ପିଲାଦିନ - 2
ପିଲାଦିନ - 2
ପିଲାଦିନ କଥା ପଡିଲେ ସମସ୍ତଙ୍କ ମନରେ ସେଇ ଆମକୁ ପାଞ୍ଚସାତ ବୟସରୁ ମନେ ପଡୁଥିବା ବିଭିନ୍ନ ଘଟଣା ଗୁଡିକର ଚିତ୍ର ମାନସପଟକୁ ଆସିଯାଏ। ଆମଗାଁ ପୋଖରୀ , ନଇନାଳ ,ପାହାଡ,ବିଲବନ, ତୋଟା ,ରାସ୍ତା,ସ୍କୁଲ, ସେତେବେଳର,ଦୋକାନ, ବଜାର, ହାଟ, ଡ଼ାକ୍ତରଖାନା ଇତ୍ୟାଦି କଥା ମନରେ ଉଙ୍କିମାରେ। ଯେପରିକି ରାତି ପାହିଲେ ସେଇ ପ୍ରାତଃକର୍ମ ସାରି ଟ୍ୟୁସନ ଯିବା ନଚେତ ବହିଖାତା ଧରି ପଢା ଆରମ୍ଭ। ସାଢ଼େ ଆଠଟା କିମ୍ବା ନ'ଟା ବାଜିଲେ ଆଠଦଶ ଜଣ ସାଙ୍ଗ ହୋଇ ଗାଁ ପୋଖରୀକୁ ଗାଧୋଇ ଯିବା। ପାଖରୀରେ ଗାଧୁଆ ପ୍ରାୟ ଅଧଘଣ୍ଟା ଯାଏ ଚାଲେ। ଏ ଅଧଘଣ୍ଟା ମଧ୍ୟରେ ପାଣିଭିତରେ ତଳ ଉପର ,ବିଭିନ୍ନ ପ୍ରକାର ପହଁରା ଯଥା-ଚିତିପହଁରା, ବୁଡାପହଁରା,ଠିଆପହଁରା ଇତ୍ୟାଦିର କସରତ। ସକାଳ ୯ଟାରେ ସକାଳ ଖିଆ ସାରି ପୁଣି ଜଳଖିଆ ବକ୍ସରେ ବୋଉ ଦେଇଥିବା ଖରାବେଳ ପାଇଁ ଭୋଜନ ଧରି ସ୍କୁଲ ପ୍ରାର୍ଥନାଶ୍ରେଣୀରେ ହାଜର ଠିକ ଦଶଟାରେ । ବୋଉ ହାତରାନ୍ଧଣାର ତ ତୁଳନା ନାହିଁ। ପୂର୍ବରୁ କହିଛି । ପୁଣି ଚାରିଟା ବାଜିଲେ ଗାଁକୁ ଫେରି ବହି ବସ୍ତାନୀ ଘରେ ରଖିଦେଇ ସାଙ୍ଗ ମେଳରେ ନଈ ତୋଟାରେ କିମ୍ବା ପୋଖରୀ ହିଡରେ ହାଜର । ଡାଳ ମାଙ୍କୁଡ଼ି , କବାଡି , ବୋହୁ ଚୋରୀ , ବସାଉଠା ଆଦି ଖେଳର ମଜା ଏଇ ଯେପରୀ କାଲିର ଘଟଣା। ସନ୍ଧ୍ୟାବେଳେ ଲୁଚକାଳି ଖେଳବେଳେ କାହା ଦାଣ୍ଡଘର କବାଟ କୋଣେ, ଛାତଉପରେ ଲୁଚିଥିବା ସମୟରେ ଧରାପଡି ଗଲେ ଅନୁରୂପ ଢଙ୍ଗରେ ସାଙ୍ଗମାନଙ୍କୁ ଖୋଜିବହାର କରିବା ଖେଳ। ଅଷ୍ଟମଶ୍ରେଣୀ ପଢିବା ପାଇଁ ପୋଲସରା ଯିବାରୁ ବଡବଡ଼ ବଲ ଧରି ପିଲେ ଭଲି ଓ ଫୂଟବଲ ଖେଳିବା ଦେଖିଲି। ପିଲାଦିନେ ଆମେ ଗାଁ ପିଲଙ୍କା ପଢ଼ା କଥା ନ କହିବା ଭଲ। କାଁ ଭାଁ ଜଣେ କିମ୍ଵା ଦୁଇଜଣ ପିଲା ଭଲ ପଢ଼ନ୍ତି ବାକି ଅନ୍ୟମାନେ ଫେଲ ହେଲେ ସୁରାଟ କିମ୍ଵା ମୁମ୍ବାଇ ଯାଅ ନତୁବା ବାପାଙ୍କ ସାଥିରେ ଚାଷକାମରେ ଲାଗି ଯାଅ। ଆମସମୟର ଝିଅ ଓ ଭଉଣୀଙ୍କ ପାଇଁ ପାଠପଢା ସ୍ବପ୍ନ ଥିଲା । ଅଶିଦଶକ ଆରମ୍ଭ ରେ ଆମ ବୁଢେଇଶୁଣି ଗାଁଟି ସମ୍ପୂର୍ଣ ଚାଳଛପର ରେ ପୁର୍ଣ ଥିଲା। ସମକାଳୀନ ସବୁଗାଁ ମାନଙ୍କର ଅବସ୍ଥା ସେୟା । ଜୋତା କହିଲେ ହଳେ। ଆମେ ଚାଷୀ ଘର ପିଲାଙ୍କ ପାଇଁ ଗରିବୀଟା ଯେପରି ଅଭିଶପ୍ତ । ଦିହକୁ ପୋଷାକ ମାନେ ପେଣ୍ଟ ଓ ସାର୍ଟ ହଳେ । ଥିଲାବଲାଙ୍କ ଦୁଇଚାରି ହଳ ଥାଏ। ଆମମାନଙ୍କ ପାଇଁ ଜଳଖିଆ ଥିଲା ସାତ ସପନ। ମୁଁ କଲେଜ ଯିବାଯାଏ କୌଣସି ହୋଟେଲ ପିଣ୍ଡା ମାଡି ନଥିଲି । ପିଲାଦିନେ ହାତଖର୍ଚ୍ଚ ମାଗିଲେ ବୋଉ ପାଞ୍ଚପଇସିଟିଏ ଧରେଇ ଦେଇ କହେ ଯା ଦାନ୍ତକିଲି ଖାଇବୁ। ପୁଣି ଯଦି ଭାଇଭଉଣୀ ଦେଖି ନିଅନ୍ତି ସେଥିରୁ ଅଧା ନିଶ୍ଚିତ ଦେବାକୁ ହେବ। ଆଜିକାଲି ଛୁଆମାନେ ସନ୍ଧ୍ୟାବେଳେ କଣ ଖାଇବାକୁ ଇଛା ହେଲେ ସିଧା ମମିଠୁ ଶହେଟଙ୍କା ନେଇ ଚାଟ, ଚୌମିନ, କିମ୍ବା ଫାଷ୍ଟଫୂଡ଼ ଦୋକାନରେ ଠିଆ। ଆମେପିଲାଦିନେ ବୋଉକୁ କଣ ଖାଇବାକୁ ମାଗିଲେ ମୁଢି , ଭଜାବାଦମ , ମଟର ଭଜା କିମ୍ବା ଖୁଦଭଜାରୁ ମୁଠେ ଧରେଇ ଦେଇ ତା ଘର କାମରେ ଲାଗିଯାଏ । ଆମିଷ କଥାକହିଲେ ବର୍ଷାଦିନେ ନଇ , ନାଳ କିମ୍ବା ପୋଖରୀରୁ ବାପା କେବେ କେମିତି ମାଛଧରି ଆଣିଲେ ମିଳୁଥିଲା।