Chinmayee Barik

Others Thriller

2.0  

Chinmayee Barik

Others Thriller

କାଷ୍ଟିଂ କାଉଚ୍

କାଷ୍ଟିଂ କାଉଚ୍

5 mins
7.4K


ମୁଣ୍ଡ ପୋତି ପୋତି ମୁଣ୍ଡ ଓହଳେଇ ଗଲେ ବି ସେମିତି ଦିନ ସାରା ଉଲ୍ ବୁଣୁଥାଏ ସୁଲଗ୍ନା ।ଝରକା ସବୁବେଳେ ଖୋଲା ।ପାଖ ବଜାରର ଫୁଲବାଲା....ପରିବା ବାଲା ....ଜୋତା ଦୋକାନ...ପାଖ ମସଜିଦ୍ କୁ ଅନାଇ ଅନାଇ ତାର ଦିନ ବିତେ ।

ଦିନ ବାରଟା ପରେ ଝିଅମାନେ ଆସି ତା ପାଖରେ ବସନ୍ତି ।କେହି କେହି କାନ୍ଦନ୍ତି ଆଉ କେହି କେହି ହେଁ ହେଁ ଫେଁ ଫେଁ ହୁଅନ୍ତି ।କାହାର ଚିରାପଟା ଲୁଗା ଥିଲେ ସେମାନେ ସବୁ ସୁଲଗ୍ନା ପାଖରେ ଥୋଇ ଯାଆନ୍ତି ।ସୁଲଗ୍ନା ତାଙ୍କର ଲୁଗା ସିଲେଇ କରି ଯଥା ସ୍ଥାନରେ ରଖିଦିଏ ।

ଦୁଇ ଚାରି ଦିନରେ କିଛି ଝିଅ ସେଠୁ ବିଦା ହୁଅନ୍ତି ଆଉ କିଛି ନୂଆ ଝିଅ ଆସି ରୁହନ୍ତି ।ସୁଲଗ୍ନା ସେସବୁକୁ ଲକ୍ଷ୍ୟ ଦିଏନା ।କଣ ଅଛି ଏତେ ସବୁରେ ମୁଣ୍ଡ ପୁରେଇବା ?ଅନେକ ଦିନ ଧରି ପ୍ରୟାସ ଜାରି ରଖିଥିଲା ଏ ଜାଗାରୁ ଫେରାର୍ ହୋଇ ଯିବାକୁ ହେଲେ ଏବେ ଆଉ ସେ ପ୍ରୟାସ କରୁନି ।

ଗାଁରୁ ଗୋଟିଏ ସ୍ୱପ୍ନ ନେଇ ଆସିଥିଲା ଫିଲ୍ମରେ ହିରୋଇନ୍ ହେବ ହେଲେ ଆସି ପଡିଲା ଦଲାଲ୍ ଙ୍କ ହାବୁଡରେ ।ଅନେକ ସ୍ୱପ୍ନ ସବୁ ଏଇଠି ସମାଧି ନେବାର ଦେଖୁଛି ସେ ।ଆଗକୁ ଦେଖିବ ମଧ୍ୟ ।

ବେଳେ ବେଳେ ସେ ଭାବେ ସେ ସିନା ଅପାଠୋଇ ଥିଲା ଫସିଗଲା ହେଲେ ଏଠି ଅନେକ ପାଠୋଇ ଝିଅବି ଆସୁଛନ୍ତି ।ସେମାନେ କଣ ସମସ୍ତେ ଫସି ଯାଉଛନ୍ତି??କେଜାଣେ ...କିଛି ଝିଅଙ୍କର ଏଇଟା ସଉକ ବି ହୋଇ ପାରେ ।ନାରୀ ମାୟା ନାରାୟଣଙ୍କୁ ବି ଅଗୋଚର ।

ପାଖ ଘରୁ ଆବାଜ ଆସୁଛି ରାମୁର...ସୁଦାମକୁ ଡାକି କହୁଛି ଯେ ଆରେ ଦେଶୀ ମାଲ୍ ଲୋଡା ...ବ୍ରଏଲର୍ ଗୁଡା କାମକୁ ନୁହେଁ ।ପୁରା ଶୁଦ୍ଧ ଛନଛନିଆ ଦରକାର ।

ସବୁ ସହରିଆଙ୍କୁ ଏ ଦେଶୀ ଘିଅ..ଦେଶୀ କୁକୁଡା ଆଉ ଦେଶୀ ଝିଅ କାହିଁକି ଏତେ ପସନ୍ଦ ଯେ??

