ଋତୁ, ତୁମେ ଆଉ ମୁଁ
ଋତୁ, ତୁମେ ଆଉ ମୁଁ
ଦିଗହଜା ଏଇ ନୀଳ ଆକାଶ ତଳେ
ଚିର ସବୁଜ ଏ ବନ ଝରଣା କୂଳେ
ଯହିଁ ପକ୍ଷୀ ଗାଇ ଯାଏରେ
ଝରିଯାଏ ଝରାପତ୍ର ଫଗୁଣର ବାସରେ ...
ହଜିଯାଏ କଳାମେଘ ଦିଗ ସେପାରେ
ଗୁରୁ ଗୁରୁଜନ ତୋଳି ବିଜୁଳି ମାରେ
ସଖୀ ଯିବା ଚାଲି ଆମେରେ
ରଚିବା ପ୍ରେମର ନୀଡ଼ ବନପକ୍ଷୀ ସାଥେରେ ...
ବଇଶାଖୀ ଝାଞ୍ଜିବାଆ ଯେବେ ବହିବ
ସ୍ୱେଦବିନ୍ଦୁ ତୁମ ମୁଖେ ହୀରା ଖଞ୍ଜିବ
ନବ ପଲ୍ଲଵର ଛାୟାରେ
ହଜିଯିବା ଆମେ ବିହଙ୍ଗର ଗୀତି ଛନ୍ଦରେ ...
ଘନକାଳେ ଝରିଯିବ ଶ୍ରାବଣ ଧାରା
ଭିଜିଯିବା ଆମେ ଦୁହେଁ ମାନସ ତାରା
ସେହି ଅର୍ଦ୍ଧନଗ୍ନ ଶରୀରେ
ଶୀଳାକନ୍ୟା ହେବ ତୁମେ ମୋର ତନୁ ମନ୍ଦିରେ ...
ଶରତର ଜ୍ୟୋସ୍ନାଭିଜା ଶାନ୍ତ ନିଶିରେ
ଶୀହରିତ ତନୁମନ ସିକ୍ତ ସମୀରେ
ଯାମିନୀ ବିତିବ ଯହୁଁ ସପନର ବିଭୋରେ ...
ଶିଶିରର କମନୀୟ ଶିଶିର ବିନ୍ଦୁ
ଚରଣ ପଙ୍କଜ ଆମ ପୂଜିବ ବନ୍ଧୁ
ସେହି ହିମ ସ୍ନାତପୟରେ
ବନପଥେ ରଖିଯିବା ପୀରତିର ଛାପରେ ...
ତନ୍ତ୍ରୀଥରା ଶୀତ ଯେବେ ଆସିବ ମାଡି
ବାହୁ ବନ୍ଧନରେ ପ୍ରିୟା ରଖିବି ଭିଡି
ତୁମ ଶୀତ୍କାର ଜୁଆରେ
ମଗନ ହୋଇବା ପ୍ରଣୟର ମଧୁ ବେଳାରେ ...
ବସନ୍ତେ ଫୁଟିଲେ ମଲ୍ଲୀ କରଵୀ ହେନା
ନୀଳ କବରୀରେ ସଖୀ ସଜାଇ ଦେବି
ତୁମ ଏଇ ରଙ୍ଗ ଅଧରେ
ଶତ ପଦ୍ମ ଫୁଟାଇବି ଭିଡି ଧରି ବୁକୁରେ ...