ପ୍ରଶ୍ନବାଚୀ
ପ୍ରଶ୍ନବାଚୀ
ଆରେ, ତୁ କାହିଁକି ଏତେ ମନେ ପଡୁଛୁ ରେ ..!!!
ଭାରି ଦୋଷୀ ଦୋଷୀ ଲାଗୁଛି ମୋତେ ।ଦିନ ପରେ ଦିନ ବିତି ଚାଲିଛି,ହେଲେ ତୁ ଆଉ ଆସୁନୁ ମୋ ଆଖି ସାମ୍ନାକୁ ।କଣ କରିବି ଭାବି ଭାବି ଦିନ ସରୁନି ତୋର ସେହି କୋମଳ ନିରୀହ ନିଛନ୍ଦ ଚକ୍ଷୁ ପଟଳ ର ଚାହାଣୀ ମୋ ଆଖି ସାମ୍ନାରେ ନାଚିଯାଉଛି,ଭାସି ଉଠୁଛି ତୋ ମୁରୁକି କଅଁଳ ଓଠର ହସ ।ମୋ ମନ ଭିତରେ ଅନେକ ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଛି,ହେଲେ ପ୍ରଶ୍ନ ର ଉତ୍ତର ଖୋଜି ପାଉନି ।ଆରେ ଚଗଲା ତୁ କାହିଁକି ମୋ ପ୍ରତି ଏମିତି ମାୟା ଲଗେଇଥିଲୁ କି ଶାନ୍ତି ପାଉ ଥିଲୁ କି ସୁଖ ଆନନ୍ଦ ପାଉଥିଲୁ ଏ ଯାଏ ମୋର ଅବୁଝା ହୋଇ ରହିଛି ।ତୁ କେବଳ ତାହା ଜାଣି ଥିବୁ ।ହେଲେ ଆଜି କେଉଁଠି ଅଛୁ କେମିତି ଅଛୁ ,ମୋତେ ମନେ ରଖିଛୁ କି ଭୁଲି ଗଲୁଣି,ଆରେ ମୁଁ ତୋର ଏବେ ମନେ ପଡୁଛି କି ନାହିଁ?ଭାବୁଛି କେବେ ଭି ମୋତେ ତୁ ଭୁଲି ନଥିବୁ ଆରେ,ନା ନା ମୁଁ ଏମତି କାହିଁ ଭାବୁଛି ଯେ, ଭୁଲି ବି ଯାଇ ଥାଇ ପାରୁ,କାରଣ ତୋ କଅଁଳ ବୟସ କଅଁଳ ମନରେ କେତେ ଚପଳାମି କେତେ ଚଗଲାମି ଧସେଇ ପସୁଥିବ ତୋ ମନ ଭିତରେ ।କେତେ ସାଙ୍ଗ ସାଥୀଙ୍କ ମେଳରେ ଦିନ କାଟୁଥିବୁ ମଜା କରୁ ଥିବୁ ।ପାଠ ତ ପଢୁଥିବୁ ନିଶ୍ଚିତ ନବମ କି ଦଶମ ଶ୍ରେଣୀରେ । କାଲି ପରି ଲାଗୁଛି ସବୁ କଥା ଗୋଟି ଗୋଟି କରି ମନେ ପଡି ଯାଉଛି ।
ଦୀର୍ଘ ଚାରିବର୍ଷ ତଳର ସେହି ଦିନର ଘଟଣା ଯେଉଁ ଦିନ ଏହି ଭୁବନେଶ୍ୱରର ଜୟଦେବ ବିହାର ଛକରେ...ରାସ୍ତା ପାରି ହେବା ସମୟରେ ଦ୍ରୁତ ବେଗରେ ତିନିଜଣ ଯୁବକ ବସିଥିବା ଏକ ମୋଟର ସାଇକେଲ ମୋ ଆଡ଼କୁ ମାଡି ଆସିଥିଲା । ତୁ ରାସ୍ତାର ଆର ପଟେ ଥାଇ ବଡ ପାଟିରେ ଚିତ୍କାର କରି କହି ଉଠିଥିଲୁ ହେ' ଭଗବାନ ରକ୍ଷା କର ବୋଲି ପ୍ରଭୁଙ୍କୁ ଆକୁଳରେ ଡାକିଥିଲୁ ସତେ ଯେମିତି କି ତୋ ନିଚ୍ଛନ୍ଦ ହୃଦୟର ଆକୁଳ ବିନତିର କରୁଣସ୍ୱର ରଡାକ ଭଗବାନ ଶୁଣି ପାରିଥିଲେ, ଏବଂ ମୁଁ ଗାଡି ଆକସିଡେଣ୍ଟରୁ ବର୍ତ୍ତି ଯାଇଥିଲି,ତା'ପରେ ମୁଁ ରାସ୍ତା ପାର ହେବା ପର୍ଯ୍ୟନ୍ତ ମୋତେ ତୁ ଅପେକ୍ଷା କରି ଏକ ଲୟରେ ଚାହିଁ ରହି ଥିଲୁ,ଏବଂ ମୁଁ ରାସ୍ତା ଏପଟେ ତୋ ପାଖରେ ପହଞ୍ଚିଲା ପରେ ତୋ କୁନି କଅଁଳସ୍ୱର ରେ କହି ଥିଲୁ ,ମ୍ୟାଡାମ କଣ ହୋଇଥାନ୍ତା ଯେ ଅପଙ୍କର ଭଗବାନ ରକ୍ଷା କରିଦେଲେ ଦେଖୁ ନାହାନ୍ତି ମାଡ ।ମ ସେ ବଦମାସ ପିଲାଗୁଡା କେତେ ଜୋର ରେ ଗାଡ଼ି ଚଳଉଛନ୍ତି , କିଛି ତ ମାନୁ ନାହାନ୍ତି ମୁଁ ତୋତେ କହି ଥିଲି ନା ବେଟା ଏତ ତାଙ୍କର ଯୁବକ ବୟସର ଉଦ୍ଧାମତା । ଭଲ ଗାଡି ଗୋଟେ ହାତରେ ପଡି ଗଲେ ଚନ୍ଦ୍ର, ଇନ୍ଦ୍ର ମାନିବେନି । ଯାହାର ଯାହା ହେଉଛି ହେଉ ତାଙ୍କର କଣ ଯାଏ ଆସେ ଯେ ।ରାସ୍ତା ଫାଙ୍କ । ଦେଖି ଏପଟକୁ ଆସିଲି ହେଲେ ସେମାନେ କେଉଁଠି କେତେ ଦୂର ରେ ଥିଲେ ମାଡି ଆସିଲେ । କିନ୍ତୁ ବେଟା ତୁମେ ମନେ ରଖିବ ତୁମେ ବଡ ହେଲା ପରେ ଯେତେବେଳେ ଗାଡି ଚଳେଇବ କେବେ ଏମତି ବଦମାସୀ କରିବନି ହେଲା !!! ତୁମେ ମୋ କଥା ଶୁଣି କହିପକାଇଥିଲ ନା ନା ମ୍ୟାଡାମ କେବେ ନୁହେଁ ମୁଁ ଏମତି ଗାଡି କେବେ ଚଳେଇବିନି। ତା ପରେ ଆମେ ସାଥୀ ହୋଇ ଚାଲିଲେ ଗୋଟିଏ ରାସ୍ତାରେ ନିଜ ନିଜର ଘର ଅଭିମୁଖେ ସେହି ଏକା ସଙ୍ଗେ ଚାଲିଚାଲି ଯିବା ଭିତରେ ତୁ ମୋତେ କିଛି ପଚାରି ଥିଲୁ ମୁଁ ତୋତେ କିଛି ପଚାରି ଥିଲି ତୋ ପରିବାର ଓ ପାଠ ପଢ଼ା ବିଷୟରେ ।ଏମିତି କଥୋପକଥନ ଭିତରେ ଚାଲୁ ଚାଲୁ ତୋ ଘର ରାସ୍ତା ଆଗେ ଆସିଥିଲା ତୁ,ମୋତେ ଵବିନମ୍ର ପ୍ରଣାମଟି ଜଣାଇ ତୋ ଘର ରାସ୍ତାଆଡ଼େ ଯିବାପାଇଁ ଉଦ୍ୟତ ହେବା ସମୟରେ ମୁଁ ତୋତେ ପ୍ରତି ନମସ୍କାର ଜଣାଇ ଭଗବାନ ତୋତେ ଆଶୀର୍ବାଦ କରନ୍ତୁ ଶୁଭେଛା ଜଣାଇବାକୁ ଭୁଲି ନଥିଲି । ତା'ପରେ ତୁ ଧୀରେ ଧୀରେ ମୋ ଆଖି ସମ୍ନାରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲୁ । ସେହି ମୁହୂର୍ତ୍ତରୁ ତୋ ପ୍ରତି ମୋର ଅନାବିଳ ସ୍ନେହ ଶ୍ରଦ୍ଧା ହୃଦୟର କେଉଁ ଏକ ସୂକ୍ଷ୍ମ କୋଣରେ ବସା ବାନ୍ଧିଲା ।