ବଳଦ
ବଳଦ
ଘର ମୁହାଁ ଛୁଟି ଥାଏ ସୁନୀଲ, ମୁଣ୍ଡରେ କାଲିର Presentationର ଚିନ୍ତା । ଘର କହିଲେ ଗୋଟେ Apartmentରେ କିଣିଥିବା ଘରଟିଏ ଆଭିଯାତ୍ୟାର ଚଳଣି ସେ ଘରେ ନଥିଲା କିନ୍ତୁ ସ୍ଥାଇ ଭାବରେରହିବାର ଆଶ୍ରୟ ଟିଏ ତ ଥିଲା । କଲା ମଚ ମଚ ପିଚୁରାସ୍ତା ଉପରେ ଖାଲି ସୁନୀଲ ନୁହେଁ ଏମିତି ଅନେକ ଚାକିରିଆ ଅଫିସ ଛୁଟି ପରେ ଫେରୁଛନ୍ତି ଘରକୁ । ସୁନୀଲ କାମ କରେ ଏକ ସଫ୍ଟୱାରେ କମ୍ପାନୀରେ । ଆଜି ଥିଲା ସପ୍ତାହର ଶେଷ କାର୍ଯ୍ୟ ଦିବସ । ତଥାପି ଖୁସି ନ ଥିଲା ସୁନୀଲ କାହିଁକି ନା ତାକୁ Weekendରେ ବି Presentation ଦେବାକୁ ପଡିବ ସୁଦୂର ଆମେରିକାରେ ଥିବା କେଉଁ ଏକ Client କୁ ଭାରି ବିବ୍ରତ ଲାଗୁଥିଲା ତାକୁ । ସବୁ କର୍ମଚାରୀଙ୍କ ପରି ତାର ବି ଜୀବନ ସେହି ଚିରାଚରିତ ଢଙ୍ଗରେ ପରିଚାଳିତ ହଉଥିଲା, ସପ୍ତାହ ସାରା Weekend କୁ ଅପେକ୍ଷାରେ ଓ ମାସ ଶେଷରେ ଦରମାର ଅପେକ୍ଷାରେ ।
ଦୁଇ ପାର୍ଶ୍ୱରେ ନଭଚୁମ୍ବି ଅଟାଳିକା ମାନେ ସତେ ଯେପରି ତାର କାଲିର ଫେରିବା ବାଟକୁ ଚାହିଁରହିଥାନ୍ତି ଠିକ ଜେଜେମା ଙ୍କ ବୁଢ଼ୀ ଅସୁରୁଣୀ ଗପର ବୁଢ଼ୀ ଅସୁରୁଣୀ ପରି । ଏ ଜାଗାରେ ନା ଅଛି ଦୋକାନ ବଜାର ନା ଅଛି ଘରଦ୍ୱାର ଦୁଇ ପାର୍ଶ୍ୱରେ ସୂଦୀଘ୍ର ଧାନ ବିଲ ସହର ଭିତରେ ଏମିତି ବି ଏକ ସ୍ଥାନ ଅଛି ଯାହା କେହି ନଦେଖିଲେ ବିଶ୍ୱାସ କରିପାରିବନି । କିନ୍ତୁ ଏ ଜାଗାରେ ଅଛି କେଉଁ ଅନାଦି କାଳରୁ ଓହଳରୁ ଗଛ ହେଇ ଛାୟା ପ୍ରଦାନ କରୁଥିବା ବଟବୃକ୍ଷ ଟିଏ । ଉଦାସ ମନକୁ ସାନ୍ତ୍ୱନା ଦେବାକୁ ଯାଇ ସେଇ ବଟବୃକ୍ଷ ତଳେ ଗାଡ଼ିଟିକୁ ଥୋଇ ସୁନୀଲ ଭାବନାରେ ବୁଡିଯାଇଥିଲା । କବି କିମ୍ବା ଲେଖକ ଟିଏ ହୋଇଥିଲେ ହୁଏତ ସେ ଏ ଗଛକୁ ଦେଖି କିଛି ଗପର ଖିଅ ଯୋଡି ପରି ଥାନ୍ତା କିନ୍ତୁ ଫୁରସତ ନାହିଁ ।ସମୟର ଇସାରାରେ ସେ ନିଜକୁ ସ୍ତିତପ୍ରଜ୍ଞ କରି ଦେଖିଥିଲା ଦୁଇ ବିହଙ୍ଗଙ୍କର ସ୍ୱାଭାବିକ ଆଚରଣ, ସୁନୀଲ କୁ ଲାଗୁଥିଲା ସତେ ଯେପରି ସେ ଦୁଇ ବିହଙ୍ଗ ତାର ଅସହାୟତା କୁ ବ୍ୟଙ୍ଗ ବିଦ୍ରୁପ କରୁଛନ୍ତି । ବୈଶାଖର ଝାଂଜି କୁ ଖାତିର ନକରି ପାଖରେ ଥିବା କୃଷ୍ଣଚୁଡା ବୁଣିଦେଇଥିଲା ଅନେକ ଫୁଲ, କର୍ମବୀରଙ୍କ ଚଲାବାଟକୁ ପୁଷ୍ପମୟ କରିବା ପାଇଁ ଓ ଓଠରେରଖିଥିଲା ଏକରକ୍ତିମା