ଏଠୁ ମାଳ ମାଳ ଝିଅ ଯାଆନ୍ତି ଫିଲ୍ମ ଡାଇରେକ୍ଟର ପ୍ରଡ୍ୟୁସରଙ୍କ ପାଖକୁ ।କିଏ ଖୁସି ହୋଇ ଫେରେ ତ କିଏ କାନ୍ଦି କାନ୍ଦି ।ସୁଲଗ୍ନା କାହାକୁ କିଛି ପଚାରେନି ...କାରଣ ଏଠି କାନ୍ଦିବା ଆଉ ହସିବାର କାରଣ ସବୁ ଗୋଟିଏ ।

ସୁଲଗ୍ନା ଆଜି ଯାଏ ସୁରକ୍ଷିତ ...କାରଣଟି ଭାରୀ ଛୋଟ ।ତା ଚିବୁକର ତିଳ ଚିହ୍ନ ତାକୁ ଏ ଯାଏ ବଞ୍ଚେଇ ରଖିଛି ।ତା ତିଳ ଚିହ୍ନର ମୁହଁଟା ରାମୁକୁ ପସନ୍ଦ ।ତେଣୁ ରାମୁ ହିଁ ତାକୁ ଭୋଗିବ ପୁଣି ସୁଲଗ୍ନାର ଅନୁମତିରେ ।ହେଲେ ସୁଲଗ୍ନା ଜାଣେ ଯେ ସେ ଏମିତି ଗୋଟିଏ ନିଆଁ..ତାକୁ ଯିଏ ଧରିବ ସେ ମରିବ ।

ରାମୁର ରାଢୁଆ ମୁହଁ ଦେଖିଲେ ସୁଲଗ୍ନାକୁ ବାନ୍ତି ମାଡେ ।କେତେ ଝିଅଙ୍କ ଜୀବନ ନଷ୍ଟ କରିଛି ।ସବୁ ରାତିରେ ତା ରୁମ୍ ରେ ଖଟ କଁ କଁ ହେବା କେବେ ବନ୍ଦ ହୋଇନି ।ସୁଲଗ୍ନା ସେ ସବୁର ଜ୍ୱଳନ୍ତ ସାକ୍ଷୀ ।

ନାଁ କୁ ମାତ୍ର ଏଇଟା ନାରୀ ନିବାସ ହେଲେ ଏଠି ନାରୀ ମାନେ ସବୁ ଦାରି ପାଲଟି ଯାଉଛନ୍ତି ।କେହି ଅନ୍ୟ ଇଛାରେ ତ କେହି ନିଜ ଇଛାରେ ।

ସୁଲଗ୍ନାକୁ ବେଳେ ବେଳେ ଇଛା ହୁଏ ଅନ୍ଧ ମୂକ ବଧିର ହୋଇ ଯିବାକୁ ହେଲେ ଏହା ବି କଉ ନିଜ ହାତର କଥା କି??