ମୋତେ ଅନୁଭବ ହେଲା ସତରେ ତୁ କେଉଁ ଜନ୍ମରେ ମୋର କେହି ଆତ୍ମୀୟ ଥିଲୁ ନିଶ୍ଚୟ ।ତା ପର ଦିନ ମୁଁ ମୋ କାର୍ଯ୍ୟ କ୍ଷେତ୍ର ଜୁ ଗଲା ସମୟରେ ତୁ ଯେଉଁ ଛକରେ ତୋ ଘର ଅଭିମୁଖେ ପୂର୍ବ ଦିନ ରାସ୍ତା କାଟି ଥିଲୁ ଠିକ ସେହି ଛକରେ ମୋ ସମ୍ମୁଖରେ ହେଲୁ ଆବିର୍ଭାବ । ମୋତେ ଦେଖି ହସି ହସି ନମସ୍କାରଟି ପକାଇ କହି ପକାଇଲୁ ମ୍ୟାଡାମ ଆପଣ କାଲି କହୁ ଥିଲେ ତ ସବୁ ଦିନେ ୪ଟା ବେକେ ଆପଣଙ୍କ କାର୍ଯ୍ୟକ୍ଷେତ୍ରକୁ ଯାଆନ୍ତି ସେଥିପାଇଁ ମୁଁ ଆପଣଙ୍କୁ ଅପେକ୍ଷା କରି ଠିଆହୋଇଥିଲି ।ତୁ ସେତେବେଳ ଷଷ୍ଠ ଶ୍ରେଣୀ ରେ ପାଠ ପଢୁଥିଲୁ ।ବେଳେବେଳେ ସେହି ସମୟରେ ତୁ ଭି ଟିଉସନକୁ ଯାଉ । ସେହି ପ୍ରଥମ ଦିନରୁ ପ୍ରାୟତଃ ତୋ ସହିତ ମୋର ସବୁଦିନ ତୋ ସହିତ ମୋର ଦେଖା ହୁଏ । ଗଲା ବେଳେ ଯଦି କେବେ କୌଣସି କାରଣରୁ ନ ଦେଖା ହୋଇ ଥାଏ ତେବେ ମୁଁ ସନ୍ଧ୍ୟା ୭ ଟା ରେ ଫେରିବା ସମୟକୁ ତୁ ଅପେକ୍ଷା କରି ଠିଆ ହୋଇ ଥାଉ ।
ଆରେ ଚଗଲା ତୋର ମନେ ଅଛି ତ ସେଦିନର କଥା ତୋର ଜନ୍ମ ଦିନ ହୋଇ ଥାଏ ମୁଁ ଜାଣି ନଥାଏ ତୁ କିନ୍ତୁ ସବୁଦିନ ପରି ମୋତେ ଅପେକ୍ଷା କରି ଠିଆ ହୋଇଥିଲୁ ମୋତେ ଦେଖୁ ଦେଖୁ ବିନମ୍ର ନମସ୍କାର ଟି ପକାଇ ମୋ ହାତକୁ ଦୁଇଟି Chocolet ବଢ଼ାଇ ଦେଇ ଥିଲୁ ମୁଁ ଆଶ୍ଚର୍ଯ୍ୟ ହୋଇ ତୋତେ ପଚାରି ଥିଲି ଚକଲେଟ କେଉଁ ଖୁସିରେ ଆଜି ? ତୁ ହସି ହସି କହିଥିଲୁ ଆଜି ପରା ମୋର ଜନ୍ମ ଦିନ, ମୁଁ ତୋତେ ରାଗ ଅଭିମାନ ମିଶା କଣ୍ଠରେ କହିଥିଲି ଆରେ ଦୁଷ୍ଟ ମୁଁ ଆଜି ଠାରୁ ଆଉ ତୋ ସହିତ କଥା ହେବିନି କାରଣ କାଲି ଠାରୁ ଯଦି କହି ଥାନ୍ତୁ ତେବେ ମୁଁ ତୋ ପାଇଁ କିଛି ଗୋଟେ ଗିଫ୍ଟ ଆଣି ଥାନ୍ତି ।
ହେଲେ ତୁ ଆଜି କହୁଚୁ ମୋ ମନ ବହୁତ ଖରାପ ହେଲା ମୋର ତୋ ସହିତ ଆଜି ଠାରୁ କଟି କଟି କଟି । ତୁ ଆଖି ଛଳ ଛଳ କରି କହି ପକାଇ ଥିଲୁ ନା ମ୍ୟାଡାମ ଆପଣ ମୋ ସବିତା କଟି କଲେ ନା ମୁଁ ମରି ଯିବି । ମୋର ଆଉ କିଛି ଦରକାର ନାହିଁ କେବଳ ଆପଣଙ୍କ ଆଶୀର୍ବାଦ ମୋର ଲୋଡ଼ା । ମୁଁ ତୋ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କରି କହିଥିଲି ଭଲ ପାଠ ପଢି ଭଲ ମଣିଷ ହେବୁ ବାପା ମା’ଙ୍କ ନାମକୁ ରୋଶନ କରିବୁ । ସମାଜରେ ଜଣେ ଭଲ ମଣିଷ ହେବା ଜୁ ସବୁବେଳେ ଚେଷ୍ଟା କରିବୁ । ସଂଗେ ସଂଗେ କହି ପକାଇଥିଲୁ ହଁ ମ୍ୟାଡାମ ମୁଁ ନିଶ୍ଚୟ ଭଲ ପାଠ ପଢି ଭଲ ମଣିଷ ହେବାକୁ ଚେଷ୍ଟା କରିବି । ଆରେ ବେଟା ଶୁଣ ମୋ ମ୍ୟାଡାମ ନ ଡାକି Aunty ଡାକିଲେ ଖୁଵ ଖୁସି ହେବି । ତୁ କିନ୍ତୁ ଜିଭ କାମୁଡି କହି ପକାଇଥିଲୁ ନା ନା ମୁଁ ଆଣ୍ଟି ଡାକିବିନି ଆପଣଙ୍କୁ ।
ସେଦିନର ସେହି ମୁହୂର୍ତ୍ତରେ ତୋ ମୁହଁର ଭାବଭଙ୍ଗୀ ଓ କହିବାର ଠାଣି ଆଜିଯାଏ ମୋ ସଜଳ ନୟନରେ ଜକ ଜକ ଦିସୁଛି । ପ୍ରଥମ ସାକ୍ଷାତ ଠାରୁ ଲଗାତାର ଦୁଇବର୍ଷ କାଳ ତୁ ମୋ ପଥ ଚାହିଁ ଏଜ ନିର୍ଦ୍ଧିଷ୍ଟ ସମୟରେ ନିର୍ଦ୍ଧିଷ୍ଟ ସ୍ଥାନରେ ମୋ ଆସିବା ବାଟକୁ ଅପେକ୍ଷା କରି ଜଗି ରହି ଥାଉ । ମୋତେ ଦୂରରୁ ଦେଖି ତୋ କଅଁଳ ମୁହଁରେ ହର୍ଷିତ ବଦନରେ ମୋତେ ଏକ ଲୟରେ ଚାହିଁ ରହିଥାଉ ଏବଂ ତୋ ପାଖରେ ପହଞ୍ଚି ଗଲେ ନମସ୍କାର ଟି ପକାଇ ମୋ ସାଥିରେ ପାଦ ରେ ପାଦ ମିଶାଇ ଆଗକୁ ଚାଲୁ ।ତାପରେ ତୁ ତୋ ରାସ୍ତା ମୁଁ ମୋ ରାସ୍ତାରେ ବାଟ ଭାଙ୍ଗି ଚାଲି ଯାଅ । ଏମିତି ଦେଖା ସାକ୍ଷାତ ଆମର ନିତି ଦିନିଆ ପରିଣତ ହୋଇ ଯାଇ ଥାଏ ଯେବେ ମୁଁ ଗଲାବେଳେ ତୋ ସହିତ ଦେଖା ହୋଇ ନ ଥାଏ ତେବେ ତୁ ମୋ ଫେରିବା ବେଳକୁ ନିଶ୍ଚୟ ମୋ ବାଟ ଜଗି ଠିଆ ହୋଇ ଥାଉ ଓ ଦେଖୁ ଦେଖୁ କହି ପକାଉ ଆଜି ମୋର ଟିଉସନ ଜଲଦି ଥିଲା ତ ମ୍ୟାଡାମ ସେଥିପାଇଁ ମୁଁ ଜଲଦି ଆଜି ପଳେଇ ଥିଲି ।ଆପଣଙ୍କୁ ନ ଦେଖି ମୋ ମନ ଆଜି ବିଲକୁଲ ଭଲ ନଥିଲା ଯାହାହେଉ ଦେଖା ହୋଇଗଲା ଖୁଵ ଖୁସି ଲାଗିଲା ।ମୁଁ ତୋର ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଏ । ଏବଂ ତୋତେ କହେ ଆରେ ବେଟା ପାଠ ପଢ଼ାରେ ମନ ଦିଅ କାହିଁକି ସମୟ ନଷ୍ଟ କରୁଚ ।