ହସ । ହଠାତ ମନ ଭିତରେ ସ୍କୁଲ ଓ କଲେଜ ଜୀବନର କେତୋଟି ସ୍ମୃତି ମନ ଗହନରେ ଉଙ୍କି ମାରିଉଠିଲା , କୌଣସି ବିବଶତା କେବେ ମୋତେ ସ୍ପର୍ଶ କରିପାରିବ ନାହିଁ ଆସୁ ପଛେ ଝାଂଜି ଖରା ଅବା ଶ୍ରବଣର ଘନ ଗର୍ଜନ ନଚେତ ଯାଡୁଆ ଶୀତର ପ୍ରକୋପ । ଆଜି ଯେମିତି ଠିକ ଲାଗୁଥିଲା ମୁ କଣ ସାଜିଛି ପରାସ୍ତ ସୈନିକ ନା ସେ ସବୁ ଥିଲା ମୋର ସ୍କୁଲ କଲେଜ ଜୀବନର ଭାଷଣ ବାଜି । ଜୀବନ ଯୁଦ୍ଧରେ କର୍ମ କରିବା ଯେ କେତେ କଷ୍ଟକର ବ୍ୟପାର ଭାବିଲେ ସେ ଦିନ ଓ ଏ ଦିନ ଭିତରେ ଆକାଶ ପାତାଳ ପ୍ରଭେଦ ପରି ଲାଗୁଚି । ସଂସାରରେ ଜୀବନକୁ କର୍ମମୟ କରିବା ପାଇଁ ବାଘ ହେନ୍ତାଳରୁ ହରିଣୀ ଲୁଚିଲା ପରି ଅବା ପୁଣି କେତେବେଳେ ଧେନୁ ପଛେ ପଛେ ବଛା କ୍ଷୀର ଲୋଭରେ ଧଇଁଲା ପରି ଜୀବନ ଘୁରି ବୁଲେ ସମୟର ଚକଭଉଁରି ଭିତରେ । ଜୀବନ ପେଡ଼ିରେ କାହାପାଇଁ କଣ ଅଛି ତାହା ଅଜଣା । କିଏ ଜୀବନକୁ ତୁଳିତପ୍ତ ଶଯ୍ୟାରେ ବିତାଉଥିବା ବେଳେ କାହା ପାଇଁ ତାହା ହୋଇପଡେ ହା ଅର୍ଣ୍ଣର ଚିତ୍କାର ।
ବଟବୃକ୍ଷର ଛାଇ ଓ କୃଷ୍ଣଚୁଡାର ହସ ଭିତରେ କିଛି କ୍ଷଣ ପାଇଁ ସୁନୀଲ ଭାବନାରାଜ୍ୟରେ ଅତୀତ ଓ ଭବିଷ୍ୟତ କୁ ମନ୍ଥନ କରୁଥିଲା, ଠିକ ଏତିକି ବେଳେ Mobile ଶବ୍ଦରେ କଳ୍ପନାର ଦୁନିଆରୁ ବାସ୍ତବତାର ଦୁନିଆ କୁ ପାଦରଖେ ସୁନୀଲ । ଛାଇ ଆଲୁଅର ଖେଳ ଭିତରେ Mobile Screenରେ Boss Callingର ଦୃଶ୍ୟ ଦେଖି ଅସ୍ତବ୍ୟସ୍ତ ହୋଇଯାଏ ସୁନୀଲ । Boss ଙ୍କ ନିର୍ଦେଶ "Sunil, one more thing you also need to prepare the presentation documents for tomorrow presentation , all the best " ଭାବନାର ଅଡୁଆ ସୁତା ସଜାଡ଼ିବା ଆଗରୁ କର୍ତବ୍ୟର ଆହ୍ୱାନ Boss ଙ୍କ କଡା ନିର୍ଦେଶ ସବୁ ସ୍ବପ୍ନକୁ କରିଥିଲା ଭାଙ୍ଗିରୁଜି ଚୁରମାର ସପନରାଇଜର ନନ୍ଦନକାନନରେ ପାରିଜାତ ପାଇବାର ସ୍ବପ୍ନ ବୈଶାଖର ଝାଂଜିରେ ଶୁଖିଯାଇଥିଲା । ବଳଦ ଟିଏ ଯେପରି ମାଲିକର ବୋଲ ମାନେ କେତେ ବେଳେ ଜମି ଚସେ ତ ପୁଣି କେତେ ବେଳେ ଶଗଡ଼ ଟାଣେ ଅବା କେତେ ବେଳେ ପିଠିରେ ଛେଲା ବୋହି ଫସଲକୁ ଖେତରୁ ଘରକୁ ଆଣେ । ଠିକ ସେହିପରି ନିଜର ଚିରାଚରିତ ଢଙ୍ଗରେ ଘରଆଡେ ବାହାରେ ସୁନୀଲ ମାଲିକର ଆଜ୍ଞାଧୀନ ବଳଦ ପରି ।।
