ଶ୍ରବଣ କୁମାର
ଶ୍ରବଣ କୁମାର
ରାମାୟଣ କାଳର ଏ ଅମୃତ ବଚନ,
ଶାନ୍ତନୁ ଓ ଜ୍ଞାନବତୀ ନାମେ ଦିହେଁ ଜାଣ ।
ବେଦବର ଙ୍କୁ ସେ ଦିହେଁ ସନ୍ତୋଷ କରିଲେ,
ଶ୍ରବଣ କୁମାର ନାମେ ପୁତ୍ରେକ ପାଇଲେ ।
ବ୍ରହ୍ମl କିନ୍ତୁ କହିଥିଲେ ଦୁହିଁଙ୍କୁ ବୁଝାଇ,
କେବେ ବି ପୁତ୍ରକୁ ନେତ୍ରେ ଦେଖିବ ଯେ ନାହିଁ ।
ଯେବେ ଦେଖିବ ପୁତ୍ରକୁ ଦିହେଁ ସ୍ଵ ନେତ୍ରରେ,
ଦୃଷ୍ଟି ହୀନ ହୋଇଯିବ ରଖ ଏ ମନରେ ।
ଏଇ ପରକାରେ କେତେ ଦିନ ଗଲା ବିତି,
ପୁତ୍ରକୁ ଦେଖିବା ଇଚ୍ଛା ହେଉଥାଏ ନିତି ।
ପୁତ୍ରକୁ ଦେଖିବା ମୋହ ଘାରିଲା ଦୁହିଁଙ୍କୁ,
ଦେଖିବା ମାତ୍ରେ ଯେ ଦୁହେଁ ହାରିଲେ ଦୃଷ୍ଟିକୁ ।
ଦୃଷ୍ଟିହୀନ ହୋଇ ବି ପାଳିଲେ ପିତୃଧର୍ମ,
ଲାଳନ ପାଳନ କଲେ ନ ରଖିଣ ମର୍ମ ।
ଉଚିତ ଶିକ୍ଷା ପାଇଣ କୁମାର ଶ୍ରବଣ,
ପୁତ୍ର ଧର୍ମ ପାଳନରେ ବ୍ରତୀ ଥିଲା ଜାଣ ।
ଦିନେ ଚିନ୍ତା କଲା, ପିତା ମାତାଙ୍କୁ ସେ ନେବ,
ଯଥାସାଧ୍ୟ ତୀର୍ଥାଟନେ ବାହାର ହୋଇବ ।
ଏହିପରି ଚିନ୍ତା କରି ଶ୍ରବଣ କୁମାର,
ବାଉଁଶ ଗୋଟିକୁ ନେଇ କାନ୍ଧେ କଲା ଭାର ।
ସେ ଭାରେ ବସାଇ ପିତା ମାତାଙ୍କୁ ସେ ନେଲା
ଚାଳିଶି ଗୋଟି ତୀର୍ଥ ଯେ ବୁଲାଇ ଆଣିଲା ।
ଶ୍ରମ ଭାଙ୍ଗିବା ଆଶାରେ ଏକ ବୃକ୍ଷ ମୂଳେ
ପିତା ମାତା ଙ୍କୁ ରଖିଲା ଅତି ଯତନରେ ।
ପିତାଙ୍କ ଆଦେଶେ ପାଣି ଆଣିବାକୁ ଯାଇ
ଝରଣା ନିକଟୁ ପୁତ୍ର ଆଉ ନ ଆସଇ ।
ମନେ ଶଙ୍କା କରି ପିତା ମାତା ଯେ ତାହାର
ଉଚ୍ଚ ସ୍ଵରେ ଡାକିଲେ ରେ ଶ୍ରବଣ କୁମର ।
କାହିଁ ଗଲୁ ପୁତ୍ର ଆଉ ଫେରିନୁ କାହିଁକି
କିଛି ଅଘଟଣ ବାବୁ ତ ସାଥେ ହେଲାକି ।
ଏଇ ପରି କେତେ କାନ୍ଦି ଡାକ ଦେବାବେଳେ
ଅଯୋଧ୍ୟା ନରେଶ ଆସି ସେଠି ପହଁଚିଲେ ।