ଏମତି ନିତି ଦିନିଅ ଘଟଣା ଭିତରେ ମୋତେ ଏମତି ଚମକାଇ ଦେଉ କଥା କହୁ ଯେ ମୁଁ ତୋ କଥା ଶୁଣି ବିସ୍ମିତ ହୁଏ । ମୋତେ ତୋର ଏତେ ସନମାନ ବୋଧ ପଣରେ ଭି କେଉଁଠି ଏକ ପିଲା ଲିଆମୀର ଉଦ୍ଧାମତାର ଉର୍ଦ୍ଧ୍ଵକୁ ଯାଇ ସାଙ୍ଗ ପରି କଥା କହିବା ଆରମ୍ଭ କରି ଦେଇଥାଉ । ମୋ ଶାଢ଼ୀ ଡ୍ରେସ ପିନ୍ଧିବା ଠାରୁ ଗହଣା ପିନ୍ଧିବା ଯାଏ ସବୁ ଯେମିତି ତନ ତନ କରି ପରଖି ଯାଉ କେଉଁ ଶାଢ଼ୀ କେମିତି ମାନୁଛି ,କେଉଁ ଗହଣା କେମିତି ଦିଶୁଛି ସବୁ ର ତର୍ଜମା ତୋ ମୁହଁରେ ମୁଁ ଭାବି ପାରେନି ତୋର ଏ ଚଗଲାମୀର କାରଣ କଣ ।ବିଶ୍ୱାସ ଭି କରି ହୁଏନି ଏତେ ଛୋଟ ପିଲା ଏତେ ସନମାନ ଆଦର ଭକ୍ତି ଭିତରେ ବି ଏମତି କାହିଁକି ସାଙ୍ଗ ପାରି ବ୍ୟବହାର କରୁଚୁ ।
ତୋ ବଦମାସୀ ଦେଖି ଗାଳି ଦେବା କୁ ଇଛା ହେଲେ ବି ଗାଳି ଦେଇ ପାରେନି କି କିଛି କହି ପାରେନି ,କାରଣ ତୋ ନିରୀହପଣ ଓ ତୋର ଏତେ ସ୍ନେହ ଭଲ ପାଇବା ଦେଖି ତୋ କୋମଳ ହୃଦୟ ରେ ଆଘାତ ଦେବାକୁ ମୋ ବିବେକ ମୋତେ ବାଧା ଦିଏ ।କେବଳ ତୋ କଥା ଶୁଣି ସ୍ମିତ ହାସ୍ୟ ଟିଏ ଦେଇ ମୁଁ ଚାଲି ଯାଏ ।
ଏବେ ବି ମନେ ପଡେ ଦିନକର କଥା ମୋ କାର୍ଯ୍ୟ କ୍ଷେତ୍ରରୁ କାମ ସାରି ଏକ ଜନ୍ମ ଦିନ ପାର୍ଟିରେ ଯୋଗ ଦେଇ ଘରକୁ ଫେରି ବାର ଥାଏ ତେଣୁ ମୁଁ ସେଦିନ ଘରୁ ଭଲ ଭାବେ ପ୍ରସ୍ତୁତି ହୋଇ ସଜେଇ ହୋଇ ଗହଣା ଲଗାଇ ପାଟ ଶାଢ଼ୀ ଟିଏ ପିନ୍ଧି ବାହାରି ପଡି ଥାଏ ।ସବୁ ଦିନ ପରି ସେଦିନ ମଧ୍ୟ ତୋ ସହିତ ମୋର ଦେଖା ହେଲ । ମୋତେ ଦେଖୁ ଦେଖୁ ତୁ ଚମକି ପଡ଼ିଲୁ,ତୋ ନିଜ ମଥା ରେ ହାତ ପିଟି ପକାଇ କହି ପକାଇଲୁ ହେ ଭଗବାନ ! ମୁଁ ତୋତେ ଦେଖି ପଚାରିଲି ଆରେ କଣ ହେଲା କିରେ?ଫଟ କିନା କହି ପକାଇଲୁ ଆପଣ ଆଜି କେତେ ସୁନ୍ଦର ଦିଶୁଛନ୍ତି ।