STORYMIRROR

Titi Sarangi

Others

3  

Titi Sarangi

Others

ଗୋଟେ ଇମେଲ୍

ଗୋଟେ ଇମେଲ୍

2 mins
15.2K


ସ୍କୁଲ ପାଖ ବରଗଛ ତଳେ ଆମେ ସବୁଦିନ ଏକାଠି ହଉ ।ଟିଫିନ୍ ଖାଉ ।କେତେ ଟୀକା ଟିପ୍ପଣୀ ଭଲ ଲାଗିବା ଟିଫିନ୍ ବକ୍ସ ଭିତରର ଖାଇବାକୁ ନେଇ ଆମ ଭିତରେ ଚାଲେ ।କାହା ଘର ଖାଇବା କେମିତି ,କିଏ ରାନ୍ଧିଛି ଇତ୍ୟାଦି ଆଲୋଚନାପଡେ ।ତା ପରେ କଳ୍ପନାର ଲଗାମଛଡା ଆଗମନ ଆଉ ମନ ଇଚ୍ଛା ଆମର କଥୋପକଥନ ଚାଲେ ବେଲ୍ ବାଜିବାଯାଏଁ ।କ'ଣ ସବୁ କଥା ଥିଲା ଆଉ ତାର ଆରମ୍ଭ କୋଉଠୁ ହୋଇ କୋଉଠି ସରୁଥିଲା ସେ କଥା ଭାବିଲେ ଏଵେ ହସ ଲାଗେ ।କିନ୍ତୁ ବରଗଛ ତଳେ ଏକାଠି ହବା ଆମ ସ୍କୁଲ୍ ଦିନ ସାଥୀରେ ସତେ ଅବା ଜଡି ଯାଇଥିଲା ।

ଆଜି ଦି ଦିନ ତଳର ମେଲ୍ ଚେକ୍ କରୁଥିଲି ।ନୂଆ ଗୋଟେ ନାଁ ଟିକେ ଦେଖି ଚମକି ପଡିଲି ।ଆରେ ଇଏ ତ ମୋର ସ୍କୁଲ୍ ବେଳର ସବୁଠୁ ଅନ୍ତରଙ୍ଗ ସାଙ୍ଗଟା ! ଵିଶ୍ବାସ ହଉ ନଥାଏ ।କୋଉଠୁ ପାଇଲା ମୋ ଆଡ୍ରେସ୍ ସେ କେଜାଣି ? ଇଏ ସେଇ ନା ଆଉ କିଏ ?ଅତି ସନ୍ତର୍ପଣରେ ମେଲ୍ ଟି ଖୋଲିଲି ।ଯଦି ସିଏ ନହେଇ ଆଉ କିଏ ହେଇଥିବ ? ଆଜିକାଲି ଫେକ୍ ଆଇ ଡିର ଭିଡ ଭିତରେ ଏମିତି ସନ୍ଦେହ ସ୍ବାଭାବିକ ହେଇ ଗଲାଣି ।ଆହା ! ଭିତରେ ଦି ଧାଡିଆ କେଡେ ସୁନ୍ଦର ଚିଠିଟିଏ ।ଚିଠି ପାଇବା ଆଉ ଆଗ୍ରହରେ ତାକୁ ଖୋଲିକି ପଢିବା ଅଭ୍ଯାସ ଆଉ ନାହିଁ କହିଲେ ଚଳେ।ହେଲେ କେତେ ସୁନ୍ଦର ମିଠା କଥା ଦିପଦ ସାଇତା ଅଛି ତା ଭିତରେ ଖାସ୍ ମୋ ପାଇଁ !!ତା ଭାଷା ହିଁ ତାର ପରିଚୟ ଥିଲା ।

