Master Tapan

Children Stories Thriller


4.1  

Master Tapan

Children Stories Thriller


ଅସୁରୁଣୀ

ଅସୁରୁଣୀ

4 mins 137 4 mins 137

ସେତିକି ଥାଉ! ତୁ ଏବେ ଯାଆ ଶୋଇବୁ।

ସେବା ପାଇବାର ସମୟ ମୋର କ'ଣ କୁଆଡେ ପଳେଇ ଯାଉଛି? ନିଇତି ମୋତେ ଘଷିମୋଡି ଦେବା କ'ଣ ଦରକାର ଯେ? ଆଲୋ ମୁଁ କ'ଣ ବୁଢୀ ହେଲିଣି? ଏବେ ବି ଯଦି ବଜାର ଆଡେ ବୁଲି ଆସିବି ଶହେ ଟୋକା ମୋ ପଛରେ ପଡିଯିବେ। ଶାଶୁଙ୍କ ମୁହଁରୁ ଏକଥା ଶୁଣି ଠୋ ଠୋ ହେଇ ହସିଲା ସୁନନ୍ଦା। କହିଲା,ନାହିଁ ମାଆ! ସେ କଥା ନୁହେଁ ଯେ ! ତୁମେ ତ ଦିନ ସାରା ବହୁତ ପରିଶ୍ରମ କରୁଛ,ବୋହୂଟେ ହେଇ ମୁଁ ଯେତିକି କରିବା କଥା କରୁନି ବରଂ ତୁମେ ମୋ ଠାରୁ ଅଧିକ କାମ କରୁଛ। ମୋତେ ସିନା ସୁଯୋଗ ଦେଲେ? ଏତେ ଖଟୁଛ,ମୁଁ ଟିକେ ତମ ଗୋଡ ହାତ ଘଷିମୋଡି ଦେଲେ ଅସୁବିଧା କ'ଣ? ଶାଶୁ କହିଲେ ହଉ ହେଲା ,ଯାଆ ଯାଆ ଖାଇକି ଶୋଇବୁ। ଶୋଇବି? ତମ ବଡ ବୋହୂଙ୍କ ଗେହ୍ଲି ଝିଅ ଦିଟା ମୋତେ ସିନା ଶୁଆଇ ଦେଲେ? ଆଉ ଟିକେ ପରେ ଫୋନ୍ କରିବେ ,କହିବେ ଖୁଡି ଜେଜେମାଙ୍କୁ ଟିକେ ଫୋନ୍ ଦେଲ! ଆମେ ବୁଢୀ ଅସୁରୁଣୀ ଗପ ଶୁଣିବୁ। ତମେ ବି ଏମିତି ଗପ କହୁଛ ଯେ,ତାଙ୍କର ପୁରା ନିଶା ହେଇଗଲାଣି ତମଠୁ ଗପ ନଶୁଣିଲେ ସେମାନେ ଶୋଇବେନି। ନିଜ ସାନ ବୋହୂ ସୁନନ୍ଦାର କଥା ଶୁଣି ମାଳତୀ ଦେବୀ କହିଲେ:-ହଁ ପରା ! ମୋତେ ତ ଗୋଟେ ଚାକିରି ମିଳିଯାଇଛି ଆଉ। ବଡ ପୁଅଟା ମୋର ସ୍ତ୍ରୀ ପିଲାଙ୍କୁ ନେଇ ବାଙ୍ଗାଲୋରରେ ରହିଲାନି ଯେ ମୋତେ ଗୋଟେ କାମରେ ଲଗେଇ ଦେଇ ଗଲା। ଏଇଠି ଥିଲେ ଇଆଡୁ ସିଆଡୁ କହି ଭଣ୍ଡେଇ ଦେଇଥାନ୍ତି। ଫୋନ୍ ରେ କ'ଣ ଭଣ୍ଡେଇ ହଉଛି? ନିଇତି ମନ୍ଦର ପକେଇବାକୁ ପଡୁଛି କୋଉ କାଳରେ ଶୁଣିଥିବା ସେ ବୁଢୀ ଅସୁରୁଣୀ ଗପକୁ।