ଆଜି ଅପଙ୍କ ପଛରେ ଚୋର ପଡି ଯିବେ । ସେ ହାରଟିକୁ ଶାଢ଼ୀ ତଳେ ଲୁଚାଇ ଦିଅନ୍ତୁ । ନ'ହେଲେ ଚୋର ଆପଣଙ୍କ ହାର ଛିଡାଇ ନେଇ ଯିବ । ମୁଁ କହିଲି ଆରେ ଚଗଲା ତୁ ବଡ ଦୁଷ୍ଟ ହେଲୁଣି ,ଆସୁ ଚୋର ମୁଁ ପୋଲିସକୁ ଡାକି ଦେବିନି । ତୁ ମୋ କଥା ଶୁଣି ହସି ଦେଉଥିଲୁ ଏହି ସମୟରେ ତୁ ମୋତେ ମୋର ଫୋନ ନମ୍ବର ଟି ମଧ୍ୟ ମାଗି ଥିଲୁ । ତୋତେ କାଲି ନମ୍ବର ଦେବି କହି ତର ତରରେ ଚାଲି ଯାଇ ଥିଲି ।ତା ପର ଦିନ ଘରୁ ଆସିବା ସମୟରେ ଘରୁ ଏକ ଛୋଟ କାଗଜରେ ମୋ ମୋବାଇଲ ନମ୍ବରଟି ଲେଖି କି ଆଣିଥିଲି ତୋତେ ଦେବା ପାଇଁ ,ମୁଁ କିନ୍ତୁ ଆସିଲା ବେଳକୁ ଦେଖିଲି ତୁ ସେଠାରେ ନାହୁଁ ସବୁଦିନ ପରି ସେଦିନ ଆଉ ଠିଆ ହୋଇ ନ ଥିଲୁ ଭାବିଲି କାଳେ ଅସୁଥିବୁ ତୋ ଘରଆଡ଼ ଆସିବା ରାସ୍ତାକୁ ଚାହିଁଲି ହେଲେ ତୋତେ ଦେଖି ପାରିଲିନି ଭାବିଲି ଫେରିବା ବେଳକୁ ଦେଖା ହେଲେ ନମ୍ବରଟି ତୋତେ ଦେବି । କିନ୍ତୁ ଫେରିବା ବେଳକୁ ଦେଖିଲି ତୁ ମଧ୍ୟ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ମୋତେ ଅପେକ୍ଷା କରି ଠିଆ ହୋଇନୁ ।ଯେବେ ଗଲା ବେଳେ ଠିଆ ହୋଇ ନ ଥାଉ ମୋ ଫେରିଲା ବେଳକୁ ନିଶ୍ଚୟ ଠିଆ ହୋଇ ଥାଉ । ହେଲେ ଆଜି କୁଆଡେ ଗଲୁ ବୋଲି ଭାବି ଭାବି ଘରେ ଯାଇ ପହଁଚିଲି ।ଘରେ ମୋ ସ୍ବାମୀ ଅଫିସରୁ ଫେରି ମୋତେ ଅପେକ୍ଷା କରି ରହିଛନ୍ତି ,ଘରେ ପାଦ ଦେଉ ଦେଉ କହିଲେ ଆଛା ଶୁଣ ଜିନିଷ ପତ୍ର ସବୁ ପ୍ୟାକିଙ୍ଗ କର ମୋର ଡେ଼ପୁଟେସନରେ ଦିଲ୍ଲୀ ଯିବାରେ ଅଛି ।ତେଣୁ ରବିବାର ଦିନ ଭୁବନେଶ୍ୱର ଛାଡିବାକୁ ହେବ । ଆଜି ଯିବା ଟିକକ କରି ଦେଇଛି । ହାତରେ ଆଉ ମାତ୍ର ୪ ଦିନ ଯିବା ପାଇଁ ପ୍ରସ୍ତୁତିରେ ଲାଗିପଡ଼ ମୁଁ କହିଲି ହଉ ଠିକ ଅଛି ।ତାପରେ ଆରମ୍ଭ ହେଲା ପ୍ରସ୍ତୁତି ପର୍ବ । ତା ପରଦିନ ମୋ କାର୍ଯ୍ୟ କ୍ଷେତ୍ର କୁ ଯିବା ସମୟରେ ତୋତେ ଦେବା ପାଇଁ ଫୋନ ନମ୍ବର ଲେଖା ଥିବା କାଗଜ ଟିକୁ ହାତରେ ଧରି ଦୂରରୁ ତୋତେ ନିରୀକ୍ଷଣ କରୁଥାଏ କାଳେ ଠିଆ ଭାରି ଖୁସି ମନରେ ଚାଲିଥାଏ ,ତୁ ଦେଖା ହେଲା ପରେ ତୋତେ ମୋ ଦିଲ୍ଲୀ ଯିବା କଥା କହିବି ତୁ କଣ reaction କରିବୁ କେତେ କଣ ଭାବି ଭାବି ଯାଉ ଥାଏ ହେଲେ ସେଠି ପହଞ୍ଚୁ ଦେଖିଲି ପୂର୍ବ ଦିନ ପରି ସେଦିନ ବି ତୁ ସେଠି ନାହୁଁ । ଏମିତି ଏମତି ରେ ୪ଦିନ କଟିଗଲା । ତୋତେ ମୁଁ ଆଉ ଦେଖି ପାରିଲିନି ।