ହଁ କେତେଜଣ ଫିଲ୍ମରେ ସାଥୀ କଳାକାର ଭାବରେ କାମ ପାଇଛନ୍ତି ହେଲେ ଫିଲ୍ମରେ କାମ କମ୍ ଅନ୍ୟ ଆଡର କାମ ବହୁତ କରନ୍ତି ।ଏତେ ବଡ ସହରରେ ଚଳିବା ଲାଗି ପଇସା ବି ତ ଦରକାର ।

ଶାନ୍ତା ଭଳି ଝିଅ ବି ଅଛି ଏଠି...ଭାରୀ ଡେମ୍ କିଆର୍ ।କେତେଥର ସୁଲଗ୍ନା କୁ କହିଛି ...ଚାଲ୍ ତୋତେ ଏଠୁ ଖସେଇ ଦେବି ।ହେଲେ ସୁଲଗ୍ନା ଜାଣିଛି ଏଠୁ ଫେରାର ହୋଇ କିଛି ଲାଭ ନାହିଁ ।

ଶାନ୍ତାକୁ ଦିନେ ରାମୁ ସାଧାରଣ ଗାଉଁଲି ଝିଅ ଭାବି ନେଇ ଯାଇଥିଲା ଫିଲ୍ମ ପ୍ରଡ୍ୟୁସର୍ ପାଖକୁ ।ଶାନ୍ତା ରାତି ବି କାଟିଲା ହେଲେ ଫେରିଲା ବେଳକୁ ପ୍ରଡ୍ୟୁସର୍ କୁ ନାକେ ଦମ୍ କରେଇ ଦେଲା ।କହିଲା ..ଏ ବାବୁ ରାତି ଭଡାଟା ତ ଦେଇ ଦିଅ ।ପ୍ରଡ୍ୟୁସରର ମୁଣ୍ଡ ଟିଣ ହେଇଗଲା ।ଶାନ୍ତା ରୋକ୍ ଠୋକ୍ ଶୁଣେଇ ଦେଲା ଦେହ ନେଇଛୁ ମାନେ ପଇସା ଦେବୁ ।ନ ହେଲେ ଚାରିଆଡେ କହି ହୋ ହାଲ୍ଲା କରି ଦେବି ।ଯେବେ ହିରୋଇନ୍ ହେବି ତୋ ପଇସା ଫେରେଇ ଦେବି ।ଏଠି ସବୁ ଦିଆ ନିଆ ବେପାର ।ପ୍ରଡ୍ୟୁସର୍ ବିଚରା କିଛି ପଇସା ଦେଇ ଶାନ୍ତାକୁ ପଠେଇ ଦେଲା ହେଲେ ଫିଲ୍ମରେ ଏକ୍ଟିଂ କରିବାରେ ଆଉ ଚାନ୍ସ ଦେଲା ନାହିଁ ।

ସୁଲଗ୍ନା ଛଅମାସ ହେଲା ସବୁ ଦେଖୁଛି ଆଉ ନିଜ ମୁଣ୍ଡ ଠିକ୍ ରଖିବାକୁ ଉଲ୍ ବି ବୁଣୁଛି ।

******

ଏମିତି ଦିନେ ଉଲ୍ ବୁଣୁ ବୁଣୁ ଚିହ୍ନା ସ୍ୱର ଶୁଭିଲା ।ଦୌଡିଯାଇ ସୁଲଗ୍ନା ଦେଖିଲା ...ସେ ଆଉ କେହି ନୁହେଁ ମାଳି କକାର ଝିଅ ମିଠୁ ।ବେଶୀରେ ବେଶୀ ପନ୍ଦର ଷୋହଳ ବର୍ଷ ହେବ ତାକୁ ।ସୁଲଗ୍ନାକୁ ଦେଖି... ଦେଈ ଲୋ ...କହିଦୌଡି ଆସି କୁଣ୍ଢେଇ ପକେଇଲା । ବିଦେଶରେ ଆପଣର ଲୋକ ପାଇବା କେତେ ମୁଗ୍ଧକର ଲାଗେ ...ସୁରକ୍ଷିତ ଲାଗେ ।