       ହଉ ! ସିଏ ଯାହା କରିବା କଥା କରନ୍ତୁ । ତୁ ଟିକେ ନିଜର ଯତ୍ନ ନିଏ। ନିଜ ଦେହ ପାଆକୁ ଟିକେ ଜଅଗ! ବଡ ପୁଅ ବୋହୂ ତ ମୋତେ ଠକି ଦେଲେ। ଗୋଟେ ନାତି ଟୋକାର ମୁହଁ ଦେଖେଇ ପାରିଲେନି। ତୋ ଉପରେ ମୋର ବହୁତ ଆଶା। ସୁନନ୍ଦା ଟିକେ ଲାଜେଇ ଯାଇ ଚୁପ୍-ଚାପ୍ ଚାଲିଗଲା ଖାଇବା ପାଇଁ। ଖାଇବା ଆରମ୍ଭ କରିଛି କି ନାହିଁ ବାଙ୍ଗାଲୋରରୁ ଫୋନ୍ ଆସିଗଲା । ଖୁଡିି ଜେଜେମାଙ୍କୁ ଟିକେ ଫୋନ୍ ଦେଲ। ସୁନନ୍ଦା ସଙ୍ଗେ ସଙ୍ଗେ ନିଜ ଫୋନ୍ ନେଇ ଶାଶୁଙ୍କୁ ଦେଲା। ନିଅ ! ତମ ଦି ନାତୁଣୀ ଗପ ଶୁଣିବାକୁ ଉଛ୍ଛନ୍ନ। ଜେଜେମା ଗପ କହିଲେ,ଏପଟେ ସୁନନ୍ଦା ଖାଇବା ଆରମ୍ଭ କଲା। ଗପ କହୁ କହୁ ମାଳତୀ ଦେବୀଙ୍କ ଆଖି ଲାଗିଯାଇଥାଏ। ସେପଟୁ ଫୋନ୍ ରେ ଦି ନାତୁଣୀଙ୍କ ପାଟି ବି ଶୁଭୁନଥାଏ। ସୁନନ୍ଦା ବୁଝିଗଲା ଉଭୟେ ଜେଜେମା ,ନାତୁଣୀ ଶୋଇ ସାରିଲେଣି।

       ସୁନନ୍ଦା ଫୋନ୍ ରଖିଲା ଓ ନିଜ ରୁମ୍ କୁ ଯାଇ ସ୍ବାମୀ ରୋହିତଙ୍କୁ କହିଲା ସତରେ ତମ ମାଆ ବହୁତ ଭଲ। ସେ କେବଳ ମୋ ଶାଶୁ ନୁହଁନ୍ତି ମୋ ନିଜ ମାଆଠୁ ବି ଅଧିକ। ରୋହିତ ଖୁସିହେଲେ,ଆଉ କହିଲେ ହଉ ଠିକ୍ ଅଛି ଶୋଇପଡ,ଆଉ ଗପନି ,କାଲି ମୋର ଶୀଘ୍ର ଅଫିସ୍ ଯିବାର ଅଛି।

     ସକାଳୁ ,ସକାଳୁ ରୋହିତ ନିଜ କାମରେ ଅଫିସ୍ ବାହାରି ଗଲେ। ଘରେ କେବଳ ଶାଶୁ ବୋହୂ ଦୁହେଁ। ଶାଶୁ ଟିକେ କଲୋନୀ ଆଡେ ବୁଲିବାକୁ ଯାଆନ୍ତି। ସୁନନ୍ଦା ଏକାକୀ ରୋଷେଇ କରେ। କିନ୍ତୁ ଟିକେ ବି ବୋର୍ ହୁଏନି,କାରଣ ତା ଶାଶୁ ତାଙ୍କ ନାତୁଣୀଙ୍କୁ କହିଥିବା ଗପକୁ ସିଏ କଲ୍ ରେକର୍ଡର ରେ ସାଇତି ରଖିଥାଏ। ବୋରିଂ ଲାଗିଲେ ସେହି ଗପ ଶୁଣି ଟାଇମ୍ ପାସ୍ କରେ। ମାଳତୀ ଦେବୀ ସବୁଦିନ ତାଙ୍କ ଦି ନାତୁଣୀଙ୍କୁ ଫୋନ୍ ରେ ଗପ କୁହନ୍ତି। ସୁନନ୍ଦା ମୋବାଇଲ୍ ରେ ଅଟୋ ରେକଡିଂ ଅନ୍ କରିଦିଏ,ଟିକେ ଫୁର୍-ସତ୍ ପାଇଲେ ସେ ବୁଢୀ ଅସୁରୁଣୀ ଗପକୁ ସୁନନ୍ଦା ମନ ଦେଇ ଶୁଣେ।