ବେଳେବେଳେ ଚୁନାମାଛ ଦାଣ୍ଡକୁ ବିକା ଆସିଲେ ବୁଢ଼ୀମା ତା କରାଟରୁ ଟଙ୍କେ ଦିଟଙ୍କା ବାହାର କରି କିଣିବା ମୋର ଝାପ୍ସା ମନେହେଉଚି। ବର୍ଷକୁ ଥରେ ମାତ୍ର ଗହ୍ମାପୂର୍ଣ୍ଣିମା ଦିନ ହିଁ ମାଂସ ଟିକେ ଖାଇବାକୁ ମିଳୁଥିଲା। ଆମର ବାର୍ଷିକ ବିଦ୍ୟାଳୟ ପଢାଖର୍ଚ୍ଚ ଅତିବେଶୀରେ ଦୁଇଶହ ଟଙ୍କା ଭିତରେ ସୀମିତ ଥିଲା । ଏପରିକି ମାସିକ ଫି ଚାରିଟଙ୍କା ଦେଇନପାରି ଅନେକ ପିଲା ପାଠ ଛାଡିଦେଉଥିଲେ। ଆଜିକାଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢିଲେ ଆମ ଓଡ଼ିଶାରେ ବାର୍ଷିକ ଏକଲକ୍ଷରୁ ଅଧିକ ହେବା ଏକ ସାଧାରଣ କଥା। ଆମେ ପିଲାଦିନେ ଘରେ ପ୍ରତ୍ୟହ ଜଳଖିଆ ନଥିଲା । ଯାହା ପୂଜାପାର୍ବଣ ହେଲେ ବିଭିନ୍ନ ପ୍ରକାର ପିଠାପଣା ହୁଏ। କାହା ଘରେ ବିଧବା ବୁଢୀମା ଥିଲେ ମାସକୁ ଦୁଇଥର ଏକାଦଶୀ ତିଥିରେ ତାଙ୍କ ଭୋଜନ ପାଇଁ ଉପମା ପ୍ରସ୍ତୁତ ହୁଏ। ବୁଢ଼ୀମା ଖାଇବସିଲେ ଆମେ ନାତିନାତୁଣୀ ମାନେ ତାକୁ ଚାରିପଟୁ ଘେରିଯାଉ ଏବଂ ସେ ଆମ ପାଟିରେ ମେଞ୍ଚେ ଉପମା ପୁରେଇଦେଲେ ଆମେ ତାକୁ ମହାପ୍ରସାଦ ପାଇଲାଭଳି ଖୁସିରେ ଦାଣ୍ଡ ବାଡିକୁ ଦୌଡୁଥିଲୁ। ବୁଢ଼ୀମା ମଠାପିନ୍ଧି ଖାଇ ବସିଲେ ଆମକୁ ଛୁଇଁବାକୁ ବାରଣ କରି କହିଲେ ବି ଆମେ ଚିଲେଇବାକୁ ଯାଇ ତା କାନ୍ଧରେ ଝୁଲିପଡୁ ଏବଂ ସେ ହସିହସି ଗଡିଯାଉଥିଲା। ଘରେ ବୁଢ଼ୀମାର କ୍ଷମତା ସବୁଠାରୁ ଅଧିକ ଥିଲା।ବାପା , ବୋଉ , କକେଇ ,ଖୁଡି, ଇତ୍ୟାଦି ସମସ୍ତେ
ବୁଢ଼ୀମା ଟି କୁ ଡରୁଥିଲେ। ବୋଉ ଆମକୁ ମାରିବାକୁ ଆସିଲେ ଆମେ ବୁଢ଼ୀମା ପଣତ କାନିରେ ଲୁଚିଯାଉଥିଲୁ। ଏଇ ବୁଢ଼ୀମା ଟା ପଇସା କୋଠୁ ଆଣେ କିଏ ଜାଣେ ଆମେ କିନ୍ତୁ ଅଳିକଲେ ତା କରାଟରୁ ପଇସା ବାହାରକରି ଆମପାଇଁ ଗୁଡିଆ ଦୋକାନରୁ ମୁଢି କିଣିଦେଉଥିଲା। ବୁଢ଼ୀମା ଚାଲିଲେ ତା କରାଟରେ ଥିବା ପଇସା ଝମଝମ ହୁଏ । ବୁଢା ବାପାଙ୍କୁ ଦେଖିନାହୁଁ । ଦଦେଇଙ୍କୁ ଚଉଦବର୍ଷ ,ବାପାଙ୍କୁ ଆଠବର୍ଷ , ଏବଂ କକେଇଙ୍କୁ ତିନିବର୍ଷ ହୋଇଥିଲା ବେଳେ କୁଆଡେl