ପ୍ରିୟା ଲୋ ,

ତୋ ଇମେଲ୍ ଆଡ୍ରେସ ପାଇଲି ଗୋଟେ ମାଗାଜିନରୁ ।ତୋତେ ଦି ଧାଡି ଲେଖିବା ପଠେଇବାକୁ ଭାରୀ ଇଛା ହେଲା ।ସ୍କୁଲ୍ ବେଳର ସେଇ ବରଗଛ ମୂଳର ଗପ ସବୁ ମନେ ପଡିଗଲା ।ମନ ହଉଥିଲା ସବୁତକ ଲେଖି ପକାନ୍ତି ଏଇ ମେଲରେ ।ମୋ ମେଲ୍ ପାଇଲେ ରିପ୍ଳାଇ ଦବୁ ।

ଇତି ତୋର ଉର୍ମି ।

ଆଃ ,ଅନେକ ଅପୂର୍ଣ୍ଣତାରେ ଚିରକାଳ ସନ୍ତୁଳି ହଉଥିବା ମନଟା ମୋର ପୁରିଗଲା ଭଲପାଇବାର ଏଇ ଦିପଦ ଚିଠିରେ ।ସତରେ ଉର୍ମି ଫେରି ଆସନ୍ତା କି ସେଇ ଦିନଗୁଡାକ !! ଫୋନ ନୁହେଁ କି ଅନେକ ଦିନପରେ ଭେଟ ବି ନୁହେଁ କେଵଳ ଦିପଦ ମନର ଭାଷାରେ ସତେ କେତେ ଆପଣାରପଣ ଭରି ରହିଥାଏ ।ଅଫେରା ପଥର ଯାତ୍ରୀ ଆମ ଜୀଵନରେ ଆସୁଥିବା ଦିନ ସବୁ ।ଠିକ୍ ବିପରୀତ ଦିଗରେ ସେମାନେ ବି ଚାଲିଛନ୍ତି ଆମ ସାଥୀରେ କେବଳ ଆମକୁ ଟିକେ ଛୁଇଁ ଛୁଇଁ ।ଯେତେ ଯାହା କଲେ ବି ବରଗଛ ତଳେ ଆମର ସେ ମେଳି ଆଉ ହସରେ ଫୁଲି ଉଠୁଥିବା ଆମର ସେଇ ମୁହୂର୍ତ୍ତମାନେ ଆଉ ଆମର ହେଇ ନାହାନ୍ତି ।ତଥାପି ରିପ୍ଳାଇ ଲେଖିଲି ।

ଉର୍ମି ,

ତୁ ଯେମିତି ଥିଲୁ ସେମିତି ଅଛୁ ନା ।ସ୍ପାଇଂ ଗୁଣଟା ତୋର ଗଲାନି ।ସେବେ ଵି ଆମ ଭିତରେ ତୁ ଥିଲୁ ରବିନ୍ ହୁଡ୍ ।କାହା ଘରେ ଭଲ ଆଚାର ହୁଏ ,କାହା ଵାଡି ଆମ୍ବ ମିଠା ଆଉ ତାକୁ ଦି ପହରେ କିଏ ଜଗେ କି ନାଇଁ ଇତ୍ୟାଦି ଅନେକ ତଥ୍ଯ ତୋ ନଖ ଦର୍ପଣରେ ।ସେଇଥିପାଇଁ ଖରା ଛୁଟିରେ ଆମର ଲମ୍ବା ଦିପହରର ସେଇ ଅଭିଯାନଗୁଡାକ ସବୁବେଳେ ସଫଳତାର ସହ ଶେଷ ହଉଥିଲା ।ଆଉ ଆଜି ବି ଦେଖୁଛି ମୋ ମେଲ୍ ଆଇଡି ଖୋଜି ଚିଠି ବି ପଠେଇଛୁ ।ପୁରୁଣା ଦିନର ସେଇ ଡାକବାଲା ଦିଆ ଚିଠି କଥା ମନେ ପଡିଗଲା ।ଅଭୁଲା ସେଇ ଦିନଗୁଡାକ କଣ ଭୁଲି ହୁଏ ? ତଳେ ମୋ ଫୋନ୍ ନଂ ଦେଲି କଥା ହବୁ ।ରିପ୍ଳାଇ ଦଵୁନି ।ତୋର ପ୍ରିୟା ।


Rate this content
Log in