     କିଛିଦିନ ପରେ ,ସୁନନ୍ଦା ଗର୍ଭବତୀ ଜାଣି ମାଳତୀ ଦେବୀଙ୍କ ଖୁସି କହିଲେ ନସରେ। କଲୋନୀ ସାରା ବୁଲି ବୁଲି ଡେଙ୍ଗୁରା ପିଟିଦେଲେ ମୋ ସୁନନ୍ଦାର ପୁଅ ହେବ,ମୁଁ ସମସ୍ତଙ୍କୁ ଭୋଜି ଦେବି। ରୋହିତ ବି ବାପା ହେବା ଖୁସିରେ ମଜଗୁଲ୍। ମାଆ ପୁଅ ଖୁବ୍ ଯତ୍ନ ନେଲେ ସୁନନ୍ଦାର। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ସୁନନ୍ଦା ମାଆ ହେଲା ଆଉ ମାଳତୀ ଦେବୀ ଜେଜେମା। ନାତି ନହେଇ ନାତୁଣୀଟିଏ ହେଲା ବୋଲି ପ୍ରଥମେ ପ୍ରଥମେ ଟିକେ ମନ ଊଣା ଥିଲା ମାଳତୀ ଦେବୀଙ୍କର। ସମୟକ୍ରମେ ବାସ୍ତବତାକୁ ଆଦରି ନେଲେ।

      ସେଦିନ କିନ୍ତୁ ରୋହିତ ତିନି ଦିନ ପାଇଁ କମ୍ପାନୀ କାମରେ ବାହାରକୁ ଯାଇଥିଲେ। ମାଳତୀ ଦେବୀ ଝିଅକୁ ସମ୍ଭାଳୁଥିଲେ,ସୁନନ୍ଦା ରୋଷେଇ କରୁଥିଲା। ମୁଁ ଟିକେ କଲୋନୀ ଆଡୁ ବୁଲି ଆସେ,ଝିଅ ଶୋଇଛି ତୁ ଜମା ବ୍ୟସ୍ତ ହବୁନି। ଏତିକି କହି ଚାଲିଗଲେ ମାଳତୀ ଦେବୀ। ସୁନନ୍ଦା ଥିଲା ରୋଷେଇ ଘରେ,ତା' ଝିଅ ଆଉ ଗୋଟେ ରୁମ୍ ରେ। ହଠାତ୍ ଝିଅର କାନ୍ଦ ଶୁଭିଲା। ସୁନନ୍ଦା ବ୍ୟସ୍ତ ହେଇପଡିଲା। ଭାବିଲା ଆଉ ଟିକେ ପରେ ତରକାରୀରେ ପାଣି ଦେଇ ଘୋଡେଇ ଦେଇ ଝିଅ ପାଖକୁ ଯିବ। କିନ୍ତୁ ଝିଅର କାନ୍ଦ ଆଉ ଶୁଭିଲାନି। ସୁନନ୍ଦା ନିଶ୍ଚିତ ହେଲା ଶାଶୁମା ଆସିଗଲେ ବୋଧେ। ଏଥର ଚିନ୍ତାମୁକ୍ତ ହେଇ ରୋଷେଇ କାମରେ ଲାଗିପଡିଲା ଆଉ ମୋବାଇଲ୍ ରେ ନିଜ ଶାଶୁ ମାଙ୍କ ବୁଢୀ ଅସୁରୁଣୀ ଗପ ଶୁଣିଲା। ରୋଷେଇ ସାରି ଝିଅ ପାଖକୁ ଗଲା। କିନ୍ତୁ ଝିଅକୁ ପାଇଲାନି। ଭାବିଲା ଶାଶୁମା ଧରିଥିବେ । କଲୋନୀ ଆଡକୁ ନଜର କଲା ହେଲେ ଶାଶୁମା କୋଉଠି ବି ଦିଶିଲେନି। ଛାତ ଉପରକୁ ଗଲା ,ଦେଖିଲା ପାଣିଟାଙ୍କିର ଘୋଡଣୀ ଖୋଲା ଅଛି। ସେଠାକୁ ଯାଇ ପାଣି ଟାଙ୍କି ଭିତରକୁ ଚାହିଁଲା ବେଳକୁ ସବୁକିଛି ଶେଷ ହୋଇ ସାରିଥିଲା। ପାଣିଟାଙ୍କି ଭିତରେ ଭାସୁଥିଲା ସୁନନ୍ଦାର କଅଁଳା ଛୁଆର ମଲାଦେହ।

