ହରିଯାଇଥିବା ପ୍ରେମିକ
ହରିଯାଇଥିବା ପ୍ରେମିକ
ସେଦିନ ରାତିସାରା ସୋଇପାରିନି ମଳୟ । ଛଟ ପଟ ହେଉଥିଲା ବିଛଣାରେ ।ବାରମ୍ବାର ଉଠି ପାଣି ପିଉଥିଲା ।
ବାଥରୁମ ଯାଇ ପୁଣି ଖଟରେ ଶୋଇବାର ବୃଥା ଚେଷ୍ଟା କରୁଥିଲା ସେ । ଆଉ ଭାବୁଥିଲା ସକାଳର କଥା ସକାଳେ ରୁପା ହାତରେ ପଠାଇଥବା ଚିଠି ଖଣ୍ଡିକ ମାନସୀ ପାଖରେ ପହଂଚିଥିବଟି ? କେମିତି ଲାଗିଥିବ ତାକୁ ସେ ଚିଠି ? କଣ ଥିବ ତାର ରିଆକ୍ସନ ? ଏକ ପ୍ରକାର ଚିନ୍ତାଶୀଳ ହୋଇ ପଡୁଥାଏ ସେ । କାଳେ ମାନସି ରିଆକ୍ଟ କରିଦିଏ ? ତା ସହିତ ସମ୍ପର୍କ ରଖିବାକୁ ରୋକଠୋକ ମନ କରିଦିଏ ! ଆଗକୁ କିଛି ଭାବି ପାରୁନଥାଏ ସେ ।ଛାତି ଭିତରେ ଗୋଟେ ଅଜଣା ବ୍ୟଥା । ଉଠି ପାଣି ପିଇଲା ଭଲ ଲାଗିଲା ଟିକେ । ନା ଯାହା ହବ କାଲି ଦେଖାଯିବ ।ହଁ ସବୁକିଛି କୁ ସାମ୍ନା କରିବାକୁ ପଡିବ । ଏତେ ଦୁର୍ବଳ ହୃଦୟ ହେଲେ ପ୍ରେମ କରିହବନି ବୋଲି କୋଉ ଗଳ୍ପରେ ଗୋଟେ ପଢିଥିଲା । ପ୍ରେମ କରିବା ପାଇଁ ସାହସ ଦରକାର ।ଏମିତି ଭାବୁଭାବୁ କେତେବେଳେ ତା ଆଖିକୁ ନିଦ ଆସିଯାଇଥିଲା ।
ଡିଙ୍ଗ ଡିଙ୍ଗ ...ଘଣ୍ଟାର ଆଲାରମରେ ନିଦ ଭାଙ୍ଗିଗଲା ।ଶେଯରୁ ଉଠିବାକୁ ଇଚ୍ଛା ହଉ ନଥିଲା । ସାରାରାତି ଅନିଦ୍ରା । ପୁଣି ମନେ ପଡ଼ିଗଲା ମାନସୀ ଓ ସେଇ ଚିଠି ।ଏକାଥରକେ ବାଥ ରୁମରେ । ଶୀଘ୍ର ଶୀଘ୍ର ଗାଧୋଇ ବ୍ରସ କରି ବଡି ସ୍ପ୍ରେ ଦୁଇଥର ମାରିଦେଲା ଆଉ ଶେଷଥର ପାଇଁ ଆଇନାରେ ମୁହଁକୁ ଦେଖି ବାହାରି ପଡ଼ିଲା କଲେଜ ।
କ୍ଲାସରେ କଣ ପଢା ହେଉଥାଏ ସେଥିପ୍ରତି ଧ୍ୟାନନଥାଏ । ଖାଲି ମାନସିକୁ ଦେଖୁଥାଏ ସେ । ଚିଠି ପଢି ସରିଲା ପରେ କଣ ତାର ରିଆକ୍ସନ । କ୍ଲାସ ସରିଲା ପୁଣି ନେକ୍ସଟ କ୍ଲାସ । ଏଥରବି ସେ ଧର ଛୁଆଁ ଦେଲାନି ।ମନ ମଧ୍ୟ ସମ୍ଭାଳି ହେଲାନି । ବାଧ୍ୟହେଇ ଅଧା ବାଟରେ ଅଟକାଇଲା ତାକୁ । ମାନସିର ମୁହଁ ରାଗରେ ଲାଲ ଦିଶୁଥିଲା । ତା ମୁହଁରେ ଏଜ ସାଙ୍ଗରେ କ୍ରୋଧ, ଅବଜ୍ଞା ଓ ବିରକ୍ତି ସ୍ପଷ୍ଟ ଭାବରେ ବାରି ହୋଇ ପଡୁଥାଏ ।କୋମଳ ମୁହଁର ରେଖାସବୁ କଠିନ ଦିସୁଥାଏ ।ନୀଳ ଆଖି ଯୋଡିକ ଅଗ୍ନି ଭଳି ଜଳୁଥାଏ ।
କିଛି ବି କହୁନଥାଏ ମାନସୀ । ବ୍ୟାଗରୁ ବହାରକଲା ମଳୟ ଦେଇଥିବା ସେଇ ଚିଠି ଖଣ୍ଡିକ ଆଉ ଟୁକୁଡ଼ା ଟୁକଡା କରି ଫୋପାଡ଼ିଦେଲା ମଳୟ ଉପରକୁ ।ଆଉ ମୁହଁରେ ଗୋଟିଏ ବିଦ୍ରୁପ ହସ ଫୁଟାଇ ଚାଲିଗଲା ସେ । ନିଃଶ୍ୱାସରେ କଷ୍ଟ ଆଉ ବିଶ୍ୱାସରେ ବିଷ ଆଶା ଠାରୁ ଅଧିକ ଯନ୍ତ୍ରଣା ଦାୟକ । ପବନରେ ଚିଠିର ଟୁକଡା ସବୁ ଉଡ଼ିବୁଲୁଥଲେ ମଳୟର ଚାରିପାଖ । ଆଉ ଥଟା କରି ପଚାରୁ ଥାନ୍ତି କେମିତି ଲାଗୁଛି ପ୍ରେମ । ହାରି ଯାଇଥିବା ପ୍ରେମିକକୁ ।