STORYMIRROR

Apalata Aruk

Others

2  

Apalata Aruk

Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

2 mins
151


ସେଦିନ ପ୍ରୀତିପୁର ଗାଆଁରେ ସକାଳୁ ସକାଳୁ ଚହଳ ପଡିଗଲା ଶ୍ରୁତି କୁଆଡେ ଶେଖର ସହିତ ଚାଲିଗଲା।କିଏ କହିଲା, କଳଙ୍କିନୀଟା ନାଁ ପକେଇଲା।"କିଏ କହିଲା,"ଅଲାଜୁକୀଟାକୁ ଟିକେ ବିଷ ମିଳିଲାନି !ଏଇଟା ସାରା ଗାଆଁ ପାଇଁ କଳଙ୍କ ।ଯିଏ ଦୁଇକୁଳର ହିତ ସାଧନ କରେ ସେଇ କେବଳ ଦୁହିତା।ହେଲେ ଇଏତ ଦୁଇକୁଳର ନାଆଁ ବୁଡେଇଲା, ଛି ,ଛି।"

ମୋତେ ତ ଆଶ୍ଚର୍ଯ୍ୟ ଲାଗିଲା, ଏତେ ସରଳ ଜଣାପଡୁଥିବା ଶ୍ରୁତିଟା ଶେଷରେ ଦୁଇ ଦୁଇଟା କୁନି ପିଲାଙ୍କ ବନ୍ଧନ କାଟି କେମିତି ଚାଲି ଯାଇପାରିଲା ଶେଖର ସହିତ !ହୁଏତ ଅକାଳ ବୈଧବର ତାଡନା ତାକୁ ଏଇ ରାସ୍ତା ବାଛିନେବାକୁ ବାଧ୍ୟ କରିଥାଇପାରେ। ହେଲେ ଅବେଳରେ ନିଜର ଏକମାତ୍ର ପୁତ୍ରକୁ ହରେଇଥିବା ଦୁଇଟି ଅସହାୟ ବୃଦ୍ଧ ପିତାମାତା ଆଉ ବାପାର ସ୍ନେହ ସୋହାଗରୁ ବଞ୍ଚିତ ହୋଇଥିବା ଦୁଇଟି ସ୍ନେହକାଙ୍ଗାଳ ପିଲାଙ୍କର ଦୁଃଖଠାରୁ ଶ୍ରୁତିର ଯନ୍ତ୍ରଣା କ'ଣ ଏତେ ବେଶି ଥିଲା? କାହିଁକି ସେ ଥରଟିଏ ବି ଚିନ୍ତା କଲାନି ସେ ଚାଲିଯିବା ପରେ କ'ଣ ହେବ ସେଇ ଅସହାୟ ପରିବାରଟିର ଭବିଷ୍ୟତ ?କୁଆଡେ ଗଲା ତା' ବୋହୂପଣିଆ?କୁଆଡେ ଗଲା ତା' ମାତୃତ୍ୱ !ଶ୍ରୁତି ପ୍ରତି ଖୁବ ବିରକ୍ତି ଆସିଲା ମୋ ମନରେ ।

ମାସକ ପରେ କିନ୍ତୁ ଶ୍ରୁତି ଶେଖର ସହିତ ଫେରି ଆସିଲା ଗାଆଁକୁ।ଗାଆଁ ଲୋକଙ୍କ ଛିଃଛାକର ସତ୍ତ୍ୱେ ଭାଗ୍ୟକୁ ଆଦରି ସେ ଏକ ପରିତ୍ୟକ୍ତ ଘରେ ଆରମ୍ଭ କଲା ତା' ସଂସାର ।ମୁଣ୍ଡପାତି ସହିନେଲା ସବୁ ନିନ୍ଦା ଅପବାଦକୁ।


ହଠାତ ଦିନେ ଶ୍ରୁତି ଆମ ସ୍କୁଲକୁ ଆସି ପହଞ୍ଚିଲା ତା' ଝିଅର ନାଆଁ ଲେଖେଇବାକୁ।ମୁଁ ପଚାରିଲି ଝିଅମାନେ କ'ଣ ତୋ ପାଖରେ ରହୁଛନ୍ତି?ସେ କହିଲା, କେବେ ମାମୁଁଘରେ, କେବେ ଜେଜେବାପା ଜେଜେମା' ପାଖରେ ତ ଆଉ କେବେ ମୋ ପାଖରେ ଆସି ରହୁଛନ୍ତି।" ମାଆ ଯାହା ବି ହେଉ ପିଲା ପାଇଁ ସେ କେବଳ ମାଆ।ସେଇଥିପାଇଁ ତ ସେମାନେ ଚାଲି ଆସୁଛନ୍ତି ମାଆ ପାଖକୁ ।ମୁଁ କହିଲି, ଯଦି ଶେଖରର ଆପତ୍ତି ନଥାଏ ତେବେ ତୁ ପିଲାଙ୍କୁ ନିଜ ପାଖରେ ରଖି ପାଠ ପଢା।ତାଙ୍କ ଭବିଷ୍ୟତ ନଷ୍ଟ କରନା।"

ସ୍କୁଲରେ ନାଆଁ ଲେଖା ହେବା ପରେ ଶ୍ରୁତି ପିଲା ଦୁହିଁଙ୍କୁ ନିଜ ପାଖରେ ରଖିଲା।ଶେଖର ବି ସେମାନଙ୍କୁ ଆପଣେଇ ନେଲା।ଏମିତି ବିତିଗଲା ପାଞ୍ଚବର୍ଷ ।ଶ୍ରୁତି ଦିନେ ତା' ଅସହାୟ ଶାଶୁ ଶ୍ୱଶୁରଙ୍କୁ ନେଇ ନିଜ ପାଖରେ ରଖିଲା। ଶେଖର ବି ସେ ଦୁହିଁଙ୍କୁ ବାପା ମାଆର ମର୍ଯ୍ୟାଦା ଦେଲା।ପୁଣି ଥରେ ଶ୍ରୁତିର ଉଜୁଡା ସଂସାର ସଜାଡି ହୋଇଗଲା।ଶ୍ରୁତିର ହୃତପିଣ୍ଡ ଭିତରେ ହୃଦୟଟେ ଅଛି ଜାଣିବା ପରେ ମୋତେ ଲାଗିଲା ତା' ପାପର ପ୍ରାୟଶ୍ଚିତ ହୋଇଯାଇଛି।ତା'ପ୍ରତି ଥିବା ମୋର ସବୁଯାକ ରାଗ ଅନୁରାଗରେ ରୂପାନ୍ତରିତ ହେଉଥିଲା।



Rate this content
Log in