କିନ୍ତୁ ତୋ ଅନୁପସ୍ଥିତିକୁ ଗଭୀର ଭାବେ ଅନୁଭବ କରୁଥାଏ । ତୋର କଣ ଅସୁବିଧା କିଛି ହେଲା କି ବୋଲି ମନ ଖାଲି ଗୋଳେଇ ଘାଣ୍ଟି ହେଉ ଥାଏ ।ହେଲେ ତୋର କିଛି ଖବର ପାଉ ନଥଏ ।ତୋ ଘର ମଧ୍ୟ ମୁଁ ଦେଖି ନ ଥାଏ ତେଣୁ ତୋତେ କେମିତି ବା ଦେଖା କରି ଥାନ୍ତି !!!! ବହୁତ ମନସ୍ଥାପରେ ତୋତେ ଦେଖା ନ କରି ମୁଁ ଦିଲ୍ଲୀ ପଳାଇଲି । ଦିଲ୍ଲୀ ରେ ରହଣି ଭିତରେ କେତେ ଯେ ତୋ ଅନୁପସ୍ଥିତି ଅନୁଭବକରେ ତୁ ବୁଝି ପାରିବୁନି ତୋର ସେ ହସ ହସ ମୁହଁ ଚଗଲାମି କଥା ହାତ ଯୋଡ଼ା ବିନମ୍ର ପ୍ରଣାମ ଓ କେମିତି ମୁରୁକି ହାସ୍ୟ ବଦନରେ ମୋତେ ଏକଳୟରେ ଦୂରରୁ ଚାହିଁ ଠିଆ ହୋଇ ଥାଉ ,ସବୁ ଗୋଟି ଗୋଟି ମୋର ମନେ ପଡି ଯାଉଛିରେ ଚଗଲା ।
ସତରେ ଚଗଲା ମୁଁ ନିଜକୁ ଭାରି ଅପରାଧୀ ଟି ପରି ମନେ କରୁଛି ମନ ବହୁତ କଷ୍ଟ ହେଉଛି ,ଯଦି ସେଦିନ ତୋତେ ମୋ ଫୋନ ନମ୍ବର ଟି ଦେଇଥାନ୍ତି ତୁ ନିଶ୍ଚୟ ମୋତେ ଫୋନ କରି ଥାନ୍ତୁ କିଛି ଅସୁବିଧା ହୋଇଛି ବୋଲି ଜଣାଇ ପାରି ଥାନ୍ତୁ ।କିମ୍ବା ମୁଁ ଭି ଯଦି ତୋ ନମ୍ବର ରଖିଥାନ୍ତି ତୋତେ ଫୋନ କରି ତୋର ଭଲ ମନ୍ଦ ବୁଝି ଥାନ୍ତି ।ମୁଁ ଦିଲ୍ଲୀ ରୁ ଫେରି ତୋତେ କେତେ ଖୋଜିଛି ଏବେ ମଧ୍ୟ ଖୋଜୁଛି ହେଲେ ତୋର କିଛି ଖବର ପାଉନି । ଆଜି କୁ ପାଞ୍ଚ ବର୍ଷ ବିତିଗଲାଣି ।ଦିଲ୍ଲୀ ରେ ଦୁଇ ବର୍ଷ ରହଣି ପରେ ଭୁବନେଶ୍ୱର ଫେରିଲା ପରେ ଭାବି ଥିଲି ତୋ ସହିତ ଦେଖା କାଳେ ହୋଉ ପାରିବ ମାତ୍ର ଦିନ ପରେ ଦିନ ଗଡି ଚାଲିଛି ,ମୋ ଚଗଲା ର ଦେଖା ନାହିଁ ଆଉ ଦେଖା ହେବ ବୋଲି ମୋ ମନରେ ବିଶ୍ୱାସ ବି ଆଉ ନାହିଁ । କିନ୍ତୁ ଠାକୁରଙ୍କୁ ଡାକୁଛି ତୁ ଯେଉଁଠି ଥା ଖୁଵ ଭଲରେ ଥା’ ।ଖୁସିରେ ଥାଆ ,ସୁଖରେ ଥାଆ ।