ସୁଲଗ୍ନା ତାକୁ ଘୋଷାରୀ ନେଲା ତା ରୁମ୍ କୁ ।ପଚାରିଲା ସେ ଏଠି କେମିତି ବୋଲି??ମିଠୁ ହସି ହସି କହୁଥିଲା ଯେ ରାମୁ ଅଙ୍କଲ୍ ତାକୁ ହିରୋଇନ୍ କରେଇ ଦେବେ ।ମାସକୁ ପାଞ୍ଚ ହଜାର ବି ମିଳିବ ।ତୁତ ଜାଣୁ ବୋଉ କେତେ ଅସୁସ୍ଥ ।ମୋତେ କାମ କରିବାକୁ ବାହାରକୁ ଆସିବାକୁ ପଡିଲା ।ଆସିଲା ବେଳେ ରାମୁ ଅଙ୍କଲ୍ ବାପାଙ୍କୁ ସାତ ହଜାର ବି ଆଡଭାନ୍ସ ଦେଇ ଆସିଛନ୍ତି ।ତୁ ବି ଏଠି??ଭାରୀ ମଜ୍ଜା ହେବ ।ସେ ଖୁସିରେ ଆତ୍ମହରା ହେଉଥିଲା ।

କବାଟ ବନ୍ଦ କରି ସୁଲଗ୍ନା ସବୁ ସତ କଥା ବଖାଣି ଦେଲା ମିଠୁ ଆଗରେ ।ମିଠୁର ଜୀବନ ଯିବା ଆସିବା ପରି ଲାଗୁଥିଲା ।ଝାଳନାଳ ହୋଇ ସେ ସୁଲଗ୍ନାକୁ କୁଣ୍ଢେଇ ପକେଇଲା ।ମୋତେ ବଞ୍ଚା ଦେଈ...ମୁଁ ଘରକୁ ଯିବି ।ବୋଉ ମରିବା ଉପରେ ।ତା ପାଖକୁ ଫେରିଯିବି ।ମୋର ପଇସା ଦରକାର ନାହିଁ ।

ସୁଲଗ୍ନା ଘର ସାରା ଏପଟ ସେପଟ ହେଉଥିଲା ।ଶାନ୍ତା ଆସି ପଚାରିଲା କଣ ହେଇଛି କି ସୁଲଗ୍ନା ଦିଦି??ଏତେ ବ୍ୟସ୍ତ?

-ଶୁଣ୍ ଶାନ୍ତା...ମିଠୁକୁ ଖସେଇବାକୁ ପଡିବ ଏଠୁ ।

-ହେଲେ ରାମୁ??ସେ ଜାଣିଲେ ମାରିଦେବ ।

-ମାରୁ...ତୁ ମୋ ନାଁ କହିଦେବୁ ।

-ହଉ ..ଆଜି ରାତିରେ ରାମୁ ପ୍ରେମରେ ମାତିଲା ବେଳେ ମିଠୁକୁ ଭଗେଇ ଦେବି ।ବାହାରେ ମୋ ସାଙ୍ଗ ଅଛି ତାକୁ କହିବି ଗାଁରେ ଛାଡି ଦେବ ।

ସୁଲଗ୍ନା କିଛି ପଇସା ଗୁଞିଦେଲା ଶାନ୍ତା ହାତରେ ....

***************

ରାମୁର ଚିତ୍କାର ଶୁଭୁଥିଲା...ଏଇ ସୁଦାମ ସେ କଅଁଳିଆ ମାଲ୍ କୁ ନେଇ ମୋ ରୁମ୍ କୁ ଆଣ ।ଆଜି ବହୁତ ଦିନ ପରେ କଅଁଳିଆ ମାଂସ ଟିକେ ଓଠରେ ବାଜିବ ।

ସୁଦାମ ନ ଥିଲା ବୋଧେ ।ରାମୁ ମିଠୁକୁ ଖୋଜି ଖୋଜି ସୁଲଗ୍ନା ରୁମ୍ ରେ ପହଞ୍ଚିଲା ।ମିଠୁ ଡରିଯାଇ ଗୋଟିଏ କୋଣରେ ବସିଥିଲା ।ରାମୁ ତା ହାତଟାଣି ନେଇ ଯାଉଥିଲା....

ରହ ରାମୁ...ତାକୁ ଛାଡି ଦେ ।ସେ ଛୁଆଟା ...ତୋ ଝିଅପରି....