ବୁଢାବାପା ସ୍ୱର୍ଗବାସରେ ବୋଲି ବୋଉଠାରୁ ଶୁଣିଥିଲି। ସାଙ୍ଗହୋଇ ମାସକୁ ଥରେ ଦୁଇଥର ନିଶ୍ଚିତ ଗାଁ ପୂର୍ବ ଦିଗରେ ଥିବା ପାହାଡ ଉପରକୁ ଯାଇ ଗାଁର ପ୍ରାକୃତିକ ଦୃଶ୍ୟ ଉପଭୋଗ କରୁଥାଉଁ। ମୁଁ ବାପାଙ୍କୁ ଥରେ ଜିଦ କରିଥିଲି ତାଙ୍କ ସହିତ ଆଖୁ ପଦରକୁ ଭାଡ଼ିଶୋଇ ଯିବାପାଇଁ। ବାପା ହାତରେ ଠେଙ୍ଗା,କାତି,ଲଣ୍ଠନ ନେଇ ଆମେ ଭାଡ଼ି ଶୋଇ ଯିବା କଥା ମୋର ଏଯାଏ ମନେ ଅଛି।
ଭାଡ଼ିଶୋଇବାର ଏକ ନିଆରା ଅନୁଭୂତି ଅଛି। କେବଳ ଅନୁଭବୀହିଁ ଜାଣେ। ସେଦିନ ରାତିର ବିଲୁଆ ରାବ ଶୁଣି ମୁଁ ତ ପୁରା ଡରି ଯାଇଥିଲି । ମୋତେ ଆଠ ବର୍ଷ ହୋଇଥାଏ। ବୁଗୁଡା ସହରକୁ ଅମର ସର୍କସ ଆସିଥାଏ । ଗାଆଁରୁ ଆମେ ପ୍ରାୟ ପିଲାବଡ ମିଶି କୋଡିଏରୁ ଉର୍ଧ୍ବ ବ୍ୟକ୍ତି ସର୍କସ ଦେଖିବାକୁ ବୁଗୁଡା ସହରକୁ ଚାଲିଚାଲି ଯାଇଥାଉ। ଆସିଲାବେଳେ ଅନ୍ଧାର ରାତି। ଜଣେ କେହି ହାତରେ ଟାୟାର ଜାଳି ଆଗେ ଆଗେ ଯାଉଥାନ୍ତି । ହଠାତ ମା ଭାଲୁଟିଏ ତାର ଦୁଇ ଛୁଆ ଭାଲୁଙ୍କୁ ଧରି ରାସ୍ତା ପାରହେବା ଆମ ଦଳରେ ଆଲୋଡନ ସୃଷ୍ଟିକଲା। ବୟସ୍କମାନେ ଛୁଆ ମାନଙ୍କୁ କାନ୍ଧ ଉପରକୁ ଉଠାଇ ନେଲେ । ହାତରେ ଠେଙ୍ଗାଟି ମାନ ଧରି ସମସ୍ତେ ସତର୍କ ହୋଇଗଲେ। କିଛିକ୍ଷଣ ପରେ ମା ଭାଲୁଟି ଛୁଆ ଦୁଇଟିକୁ ଧରି ରାସ୍ତାରୁ ହଟି ବା ପରେ ଆମଦଳ ଆଗକୁ ବଢିଥିଲେ। ସେଦିନର ସେଇ ରାତି କଥା ମନେ ପଡିଲେଏବେ ମଧ୍ୟ ଦେହ ଶୀତେଇ ଉଠେ।
