ସ୍ବାଧୀନ ଭାରତ
ସ୍ବାଧୀନ ଭାରତ
ପରାଧିନତାର ଶୃଙ୍ଖଳ ଛିଣ୍ଡେଇ
ଆମେ ବୁଲୁ ଥିଲେ ପଦାରେ ,
ସେ ଦେଶର ଶିଶୁ ମାଆକୁ ହରେଇ
କାନ୍ଦୁ ଥିଲା ବସି
ବହ୍ନିର ବାରୁଦ ଗଦାରେ ।
ପଞ୍ଚସ୍ତରି ବର୍ଶ ପରେ ସେଇ ଦେଶ
ରାଇଜେ ହେଉଛି ଧନୀରେ ଗଣା ,
ଆମେ ଖୋଜୁ ଅଛୁ ଭତ୍ତା ଓ ଭାତିଆ
ସରକାରୀ ଡାଲି ଅଣ୍ଡା ମାଗଣା ।
ସେ ଦେଶ ଜନତା ବଡ଼ ସ୍ବାଭିମାନୀ
ଛୁଞ୍ଚି ବି କିଣେନି ଦେଶ ବାହାରୁ ,
ଆମେ କିଣୁ ଅଛୁ ବିଦେଶୀ ଦରବ
ଦେଶ ପ୍ରେମୀ କହି ଫୁଟାଣି ମାରୁ ।
ସିଂହ ତ ସାହସୀ ବାଘ ତ ବୁଦ୍ଧିଆ
ଦେହ ଖରାପରେ ଶାଗ ଖାଉଛୁ ,
" ଆଚ୍ଛା ଦିନ" କହି ପିଚ୍ଛା ଧରୁ ଯାଇ
ପ୍ରଗତି ନାଆଁରେ ପାଗ ଭିଡ଼ୁଛୁ ।
ସ୍ବାଧୀନ ଭାରତ କହି ବୁଲୁ ଅଛୁ
ଭାରତୀକୁ ମିଳି ନାହିଁ ସ୍ବାଧୀନ ,
ନାରୀ ଆଗେଇଲେ ଦେଶ ଆଗେଇବ
ଭରତ ଦେଉଛି ଲମ୍ବା ଭାଷଣ ।
ଇଚ୍ଛାଧାରୀ ନାଗ ନାଗୁଣୀ ଖୋଜୁଛି
କେଳା ହରାଉଛି ତୁଚ୍ଛ ଜୀବନ,
କେଲୁଣୀକୁ ମିଳେ ଅସହାୟ ଭତ୍ତା
ପ୍ରତିଦାନେ ଝିଅ ଦିଏ ଯୌବନ ।
କରଜ ପଇସା ଶୁଝି ନପାରିକି
ଚାଷୀ କରେ ନିତି ଆତ୍ମ ହତ୍ୟା ,
ନେତାଙ୍କ କଥାରେ ପାଣିପାଗ ଚାଲେ
ଫି' ବର୍ଷ ଆସେ ମହାବାତ୍ୟା ।
ଅଣ୍ଡା, ମଣ୍ଡା , ଭଣ୍ଡା ସବୁତ ଖାଇଛୁ
ପଣ୍ଡା କଥା କିଆଁ ମାନିବୁ ନାହିଁ ?
ଧଣ୍ଡ ହେଇ ଯେବେ ବେଙ୍ଗ ଗିଳି ଅଛୁ
ଝଣ୍ଡା ଧରି ଚାଲ ଦଣ୍ଡ ମୁଣ୍ଡେଇ ।
ସ୍ବର ତାଳ ଲୟ ଲୋଡ଼ା ନାହିଁ ଆୟ
ଗାଇ ଚାଲ ମିଶି ସ୍ବାଧୀନ ଗୀତି,
ବରଷକୁ ଥରେ ଗାଇ ଦେଲା ପରେ
ଦୁନିଆଁ ଜାଣିବ ସ୍ବଦେଶ ପ୍ରୀତି ।
ସ୍ବାଧୀନ ସ୍ବାଧୀନ ସ୍ବାଧୀନ ସ୍ବାଧୀନ
ସ୍ବାଧୀନ ଭାରତ ଗାଅ ରେ ,
ଆମରି ନାଅାରେ ଆମେ ତ ନାଉରି
ବାକି କଥା ଭୁଲି ଯାଅ ରେ ।
ଫୁଙ୍ଗୁଳା ଦେହରେ ମୋ ଦେଶର ଶିଶୁ
ଗାଉଛି ସ୍ବାଧୀନ ସଙ୍ଗୀତ ,
ଗରିବରେ ଥାଇ ଗର୍ବରେ କହେ
ମୋ ଦେଶ ସ୍ବାଧୀନ ଭାରତ ।
ମୋ ଦେଶ ମହାନ ଭାରତ ।