ପିଲାଦିନ
ପିଲାଦିନ
"ଆସନ୍ତା କି ଫେରି ମୋ ପିଲାଦିନ
ମନେପଡେ ସେଇ ମଧୁରକ୍ଷଣ,
କାଉଁରୀ ରାଇଜ ପରି ସପନ,
କିଶୋର ପ୍ରାଣରେ ମୃଦୁ କମ୍ପନ
ଫେରି ଆସନ୍ତା କି ସେ ପିଲାଦିନ"।
ପ୍ରିୟ ସାଥି ଗଣ,
ସର୍ବପ୍ରଥମେ ଏଇ ମାଟିର ଆରାଧ୍ୟଦେବୀ ମା ସିଂହାସନୀ ଙ୍କ ଚରଣାରବିନ୍ଦରେକୋଟି ପ୍ରଣାମ ପୂର୍ବକମୋର ସେଇ ପିଲାଦିନର କିଛି ଅଭୁଲା ସ୍ମୃତିକୁ ସାଉଁଟିବାରେ ଏହା ଏକ କ୍ଷୁଦ୍ର ପ୍ରୟାସ । ଏଇ କାଲିପରି ଲାଗୁଛି ଅଶୀଦଶକର ପ୍ରଥମ ସ୍ପର୍ଶରେ ଆମେ ପାଦ ଦେଇଥିଲୁ ଏ ବିଦ୍ୟାପୀଠ ପ୍ରାଙ୍ଗଣରେ । ଆଃ ! କି ମନୋରମ ସେଇ କିଶୋର ଅବସ୍ଥା ? ନୂତନ ପ୍ରସ୍ଫୁଟିତ କଳିସଦୃଶ୍ୟ ଉନ୍ମାଦିତ ପ୍ରାଣରେ ମଧୁର ମୁର୍ଛନା , ସୁଦୃଶ୍ୟ ବିଦ୍ୟାଳୟ ପରିବେଶ , ଛାତ୍ରମାନଙ୍କ କୋଳାହଳ ରାବ, ନିସ୍ତବ୍ଧ ପରିବେଶରେ ଶିକ୍ଷଣ କାର୍ଯ୍ୟର ଜୀବନ୍ତ ଦୃଶ୍ୟ ବାସ୍ତବରେ ଦେହରେ ଏକ ଶୀହୀରଣ ସୃଷ୍ଟିକରୁଥିଲା । ପ୍ରାର୍ଥନା ଶ୍ରେଣୀରେ ସାମୁହିକ ପ୍ରାର୍ଥନା , ତା'ପରେ ଶିକ୍ଷଣ କାର୍ଯ୍ୟ ଆରମ୍ଭ , ଶିକ୍ଷକ ମାନଙ୍କ ଛାତ୍ର ଉପସ୍ଥାନ ଖାତା ଧରି ଶ୍ରେଣୀ କୋଠରୀରେ ପ୍ରବେଶ , ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟ ବାରଣ୍ଡାରେ ଶ୍ରେଣୀ ନିରୀକ୍ଷଣ , ଶିକ୍ଷକଙ୍କ ଅନୁପସ୍ଥିତିରେ ଆମମାନଙ୍କ ଭିତରେ ପରସ୍ପର ମଧୁର କଥାବାର୍ତା ନିଷ୍କପଟ ପ୍ରାଣରୁ ନିଃସୃତ ଝରଣା ସଦୃଶ୍ୟ । ତୁ , ତା ,ବେ ,ବା..ଆଦି ଯୁକ୍ତ ସମ୍ଭାଷଣ ଟିକେ ଶୁଣିବାକୁ ଆମେ ଏଠାକୁ ଟାଣି ହୋଇ ଆସିଛେ ନିଶ୍ଚିତ। ଏଇ କାଲିଭଳି ଲାଗୁଛି ଶିକ୍ଷକମାନେ କମନରୁମରେ ବସି ସମ୍ବାଦ ପତ୍ର ପଢୁଛନ୍ତି ,ପିଅନମାନଙ୍କ ଖାତାଧରି ଏପଟେ ସେପଟେ ହେବା ,ଦିନ ଗୋଟାଏରେ ଖାଇବା ଛୁଟି ହେଲେ ଯେ ଯାହାର ଟିଫିନବକ୍ସ ଧରି ଛୁଟି ଯାଉଥିଲୁ ଆମ୍ବତୋଟାର ଗଛମୂଳକୁ।ବାସ୍ତବରେ ତୁ , ତା , ବେ , ବା..