ପିଲାଦିନ -3
ପିଲାଦିନ -3
ଆଜିକାଲି କାହିଁକି କେଜାଣି ଟିକେ ଅଲଗା , ଅଲଗା ଅନୁଭବ ଲାଗୁଛି। ଏକ ଭିନ୍ନ ଭାବନା ମନରେ ଉଦ୍ରେକହେବା ଆରମ୍ଭ ହେଲାଣି। ଯେପରିକି ଶାରୀରିକ ଦୁର୍ବଳତା , ମାନସିକ ଦୁଶ୍ଚିନ୍ତା। ଜୀବନରେ ପାଞ୍ଚଟି ଦଶନ୍ଧି ଅତିକ୍ରମ ସରିଲାଣି। ଆଉ ଆଗର ଉତ୍ସାହ ମନରେ ନାହିଁ।ଏଣିକି ପାରିବାରିକ ଚାପରେ ଘାଣ୍ଟିସନ୍ତୁଳି ହେବା ଛଡା ଅନ୍ୟପନ୍ଥା ନାହିଁ। କ୍ରମଶଃ ଶରୀର ଶିଥିଳ ଆଡକୁ ଅଗ୍ରସର । ଆମେ ସମସ୍ତେ ପରିବାର କାର୍ଯ୍ୟରେ ବ୍ୟସ୍ତ। କିଏ ପୁଅ ବାହାଘର ତ କିଏ ଝିଅ । ଆମ ଭିତରୁ ତ କିଏ କିଏ ଝିଅ ବାହାଘର କରି ନାତିନାତୁଣୀ ଦେଖିସାରିଲେଣି । ଆମର ଅନେକ ବନ୍ଧୁ ବି ଆରପାରିକୁ ଚାଲିଗଲେଣି। ଏଇ ଆମେ ଛୁଆଥିଲୁ। ଏବେ ଆମ ଛୁଆଙ୍କ ଛୁଆର ବାର୍ଥ ' ଡେ ପାଳନ କଥା ଭାବିଲେ ହସ ଲାଗେ। ସମୟ କେତେ ଶୀଘ୍ର ଗଡିଚାଲିଛି। ଆମ ଜନ୍ମଦିନ ପାଳନ ମାନେ ଆମେ ଜନ୍ମହେବାର ଏକ ବର୍ଷ ପରେ ପ୍ରଥମ ବର୍ଷ ପୂର୍ତ୍ତୀ ପାଳନ। ତାହା ପୁଣି ଖିରି ଚକୁଳିରେ ସୀମିତଥିଲା। ଆଜିକାଲି ବାର୍ଥଡେ ରେ ବେଲୁନ ତୋରଣ , କେକ କଟା, ଲାଇଟ ଏଣ୍ଡ ସାଉଣ୍ଡ , ତିନିଶହ କି ଚାରିଶହ ଲୋକଙ୍କ ପାଇଁ ଖାଇବାପିଇବା ବ୍ୟବସ୍ତା ଇତ୍ୟାଦି। ତା ପୁଣି ଆଧୁନିକ ଢଙ୍ଗରେ । ଅଶିଦଶକ ପୂର୍ବର କଥା। ପ୍ରତ୍ୟେକଙ୍କ ଘର ବାଡିପଟେ ଢ଼ିଙ୍କି ପଡିଥାଏ। ଆମ ମା ଓ ଖୁଡ଼ୀ ମାନେ ପ୍ରତିଦିନ ଧାନ କୁଟିଲେ ଚୁଲି ଲାଗୁଥିଲା। ପ୍ରତ୍ୟହ ଘରେ ମାଣ୍ଡିଆ ଜାଉ ଓ କାଞ୍ଜି । ମୋର ତ ଅନେକଥର ଜାଉ ଭାତକୁ ଗୁଡ ଚାଖଣା ଖାଇବା ଆଜି ମଧ୍ଯ ମନେଅଛି । ଆଜିକାଲି ପିଲାଙ୍କୁ ଡେରାଡୁନ ଓ ବସୁମତୀ ଚାଉଳ ନହେଲେ ଖାଇବା ମୁସ୍କିଲ। ଲୋକେ ଉସୁନା ଖାଉ ଥିଲେ। କେବଳ ଲୋଡ଼ା ପୁନିଅରେ ହିଁ ଅରୁଆ ରନ୍ଧା ହୁଏ। ଆମେ ଗାଁ ଗହଳିରୁ ଆସିଥିବା ପ୍ରତ୍ୟେକେ, ଅଶିଦଶକ ପୂର୍ବର ଆମର ଗରିବୀ ଟାକୁ ଅଙ୍ଗେ ଅଙ୍ଗେ ଭୋଗିଛେ। ଓଡ଼ିଶାର ବିଖ୍ୟାତ ଗାଳ୍ପିକ କାହୁ ଚରଣ ମହାନ୍ତିଙ୍କ ଲେଖାରୁ ଓଡ଼ିଶାର ନ' ଅଙ୍କ ଦୂର୍ଭିକ୍ଷର କଥା ପଢି ଥିଲି। ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ତଥା1866 ମସିହାରେ ଓଡ଼ିଶାରେ ଦେଖାଦେଇଥିବା ସେଇ କ୍ରୁର ଦୁର୍ଭିକ୍ଷର କରାଳ ଓ ହୃଦୟ ବିଦାରକ ଦୃଶ୍ୟ ଓଡିଶା ଇତିହାସରେ ସବୁଠାରୁ ଦୟନୀୟ ଅବସ୍ଥା। ସେ ବିଭୀଷିକାମୟ କରୁଣ ଦୃଶ୍ୟର ଜୀବନ୍ତ ବର୍ଣନା ପଢିଲା ବେଳେ ମୋତେ ଅଭିଭୂତ କରିଥିଲା। ବାଃ ! କି ଚମତ୍କାର ସେଇ ଉପସ୍ଥାପନା ? ମୁଁ ତ ମୋର ବନ୍ଧୁମାନଙ୍କୁ ଅନୁରୋଧ କରିବି ଜୀବନେରେ ଥରୁଟିଏ ସୁଯୋଗ ପାଇଲେ କାହୁଚରଣ ମହାନ୍ତିଙ୍କ ଯେ କୌଣସି ଗୋଟିଏ ଗଳ୍ପ ପଢନ୍ତୁ ସେଇ ମହାନ ଆତ୍ମାର ସନମାନ ପାଇଁ। ସେତେବେଳେ ଟିଭି, ମୋବାଇଲ କିଛି ନଥାଏ। ବିରକ୍ତ ଲାଗିଲେ କାହାଣୀ ବହିଟିଏ ଖୋଜି ବସୁଥିଲେ ପଢିବାପାଇଁ । ବଡବଡ ସହର ମାନଙ୍କରେ ସିନେମାହଲ ଥିଲା।ସୁନାବେଡା HALରେ ମୋ ମଉସା ଚାକିରୀ କରୁଥାନ୍ତି। ଥରେ ସୁନାବେଡା ବୋଉ ସାଙ୍ଗରେ ବୁଲିବାକୁ ଯାଇଥିଲି । ପ୍ରଥମେ "ଯାଯାବର" ସିନେମା ଦେଖିବା ସୁଯୋଗ ସେଠି ମିଳିଥିଲା ହଲରେ। ତା ପରେ ମୁକ୍ତାକାଶ ରଙ୍ଗମଞ୍ଚ ରେ "ଅଭିମାନ" ଚଳଚିତ୍ର ଦେଖିବା ସୁଯୋଗ ମିଳିଥିଲା ଆମ ପୋଲସରା ଡେରାପର୍ବ ଯାତ୍ରା ରେ । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଥାଏ ପ୍ରଖ୍ୟାତ ଶ୍ରୀ ଶ୍ରୀ ମା କାଳୀଙ୍କ ମେଢ। ପୋଲସରା ସ୍ଥିତ ଶ୍ରୀଜଗନ୍ନାଥ ସାହି ବାସିନ୍ଦାଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଢ ପ୍ରଦର୍ଶନ ଦେଖିବା ପାଇଁ ଚାହିଁ ବସିଥାନ୍ତି ଅଂଚଳବାସୀ। ଏଇ ମା କାଳୀଙ୍କ ମୂର୍ତ୍ତୀଟି କୁଆଡେ ସୋଲ , କନା , ପିଟୁଣୀ ଦଉଡି , ଆପାଚି ଓ ବେଲ ଅଠା ଭଳି ସମ୍ପୂର୍ଣ ଦେଶୀ ଉପାଦାନରେ ପ୍ରସ୍ତୁତ ବୋଲି କହନ୍ତି ମୂର୍ତିକlରଙ୍କ ସୁଯୋଗ୍ୟ ଦାୟାଦ ତଥା ଏ ଅଞ୍ଚଳର ବର୍ତମାନ ସୁନାମଧନ୍ୟ ଚିତ୍ରଶିଳ୍ପୀ ଶ୍ରୀରାଜେନ୍ଦ୍ର କୁମାର ମହାରଣା । ତାଙ୍କ ଗୋସି ବାପା ସ୍ବର୍ଗତ ଶ୍ରୀ ସୋମନାଥ ମହାରଣା ଏ ମୂର୍ତ୍ତୀଟି କୁ ପ୍ରାୟ 1925 ବେଳକୁ ତତ୍କାଳୀନ ପୋଲସରା ର କିଛି ବଦାନ୍ୟ ବ୍ୟକ୍ତି ଙ୍କ ସହାୟତାରେ ପ୍ରସ୍ତୁତ କରିଥିବା ସେ କହନ୍ତି। ଥରେ ଯାତ୍ରାରେ ଶ୍ରୀ ମହାରଣା ଗୋସି ବାପା ଙ୍କୁ ଅନୁକରଣ କରି ଅନୁରୂପ ଉଚ୍ଚତାର ଏକ ହନୁମାନ ମୂର୍ତ୍ତୀର ମେଢଟିଏ ତିଆରି କରିଥିଲେ ଦେଉଳ ପେଡି ସାହିରେ । ଯାହାକୁ ଦେଖିବାକୁ ଏତେ ଭିଡ ହୋଇଥିଲା ଯେ ପରିଶେଷରେ ପ୍ରଶାସନକୁ ପୋଲିସ ମୃତୟନ କରିବାକୁ ପଡ଼ିଥିଲା , ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ।
