ଶ୍ରୀକୃଷ୍ଣ
ଶ୍ରୀକୃଷ୍ଣ
ଶ୍ରୀ ଯେବେ ଲାଗେ କୃଷ୍ଣ ନାମ ଆଗେ
ବୁଝିବାକୁ ହୁଏ ସହଜ ,
ଯେତିକି ଅନ୍ଧାର ସେତିକି ସୁନ୍ଦର
କୃଷ୍ଣ ନାମ ସିନା ଅରଜଃ ।
ସତ୍ୟେ ନାରାୟଣ ଦ୍ବାପରେ ମୋହନ
ଦଶ ଅବତାର ଦର୍ଶନେ ,
ତପୀ ର ତର୍ପଣ ପାପେ ସୁଦର୍ଶନ
ବେଣୁଧର ଗୋପ ଜନେ ।
ସଂସାର ପାଇଁକି ସଂସାରୀ ବୈରାଗୀ
ଅବତାରୀ ଅବତାରେ ,
ସନ୍ଥ ପାଳି ଅରି ସଂହାରେ ସଂହାରୀ
ଧର୍ମର ସ୍ଥାପନା କରେ ।
ଯୁଗ ଯାଏ ବିତି ହଜି ଯାଏ ବୁଦ୍ଧି
ମୁନୀ ଋଷୀ ଦେବ ସୁରେ ,
ଭେଦ ନପାଅାନ୍ତି କୃଷ୍ଣରେ ଭ୍ରମନ୍ତି
ଭୂମିରୁ ଭୂମାକୁ ନରେ ।
ଅକାଳ ସକାଳ ସେହି ମହାକାଳ
ସେହି ଅନ୍ତ ପୁଣି ଅନନ୍ତ ,
ବ୍ରହ୍ମା ଯା' ନାଭିରେ ଚରଣରେ ଗଙ୍ଗା
ମସ୍ତକ ରେ ଶିବ ଶମ୍ଭୁ ତ ।
ବନ୍ଦୀ ଘରେ ଜାତ ବନ୍ଧନ ରୁ ମୁକ୍ତ
ବାନ୍ଧି ରଖେ ସାରା ଜଗତ ,
ଏଇଠାରେ ଥାଏ ଏଇଠି ନଥାଏ
ଭେଦ ପାଏ ନାହିଁ ପଣ୍ଡିତ ।
ବାଳୁତରେ ହସ କୈଶୋରରେ ରାସ
ଯୌବନେ କଲେ ଯୁଦ୍ଧ ,
ଉତ୍କଣ୍ଠା ଭରି ଅସୁର ଅସୁରୀ
ଅନେକ କରିଲେ ବଦ୍ଧ ।
ଶାନ୍ତିଦୂତ ସାଜି ଶାନ୍ତି ଆଣେ ଖୋଜି
ରଚେ ପୁଣି ମହାଭାରତ ,
ନିଜ ହାତେ ନିଜେ ନାଶଇ ବଂଶଜେ
ନିଜେ ହୁଏ ଶରାହତ ।
ରଣ କ୍ଷେତ୍ରେ ଥାଇ ରଥା ରୁଢ଼ ହୋଇ
ଗାଇ ପାରେ ଯିଏ ଗୀତା ,
କେବେ ସେ କନିଷ୍ଠ କେବେ ପୁଣି ଜ୍ୟେଷ୍ଠ
କେବେ ପୁତ୍ର କେବେ ପିତା ।
କୃଷ୍ଣ ନାମ ରସ ସବୁଠୁ ସରସ
କେବଳ ପିପାସୁ ଜାଣେ ,
କୃଷ୍ଣ ପ୍ରେମାମୃତ ଅଜରା ଆଶ୍ରିତ
ବଇକୁଣ୍ଠ ଧାମ କିଣେ ।