ଆଦିରେ ଯେଉଁ ଆତ୍ମୀୟତା ରହିଛି ଆସ , ଯାଅ ରେ ତା ନାହିଁ ନିଶ୍ଚିତ । ଶନିବାରିଆ ସକାଳର ସାପ୍ତାହିକ ଖେଳ ଶ୍ରେଣୀରେ ସାମୁହିକ କ୍ରୀଡ଼ାଭ୍ୟାସ ଆଜିମଧ୍ୟ ମନେପଡେ । କାନ୍ଧରେ ବହି ବସ୍ତାନୀର ବ୍ୟାଗ ଓ ଛତା , ହାତରେ ଟିଫିନବକ୍ସରେ ଘରୁ ଆଣିଥିବା ବୋଉ ହାତ ରାନ୍ଧଣା ପଖାଳଭାତ ଓ ସୋରିଷ ଦିଆ ବେଶର ତରକାରୀ ,ଶାଗଭଜା ,ଘାଣ୍ଟ ,କାଞ୍ଜି ,ବଡ଼ିଚୁରା ପତ୍ରପୋଡ଼ା ଶୁଖୁଆ ସାମନାରେ ଆଜିର ମାଂସ ତରକାରୀ ନ୍ୟୁନ ନିଶ୍ଚିତ। ଅନତି ଦୂରରେ ବିଜେ ମା କଂନ୍ଧୁଣି ଦେଇ ଠାକୁରାଣୀଙ୍କ ପୀଠରେ ଥିବା ଗଛ ତଳର ଶୀତଳ ପବନରେ ଲୋଟି ପଡିଲେ ନିଦ ଆସିଯାଉଥିଲା । ଖାଇବାଛୁଟିରେ ସ୍କୁଲଗେଟ ପାଖରେ ଜମୁଥିବା ସେଇ ଖଜାପସରା ମେଳା , ଶିଝାମକା , ପାମ୍ପଡ଼ ଓ ଭଜା ବାଦାମର ବାସ୍ନା ଆଜିମଧ୍ୟ ମନରୁ ଯାଇନି। ଆଉ ପାଞ୍ଚପଇସିଆ କାଠିଦିଆ ଗୋଟା ସିଝା ଆଳୁମସଲା , ପେଡା , ଭଜା ମଟର ଓ ବୁଟ ଚଣା ସହ ଝାଲମୁଢ଼ି ଆସର ଦୃଶ୍ୟ ମନେ ପଡ଼ିଲେ ଇଚ୍ଛାହୁଏ ଫେରି ଯିବାକୁ ସେଇ ପିଲାଦିନର ଛାତ୍ର ଜୀବନକୁ। ପୁଣି
ବାଟିଖଜାଟିଏ କିମ୍ବା କମଳା ଖଜାଟିଏ କିଣି ସେଥିରୁ ଦାନ୍ତରେ ଖଣ୍ଡକରି ଖଣ୍ଡଟିଏ ସାଙ୍ଗକୁ ଦେଇ ଆଉ ଅଧା ଖାଇବା ମନେ ପଡିଲେ ଆଖିରୁ ଝରିପଡେ ଅନନ୍ଦଶ୍ରୁ । କାହିଁ ସେ ବାଲ୍ୟ ଚପଳତା ? ଷଡଙ୍ଗୀ ଅଜା ହୋଟେଲର ସୁଆଦିଆ ଜଳଖିଆ,ବନାଗୁଡ଼ିଆ ହୋଟେଲ,ଶଙ୍କର ଦୋରା ପାନଦୋକାନ, ଦେବଦାସ ପାନଦୋକାନ, ଶ୍ରୀଗଦାଧର ପାଣିଗ୍ରାହୀ ସାଇକଲ ମାର୍ଟ ଇତ୍ୟାଦି ଏଯାଏ ମନରୁ ଯାଇନାହିଁ। ସେଇ ମିଠା ଅନୁଭୂତି ଆଉ ପରସ୍ପର ଭିତରେ ଦିପଦ କଥା ହେବାର ବସ୍ନାଟି ହିଁ ଆଜି ଆମକୁ ଟାଣି ଆଣିଛି ଏଠାକୁ। ଏଠାରେ ପଦେ ଗାଇଦିଏ-
"ଅତି ମନୋହର ସେ ପିଲାଦିନ ଲୋ
ଏଯାଏ ଯାଇନି ମନୁ
ଆଉ ଏ ଜୀବନେ ପାଇବାନି ବୋଲି
ମନେ ପକେଇଲିତେଣୁ।
ପୁଣି ଗାଇବାକୁ ଇଚ୍ଛାହୁଏ -
"ଆସନ୍ତା କି ଫେରି ସେ ପିଲାଦିନ
ବାରବାର ଖାଲି ପଡ଼ଇ ମନ
ଖିଲିଖିଲି ହସ ଦିଅନ୍ତା ମୁଖେ
ଜୀବନ ସଂଧ୍ୟାଟା ଯାଆନ୍ତା ସୁଖେ"
