ପ୍ରବାସୀ
ପ୍ରବାସୀ


ଭୋକିଲା ପେଟର ବିକଳ ଦେଖିଛ
ସମ୍ଭାଳିଛି ତାର ଜ୍ୱାଳା
ଦାଦନଙ୍କୁ ଆଜି କରୁଅଛ ଘୃଣା
ଆସୁଛନ୍ତି ଭେଳାଭେଳା ।
ପେଟ ପାଇଁ ସିନା ଯାଇଥିଲେ ଦୂରେ
ଛାଡି ଗାଆଁ ଭିଟାମାଟି
ଖୁସିରେ କିଏ ସେ ଯାଏନି ପ୍ରବାସେ
ତେଜି ନିଜ ଜନ୍ମମାଟି ।
ଆସିଲା ବିପଦ ସମସ୍ତଙ୍କ ପାଇଁ
ସର୍ବେ ହେଲେ ସଚେତନ
କାମଧନ୍ଦା ତାଙ୍କ ବନ୍ଦ ହୋଇଗଲା
ବିଚଳିତ ତାଙ୍କ ମନ ।
ପିଲାଙ୍କ ମୁଖରେ ଆହାର ନଦେଇ
ଅନୁତାପେ ଜରଜର
ପିତାମାତା ହୋଇ ଦେଖିବେ କିପରି
ବିକଳ ସେ ପିଲାଙ୍କର ।
ଗରଭିଣୀ ମାଆ ଖାଇବା ପାଇଁ ତ
ଭୋକେ ହୁଏ ଛଟପଟ
ପେଟରେ ତାପିଲା ବଢିବ କେମନ୍ତେ
ମିଳେନାହିଁ ରୁଟିପଟ ।
ନିଜ ଜନ୍ମମାଟି ଫେରିବା ପାଇଁ ତ
କେତେ କଲେ ଅନୁରୋଧ
ଫେରିବାରେ ଡେରି ନିରାଶ କରିଲା
ମନକରେ ପ୍ରତିବାଦ ।
ସହିପାରିଲେନି ଦୁଃଖର ଯନ୍ତ୍ରଣା
ଜୀବନ ସେ ଦେଇଦେଲା
ଆଉ କେତେ ପୁଣି ଘର ବାହୁଡାରେ
ପ୍ରାଣପକ୍ଷୀ ଉଡିଗଲା ।
ଚାଲିଚାଲି କିଏ ଆସୁଛି ପ୍ରବାସୁ
ଜଳଟିକେ ମିଳୁନାହିଁ
ଖାଦ୍ୟର ସନ୍ଧାନେ ଅଳିଆ ଗଦାରୁ
ପଚା ଖାଦ୍ୟ ଖାଏ ସେହି ।
ପେଟର ଛୁଆଟା ସହି ପାରେନାହିଁ
ବାଟେ ହୋଇଯାଏ ଜନ୍ମ
ପୁରାଣରେ ତୁମେ ପଢିଥିଲ ପରା
ଶ୍ରବଣ କୁମାର ନାମ ।
ଆଜି ତୁମେ ତାଙ୍କୁ ପ୍ରତ୍ୟେକ୍ଷେ ଦେଖ ହେ
କରୁଣର ପ୍ରତିଛବି
ଧାଡିଧାଡି ହୋଇ ଚାଲୁଛନ୍ତି ସେହି
ସାହାଯ୍ୟ କେ ଦେବ ଭାବି ।
ଆଖିର ଲୋତକ ଶୁଖିଯାଇଅଛି
ମନେ ଭରିଅଛି ଆଣ୍ଟ
ପାଦ ଥାପିବ ସେ ଗାଆଁର ଯେମନ୍ତେ
ଯିଏ କରୁ ଯେତେ ରଟ ।
ପ୍ରବାସୀ ଆମର ନିଜର ତ ବୋଲି
ଯେବେ କରିବା ସ୍ୱାଗତ
ଯେତେ ଦୁଃଖଥିଲେ ହସିବେ ସେମାନେ
ସେହି ତ ଆମ ଭାରତ ।