STORYMIRROR

Naresh Kumar Behera

Others

2  

Naresh Kumar Behera

Others

ଭଙ୍ଗା ଇନ୍ଦ୍ରଧନୁ ଓ ଆମ୍ବଗଛ

ଭଙ୍ଗା ଇନ୍ଦ୍ରଧନୁ ଓ ଆମ୍ବଗଛ

2 mins
15.2K


   ଟିକେ ଟିକେ ବର୍ଷା ଛାଡ଼ିଛି । ବାହାରକୁ ଯିବା ପାଇଁ ଇଚ୍ଛା ହେଉନଥିଲେ ବି କୌଣସି କାରଣ ବଶତଃ ଯିବାକୁ ବାଧ୍ୟ ହୋଇ ବାହାରିଲି ମୋ ବାଇକରେ । କଅଁଳିଆ ଖରା ପଡୁଥାଏ । ଆକାଶଟା ପୂରାପୂରି ନିର୍ମଳ ନଥିଲେ ବି ସୂର୍ଯ୍ୟର ପ୍ରକାଶରେ ଟିକେ ସଫା ଦେଖାଯାଉଥାଏ । ବର୍ଷା ଛାଡ଼ିଥିବା ଯୋଗୁଁ ସାହୀର ପିଲାମାନେ ଖେଳିବା ପାଇଁ ପ୍ରସ୍ତୁତ ହେଉଥାନ୍ତି ରାସ୍ତା ମଝିରେ । ସେମାନଙ୍କୁ ଆଡେଇ ଟିକେ ଆଗକୁ ଯାଇଛି କି ନାହିଁ ଦେଖିଲି ସପ୍ତରଙ୍ଗି ସୁନ୍ଦର ଇନ୍ଦ୍ରଧନୁଟିଏ । ସତରେ ଖୁବ ସୁନ୍ଦର ଦେଖାଯାଉଥାଏ ସେ ଦିନର ଆକାଶଟି । ଦୀର୍ଘ ୧୦-୧୨ ବର୍ଷ ପରେ ବୋଧେ ଏତେ ସୁନ୍ଦର ଇନ୍ଦ୍ରଧନୁଟିଏ ଦେଖିଲି, ସେ ପୁଣି ସାମାନ୍ୟ ବଡ ଆକାରରେ । ଗାଡ଼ିକୁ ଟିକେ ପାଖେଇ, ଦେଖିବାରେ ବିବଶ ହୋଇଗଲି ମୁଁ କିଛି କ୍ଷଣପାଇଁ । ଦେଖୁ ଦେଖୁ ଆସ୍ତେ ଆସ୍ତେ ଭାଙ୍ଗି ଭାଙ୍ଗି ଗଲା ସେ । ଆଉ ମୁଁ ବାଇକ ଷ୍ଟାର୍ଟ କରି ତା’ ଆଗକୁ ଆଗକୁ ଯିବାକୁ ଲାଗିଲି... କହିବାକୁ ଗଲେ ସେପଟେ ହିଁ ମୋର ଯିବାର ଥିଲା କିନ୍ତୁ ମୋତେ ଏପରି ଲାଗୁଥାଏ ଯେପରି ସେ ମୋତେ ଦେଖି ଲୁଚି ଲୁଚି ଯାଉଛି । ମୋତେ ଏପରି ଲାଗିଲା ଯେପରି ସେ ମୋ ପାଇଁ ହିଁ ଆସିଥିଲା ଆଜି, କାରଣ କେହିଜଣକୁ ବି ତା’କୁ କି’ ଆକାଶକୁ ଚାହିଁ ରହିବାର ମୁଁ ଦେଖିବାକୁ ପାଇଲି ନାହିଁ । ସେ ଯାହା ହେଉ ମନଟା ମୋର ଖୁବ ହାଲ୍କା ହୋଇଗଲା ତାକୁ ଦେଖି ଏବଂ ମୁଁ କିଛି ବଜାର-କାମ ଶେଷ କରି ଘରକୁ ଫେରିଲ ଆସିଲା ପରେ ଇଚ୍ଛା ହେଲା ଛାତ ଉପରକୁ ଯାଇ ଟିକେ ଆକାଶ ଆଡେ ଆଖିଟା ବୁଲେଇ ଆଣିବା ପାଇଁ । ଉପରକୁ ଯାଇ ଦେଖେତ, ଆକାଶଟା ପୁରା ନିର୍ମଳ । ଇନ୍ଦ୍ରଧନୁର ଟିକିଏ ବି ଛାୟା ପ୍ରତୀତ ହେଉନଥାଏ । ତା’ ସହ କିଛି ଅଧିକା ମୋତେ ଖାଲି ଖାଲି ଲାଗିଲା... ଦେଖିଲି ଏକ ବିରାଟ ଆମ୍ବ ଗଛଟିଏ ଉଭେଇଯାଇଛି । ଆରେ ଏ କ’ଣ? ହଠାତ୍ ଏପରି କିପରି ହେଲା? ସକାଳେ ତ ଥିଲା ଏଠି! ଅଚାନକ କୁଆଡ଼େ ଗାୟବ ହେଇଗଲା? ଛାତର କଡକୁ ଯାଇ ଦେଖେ ଆମ ପଡ଼ିଶା ଘରର ଲୋକଟି ସେ ଗଛଟିକୁ ସଂପୂର୍ଣ୍ଣ ରୂପେ କାଟିଦେଇଛି । ମନକୁ ଭାରି କଷ୍ଟ ହେଲା । ଏତେ ସୁନ୍ଦର, ଏତେ ପୁରୁଣା ଆମ୍ବ ଗଛଟିକୁ କିପରି ବା’ ସେ କାଟିପାରିଲା? କିଛି ତ କାରଣ ନିଶ୍ଚୟ ଥିବ! ଦେଖିଲା ବେଳକୁ ସେଠାରେ ସେ ଘରର ଫାଉନ୍ଡେଶନ କାମ ଆରମ୍ଭ କରିସାରିଛି । ସେଥିପାଇଁ ସେ ତା’ ଗଛଟିକୁ କାଟିବାକୁ ବାଧ୍ୟହୋଇଛି । ମୁଁ ନିସ୍ତବ୍ଧ ହୋଇ ଠିଆ ହୋଇଥାଏ ସେଠାରେ... ଯେପରି କାହାକୁ ଦାହକରି ଶ୍ମଶାନରେ ଜଗିଅଛି । ନିଜର ନଥିଲେ ବି ଖୁବ ଭଲ ପାଉଥାଏ ତା’କୁ... ଏଇ କିଛି ଦିନ ହେଲା ଦୁଇଟି ଶୁଆ ଆସି ସେଠାରେ ଖେଳୁଥିବାର ଦେଖିଥିଲି... ଚୈତ୍ର ବୈଶାଖରେ ଝୁଳୁଥିବା ଆମ୍ବଗୁଡାକ ଖୁବ ସୁନ୍ଦର ଦିଶନ୍ତି... କାଉ, କୋଇଲି, ମାଙ୍କଡ଼ ଇତ୍ୟାଦି ଆସି ସେଠାରେ ଉପଦ୍ରବ କରନ୍ତି ଓ ମୁଁ ସେମାନଙ୍କ ମଜା ନେଉଥାଏ... ଆଉ ସେ ସବୁ ହେବନାହିଁ। ସହରର ବଢୁଥିବା ଜନସଂଖ୍ୟା ଓ ପରିବାରର ବଢୁଥିବା ବିଭାଜନ ଏମିତି ପ୍ରକୃତିର ସବୁକିଛି କାଟି ନଷ୍ଟ କରିଦେବେ... ଶେଷରେ ଚାରିଆଡେ କେବଳ ଦେଖିବାକୁ ମିଳିବ କଂକ୍ରିଟର ମୀନାର ଓ ପ୍ରାଚୀର ସବୁ... ନଥିବ ଆଉ ସେ ଆମ୍ବ ଗଛ ଅବା ଦୃଶ୍ୟ ହେବ ସେ ଭଙ୍ଗା ଇନ୍ଦ୍ରଧନୁ ॥  


Rate this content
Log in