STORYMIRROR

Dinabandhu Mishra

Others

3  

Dinabandhu Mishra

Others

ତମ ନିର୍ବାଚନରେ ଖାଲି

ତମ ନିର୍ବାଚନରେ ଖାଲି

1 min
208

ନେତା ପ୍ରଶ୍ନ କଲେ -

ତମେ କେଉଁ ଜାତିର?

"ମୁଁ ସର୍ବହରା ପ୍ରଭୁ"

ନା ତମ ଜାତି କେଉଁ ବର୍ଗରେ ଆସେ?

ଆଜ୍ଞା ଆମେ ଆପଣଙ୍କର ଗାଳିରେ ଆସୁ

ଦୁର୍ଗନ୍ଧ ଭରା ନାଳିରୁ ଆସୁ

ଆଉ ଅଲଗା ହେଇଥିବା ଥାଳିରୁ ଆସୁ

ମତେ ଲାଗିଲା ତମେ ହିନ୍ଦୁ ବୋଲି!?

ହଁ ପ୍ରଭୁ ମୁଁ ସେତେବେଳେ ହିନ୍ଦୁ

ପ୍ରତି ପାଞ୍ଚ ବର୍ଷରେ ଥରେ.... ତମ ନିର୍ବାଚନରେ ଖାଲି।


ତମେ କଣ ଖାଅ ଭାଇ?

ଯାହା ଜଣେ ସର୍ବହରା ଖାଏ...

ମୋ ପଚାରିବା କଥା ତମେ କଣ ସବୁ ଖାଅ?

ଆପଣଙ୍କର ମାଡ଼ ଖାଏଁ

କରଜର ଭାର ଖାଏଁ

ଅଭାବରେ କେବେ ଲୁଣ ଆଉ ଆଚାର ଖାଏଁ

ନାଁ ମୁଁ ଭାବୁଥିଲି ତମେ କୁକୁଡା ଖାଅ ବୋଲି

ହଁ ଖାଏନା ବଳେଇ ବଳେଇ

ପ୍ରତି ପାଞ୍ଚ ବର୍ଷରେ ଥରେ.... ତମ ନିର୍ବାଚନରେ ଖାଲି।


ତେବେ ତମେ କଣ ପାନ କର?

ଯାହା ଜଣେ ସର୍ବହରା ପିଏ ସବୁଦିନେ

ଆରେ ତମେ ପ୍ରକୃତରେ କ'ଣ ପିଅ?

ଧନୀ ଗରିବର କଥା

ଭାଙ୍ଗି ପଡିଥିବା ବ୍ୟଥା

ନଗ୍ନ ଆଖିରେ ଦେଖିଥିବା ଅସମାପ୍ତ ସ୍ବପ୍ନ..

ଆରେ ମୁଁ ଭାବୁଥିଲି ତମେ ମଦିରା ପିଅ ବୋଲି

ହଁ ଭର ପେଟ ପିଏ ମାଗଣାରେ

ପ୍ରତି ପାଞ୍ଚ ବର୍ଷରେ ଥରେ.... ତମ ନିର୍ବାଚନରେ ଖାଲି


ଜୀବନରେ ତମେ କ'ଣ ପାଇଛ?

ପ୍ରକୃତରେ ଯାହା ସର୍ବହରାକୁ ମିଳେ।

ଆରେ ମୋ ପଚାରିବା କଥା କ'ଣ ସବୁ ପାଇଛ!

ଅପମାନରେ ଜୀଇଁବାର କଳା

ତମେ ଫୋପାଡି ଦେଇଥିବା ମଇଳା

ଆଉ ତା ଉପରେ ଆପଣଙ୍କ ପରି ଶୋଷକକୁ ଶୋଷିବା ପାଇଁ ଗୋଟେ ଗଳା....

ଆରେ ମୁଁ କହିବାର କଥା କିଛି ପ୍ରତିଶ୍ରୁତି!

ହଁ ମିଳେ ନା ପ୍ରତ୍ୟେକ ଥର

ପ୍ରତି ପାଞ୍ଚ ବର୍ଷରେ ଥରେ... ତମ ନିର୍ବାଚନରେ ଖାଲି


ଜୀବନରେ କ'ଣ ସବୁ କରିଛ?

ପେଟର ଭୋକ ପାଇଁ ସବୁ କରିଛି।

ଆରେ କଣ ସବୁ କାମ କରିଛ!

ଆଜ୍ଞା ଶହେ ଦିନ ପୋଖରୀରେ ମାଟି ତାଡିଲି

ଝାଳରେ ସକାଳୁ ସଞ୍ଜ ଜୁଝିଲି

ଆସୁଣୁ ଯାଉଣୁ ବଡ଼ ବାବୁଙ୍କୁ ଓଳଗି ହେଲି...

ମତେ ଲାଗିଲା କିଛି ବଡ଼ କାମ କରିଛ...

ହଁ ମୋ ବିନା ସେ କାମ ସମ୍ଭବ ନୁହେଁ କେବେ

ପ୍ରତି ପାଞ୍ଚ ବର୍ଷରେ ଥରେ.... ତମ ନିର୍ବାଚନରେ ଖାଲି


Rate this content
Log in