       ଝିଅର ଶବକୁ ଧରି ସୁନନ୍ଦା ଦୌଡି ଆସିଲା ତଳକୁ ନିଜ ଶାଶୁଙ୍କୁ କହି ମେଡିକାଲ୍ ନେବ ବୋଲି। ସେତିକିବେଳେ ସୁନନ୍ଦାର ଫୋନ୍ ବାଜି ଉଠିଲା। ରିସିଭ୍ କଲା ସୁନନ୍ଦା,ସେପଟୁ ବାଙ୍ଗାଲୋରରୁ ସୁନନ୍ଦାର ବଡ ଯାଆ କହିଲେ ମୁଁ ଶୁଣିଲି ରୋହିତ ଘରେ ନାହାନ୍ତି? ସୁନନ୍ଦା ଥରିଲା କଣ୍ଠରେ ଉତ୍ତର ଦେଲା ହଁ। ହଉ ଠିକ୍ ଅଛି,ତମେ ଟିକେ ହୁସିଆର ଥିବ। ମୁଁ ପୁଅ ଜନ୍ମ କରିନି ବୋଲି ତାଙ୍କ ଅତ୍ୟାଚାର ସହି ନପାରି ବାଙ୍ଗାଲୋର ଚାଲି ଆସିଥିଲି ୟାଙ୍କ ପାଖକୁ। ମୋ ସାନ ଝିଅକୁ ବହୁତ ଥର ମାରିବାକୁ ଚେଷ୍ଟା କରିଛି ସେ ବୁଢୀ। ହେଲେ ଭଗବାନ ସାହା ହେଇଛନ୍ତି। ତମେ ଟିକେ ସାବଧାନ ଥିବ ସୁନନ୍ଦା। ସୁନନ୍ଦା କିଛି କହିବା ଆଗରୁ ଫୋନ୍ କଟି ସାରିଥିଲା। ସୁନନ୍ଦା ହାତରୁ ଖସି ପଡିଲା ମୋବାଇଲ୍। ମଲା ଛୁଆକୁ କୋଳରେ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ସୁନନ୍ଦା। ସେ ବିଶ୍ବାସ କରିପାରୁନଥିଲା ଆଜି ପର୍ଯ୍ୟନ୍ତ ଦେବୀ ବୋଲି ଭାବି ପୂଜା କରୁଥିଲା ଗୋଟେ ଅସୁରୁଣୀକୁ। ହଠାତ୍ ସୁନନ୍ଦାର ହାତ ବାଜି ତଳେ ପଡିଥିବା ମୋବାଇଲ୍ ରେ ପୁଣି ବାଜି ଉଠିଲା ସେ ବୁଢୀ ଅସୁରୁଣୀ ଗପ। ଗପରେ ଶୁଭୁଥିଲା ସେ ଅସୁରୁଣୀ ବୁଢୀଟା ତା' ଛୁଆକୁ ମାରିଦେ...ଲା......।         


Rate this content
Log in