଁ ଜାତି ଭିନ୍ନ,ଧର୍ମ ଭିନ୍ନ ଆଉ ସମ୍ପ୍ରଦାୟ ଭିନ୍ନ ।ହେଲେ ତମ ରକ୍ତ କ'ଣ ମୋ ରକ୍ତଠାରୁ ଭିନ୍ନ?ତମ ଈଶ୍ୱର କ'ଣ ମୋ ଆଲ୍ଲାଠାରୁ ଭିନ୍ନ ?

କାଲି ତମେ ଥିଲ ମୋ ଆଦରର ସୀମାନ୍ତ ଭାଇ ।ତମ ହାତରେ ରାକ୍ଷୀ ବାନ୍ଧିବି ବୋଲି ମୁଁ କେଡେ ସରାଗରେ ସକାଳୁ ସକାଳୁ ଧାଇଁ ଆସୁଥିଲି ତମ ଘରକୁ ।ତମେ ବି ଚାହିଁ ରହୁଥିଲ ମୋ ଆସିବା ବାଟକୁ ।ମୁଁ ରାକ୍ଷୀ ବାନ୍ଧୁଥିଲି ତମ ହାତରେ ଆଉ ହସି ହସି ତମେ ଆଶୀର୍ବାଦ ଦେଉଥିଲ ମୋତେ । ଥରେ ମନେ ପକେଇଲ ଭାଇ, କେଡେ ମଧୁମୟ ଥିଲା ସେଇ ପୁରୁଣା ଦିନ ! ମାତ୍ର ଆଜି ଧର୍ମର କନ୍ଦଳ ଭାଇକୁ ଛଡେଇ ନେଇଛି ଭଉଣୀଠାରୁ।ଲୁହରେ ଭିଜୁଛି ରାକ୍ଷୀ।ସମ୍ପର୍କର ଅମୃତ କଳସ ଆଜି ବିଷ ଜର୍ଜରିତ ।ନିର୍ମଳ ଅନୁରାଗରେ ହସୁଥିବା ଏ ଗାଆଁ ଆଜି ଦୁଇ ଭାଗ ।ସୀମାନ୍ତ ଭାଇ,ଆମେ କ'ଣ ପୁଣି ଥରେ ସଂଯୁକ୍ତ କରିପାରିବାନି ଏ ବିଭକ୍ତ ଗାଆଁକୁ ? ଆଜିର ଏ ପବିତ୍ର ରକ୍ଷା ବନ୍ଧନରେ ତମେ ମୋତେ କଥାଦିଅ, ପୁଣିଥରେ ଆମେ ଏ ଗାଆଁକୁ ହସେଇବା ଭାଇଚାରାରେ ।ସମସ୍ତଙ୍କୁ ବାନ୍ଧି ଦେବା ପ୍ରୀତିର ରଜ୍ଜୁରେ ।"


ସୀମାନ୍ତ ଭାବ ବିହ୍ଵଳ ହୋଇ କହିଲା, "ସୋଫିଆ,ତୁ ମୋ ହାତରେ ବାନ୍ଧିଦେ ସେ ଅମୂଲ୍ୟ ରକ୍ଷାକବଚ ।କେବଳ ଏ ଜନ୍ମରେ ନୁହଁ,ଜନ୍ମ ଜନ୍ମାନ୍ତର ପାଇଁ ତୁ ମୋ ଆଦରର ଭଉଣୀ ହୋଇ ରହିଥିବୁ।ମୁଁ କଥା ଦେଉଛି ,ଜାତି ଧର୍ମ ସମ୍ପ୍ରଦାୟର ପ୍ରାଚୀର ଭାଙ୍ଗି ଭ୍ରାତୃତ୍ୱର ନିବିଡ ବନ୍ଧନରେ ଆମେ ବାନ୍ଧିଦେବା ଏ ଗାଆଁର ସମସ୍ତ ମଣିଷଙ୍କୁ ।।ଆଜି ହିଁ ଆମେ ବାପା ବୋଉଙ୍କ ଆଶିଷ ନେଇ ଆରମ୍ଭ କରିବା ଆମ ଅଭିଯାନ ।"

ସୀମାନ୍ତ ଓ ସୋଫିଆର କଥା ଶୁଣି ପାରିଥିଲେ ସୀମାନ୍ତର ବାପା ଆଉ ବୋଉ। କ୍ଷଣକ ପାଇଁ ସେମାନେ ଅଭିଭୂତ ହୋଇଯାଇଥିଲେ ।ସେମାନେ ବି ସେ ଦୁହିଁଙ୍କୁ ଆଶିଷ ଦେଇ କହିଥିଲେ,"ତୁମ ଅଭିଯାନ ସଫଳ ହେଉ । ଏ ବିଭକ୍ତ ଗାଆଁ ସଂଯୁକ୍ତ ହେଉ ।"ସୋଫିଆର ମୁହଁରେ ଆଶାର ଝଲକ ଆଉ ସୀମାନ୍ତକୁ ଦିଶିଯାଉଥିଲା ସୁବର୍ଣ୍ଣ ସକାଳଟିଏ ।ସୋଫିଆର ରାକ୍ଷୀ ସୀମାନ୍ତର ହାତରେ ଚମକୁଥିଲା ଆକାଶର ରୂପାଜହ୍ନ ପରି ।



Rate this content
Log in