ହେଲେ ଚଗଲା ତୋ ପାଇଁ ମୋ ମନରେ ଅନେକ ପ୍ରଶ୍ନ !!!!ଆରେ ଚଗଲା ତୁ କଣ ତୋ ପ୍ରିୟ ମ୍ୟାଡାମ ଉପରେ ଅଭିମାନ କଲୁ କି? ତୋତେ ସେଦିନ ମୁଁ ଫୋନ ନମ୍ବର ଦେଇ ନଥିଲି ବୋଲି, ରାଗ ଅଭିମାନରେ ଆଉ ମୋତେ ଦେଖା ଦେଲୁନି ? ନା ମ’ ତୁ କଣ ଏମିତି କରି ପାରିବୁ ? ତୁ ମୋତେ ଏତେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଅଜାଡି ଥିଲୁ,ମୋତେ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଥିଲୁ ।ଲଗାତାର ମାସେ ନୁହେଁ ୨ମାସ ନୁହେଁ , ଦୀର୍ଘ ଦୁଇ ବର୍ଷ କାଳ ମୋତେ ନିତି ଚାତକ ପରି ଅପେକ୍ଷା କରି ଠିଆ ହୋଇ ଥାଉ ।ସାମାନ୍ୟ ଫୋନ ନମ୍ବର ଟି ସେଦିନ ଦେଲିନି ତର ତରରେ ପଳାଇଲି ବୋଲି କଣ ତୁ ଏମିତି ମୋତେ ଭୁଲି ଗଲୁ ।
ଆରେ ଚଗଲା ତୋର କିଛି ଅସୁବିଧା ହୋଇନି ତ?
ଯେଉଁ ଦିନ ମୋ ସହିତ ତୋର ଶେଷ ଦେଖା ହୋଇ ଥିଲା ,ସେଦିନ ତୋ ଦେହ ଟିକେ ଭଲ ନଥିଲା ବୋଲି କହୁଥିଲୁ ,ଏବଂ ଫୋନ ନମ୍ବର ମଧ୍ୟ ମାଗି ଥିଲୁ ,ହେଲେ ମୁଁ ଚଣ୍ଡାଳୁଣୀ କଣ ଜାଣିଥିଲି ,ତୋ ସହିତ ସେଦିନ ମୋର ଶେଷ ଦେଖା ବୋଲି । ଆଜି ପାଞ୍ଚ ବର୍ଷ ପରେ ସେ କଥା ମୋ ମନକୁ ବାର ବାର ବିବ୍ରତ କରୁଛି ଅପରାଧୀ ପରି ମନେ ହେଉଛି । ସତରେ ମୁଁ ବଡ ଅନୁତପ୍ତ । ସେଦିନ ମୋ ପାଇଁ ବଡ ଦୁର୍ଭାଗ୍ୟ ର ଦିନ ଥିଲା ବୋଧ ହୁଏ ।ସେଦିନ ଯଦି ତୋତେ ମୁଁ ନମ୍ବର ଟି ଦେଇ ଥାନ୍ତି କିମ୍ବା ତୋ ନମ୍ବର ଟି ମାଗି ଆଜି ଏମତି ଅନୁତପ୍ତର ବହ୍ନିରେ ଜଳି ନ ଥାନ୍ତି କି ତୋତେ ନ ଦେଖି ଏମତି ଝୁରି ହୁଅନ୍ତିନି । ଆଜି ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ତୁ କାହିଁକି ମୋ ସହ ଏମିତି ମାୟା ଲଗେଇ ଥିଲୁ, ଏତେ ମୋତେ ଭଲ ପାଉଥିଲୁ ଏବଂ. କାହିଁକି ମୋ ଠାରୁ ଦୂରେଇ ଗଲୁ କେଉଁଠି ଅଛୁ ,କିପରି ଅଛୁ? ଏହାର ଉତ୍ତର କେବେ ବି ମୁଁ ଖୋଜି ପାଉନି ଆଜି ଯାଏ......
ମନରେ ଗୁଡ଼ାଏ ଅସମାପ୍ତ ପ୍ରଶ୍ନବାଚୀ......!!
ଅମ୍ବିକା ସ୍ଵାଇଁ ଭୁବନେଶ୍ୱର ୯୭୭୭୫୯୯୬୯୫