ହେ ହେ...ସେଇ ତ ମଜା....ଛାଡ ମୋ ରାସ୍ତା ।

ବହୁତ କାକୁତି ମିନତି ହେଲା ...ରାମୁ ନ ଶୁଣିବାରୁ ସୁଲଗ୍ନା ନିଜେ ରାଜି ହୋଇଗଲା ତା ସହ ରାତିରେ ରହିବାକୁ ।ରାମୁ ଯେମିତି ଆକାଶରୁ ଛିଡି ପଡିଲା ।ସୁଲଗ୍ନାକୁ ପାଇବାକୁ ସେ ଛଅମାସ ହେଲା ଅପେକ୍ଷା କରିଛି ...ଉଫ୍...ଆଜି ସବୁ ଅରମାନ ମେଣ୍ଟି ଯିବ ।

ରାମୁ ସହ ସୁଲଗ୍ନା ଗଲାବେଳେ ଶାନ୍ତାକୁ ଠାରି ଦେଇ ଗଲା ମିଠୁକୁ ଫେରାର କରିଦେବାକୁ....

ରାତି ସାରା ପରସ୍ତ ପରସ୍ତ ହୋଇ ଖୋଲିଗଲା ସୁଲଗ୍ନା ରାମୁର ଅପରଛେନିଆ ଦେହ ପାଖରେ ,ନିଜର ସବୁ ଲୁହ କୋହକୁ ଢୋକି ପକେଇ ...।***********

ଇସ୍ ଦିଦି...ତୋ ଦେହକୁ ଏମିତି କଣ କରିଛି ସେ ଚଣ୍ଡାଳ ??ଡାହାଳ କୁକୁର ପରି ଖଣ୍ଡିଆ ଖାବରା କରି ପକେଇଛି ??ଶଳା ତା ମା ମରୁ....ଶାନ୍ତା ସୁଲଗ୍ନା ଦେହରେ ଔଷଧ ଲଗେଇ ଦେଉ ଦେଉ କହିଲା ।

ସୁଲଗ୍ନା ଓଠରୁ ରକ୍ତ ଝରୁଥିଲା ...ଟିକେ ହସି କହିଲା ଏବେ ତୁମେ ନିଶ୍ଚିନ୍ତ ରୁହ ।ସେ ଆଉ ବେଶୀ ଦିନର ନୁହେଁ ।

ହାଁ ...କଣ କହୁଛ ଦିଦି??

ହଁ ସତ..ଶାନ୍ତା ...ମୋ ଦେହର ଏଡସ୍ ଜୀବାଣୁ ଏବେ ତା ଦେହରେ ଦୌଡୁଥିବେ ।ମୁଁ ତାକୁ କିଛି ପ୍ରିକସନ୍ ନେବାକୁ ସୁଯୋଗ ଦେଲିନି ।

ଏକଣ କହୁଛ...ତୁମେ ଏଡସ୍ ରୋଗୀ??ଶାନ୍ତା ଆଖି ତରାଟି ପଚାରିଲା ....

ହଁ ଏଠାକୁ ଆସିଲା ବେଳେ ଟ୍ରକ ଡ୍ରାଇଭର୍ ମୋତେ ବଳତ୍କାର କରିଥିଲା ସେବେଠୁ....

ସୁଲଗ୍ନା ମୁହଁରେ ଗୋଟିଏ କୁଟିଳ ହସ ଆଉ କଟାକ୍ଷ ଚାହାଣୀ ଦପ୍ ଦପ୍ ହୋଇ ଜଳୁଥିଲା ।ଶାନ୍ତାକୁ ଏକଥା ଆଉ ଜଣେଇବା ଉଚିତ୍ ମନେ କଲାନି ଯେ ସେ ରାମୁର ଶେଷ ମଦ ଗ୍ଲାସ୍ ରେ ସୁଲଗ୍ନା ବିଷ ବି ମିଶେଇ ଦେଇଥିଲା ବୋଲି......।

Lucy


Rate this content
Log in