ଦେଖିଲେ ଅନ୍ଧ ଅଂଧୁଣି ଦୁହେଁ ବସି ଛନ୍ତି
ହା ପୁତ୍ର ହା ପୁତ୍ର ବୋଲି ଉଚ୍ଛେ କାନ୍ଦୁଛନ୍ତି ।
କାହିଁଗଲୁ ପୁତ୍ର ଆରେ ଏକା କରି ଦେଇ
ତୃଷା ରେ ଅଧିର ହେଉ ଅଛି ଆମ ଦେହୀ ।
ଆଣି ଥିବା ଜଳ ଦେଇ ବୋଲନ୍ତି ରାଜନ
ପ୍ରଥମେ ନେଇ ଏ ଜଳ ଦିହେଁ କର ପାନ ।
ମୁଁ ଯେ ରାଜା ଦଶରଥ ଅଯଧ୍ୟା ନରେଶ
ପାରିଧି କୁ ଆସିଥିଲି ହୋଇଣ ହରଷ ।
ଅନତି ଦୂରରେ ଏକ ଝରଣା ପାଶରେ,
ତୁମ ପୁତ୍ର ଯାଇଥିଲା ଜଳ ଉଦ୍ଧେଶ୍ୟ ରେ ।
ଯନ୍ତୁଟିଏ ବୋଲି ଭାବି ପେଷିଲି ମୁଁ ଶର,
ଶର ଭେଦ କଲା ଯାଇ ତୋ ପୁତ୍ର ହ୍ରୁଦର ।
ପ୍ରାଣ ଗଲା ବେଳେ କହିଗଲା ମୋତେ ଯାଅ
ବେଗେ ଯାଇ ମୋ ପିତାଙ୍କୁ ଜଳ ନେଇ ଦିଅ ।
ତୃଷାରେ ମୋ ପିତାମାତା ପାଉଥିବେ କଷ୍ଟ
ଜଳ ପାନ କରାଇ ପୁରାଅ ତାଙ୍କ ଇଷ୍ଟ. ।
ନୃପତି ଙ୍କ ଠାରୁ ଶୁଣି ଦୁଃଖଦ ଖବର,
କେଡେ ବଡ଼ କର୍ମ କଲ ଆହେ ନୃପବର ।
ଏ ବୃଦ୍ଧ ବୟସେ ଏକା ସେ ହିଁ ଥିଲା ସାହା
କି ଦୋଷ ଦେଖି ବିଧାତା ଛଡାଇଲା ରାହା ।
ଆମ ଅଭିଶାପ ତୁମେ ନିଶ୍ଚୟ ଭୋଗିବ
ହା ପୁତ୍ର ହା ପୁତ୍ର ବୋଲି ତୁମ ପ୍ରାଣ ଯିବ ।
ସେହି ଅଭିଶାପ ଦିନେ ଫଳିଲା ଅବଶ୍ୟ
ମଲାବେଳେ ଦଶରଥ, ରାମ ବନବାସ ।
ଶ୍ରବଣ କୁମାର କଥା ରହିଛି ରହିବ
ଯେଉଁ ଭଳି ପିତା ପୁତ୍ର ମଧ୍ୟେ ଥିଲା ଭାବ ।
ପିତା ମାତା ହିଁ ତ ବଡ଼ ସରଗ ସମାନ
ପିତା ମାତାଙ୍କୁ ଯେ ପୂଜା କରେ ଦେଇ ମନ ।
ସକଳ ତୀର୍ଥ ର ଫଳ ପ୍ରାପ୍ତ ସେ ହୁଅଇ
ଶିବ ଗଣେଶ ଆଖ୍ୟାନ ଏହାତ କହଇ ।
ସଂକ୍ଷିପ୍ତ ରେ ନବନୀତ କରିଛି ବର୍ଣନ
ଦୋଷାଦୋଷ ଥିଲେ କ୍ଷମା କର ସୁଧୀଜନ ।
ପାଳନ କର ହେ ପୁତ୍ର ଧର୍ମ ସଦା ବେଳେ
ବଇକୁଣ୍ଠ ପ୍ରାପ୍ତ ହେବ ଶଙ୍କା ନାହିଁ ତିଳେ ।
