ପଳାସ ଫୁଲ
ପଳାସ ଫୁଲ
ସପନ ଦେଖିବା ମନା ମୋର ପାଇଁ
ଜାଣିଲି ମୁଁ ଯେଉଁଦିନ
ଆଖିରୁ ହଜିଲା ନିଦ ତ ମୋହର
ଜଳୁଅଛି ପ୍ରତିକ୍ଷଣ।
କନ୍ୟାଟିଏ ହୋଇ ଲଭିଲି ଜନମ
ଭାଗ୍ୟ ହେଲା ମୋର ବାମ
ଫୁଲଟିଏ କରି ଗଢିଲା ତ ବିହି
ପଳାସ ଫୁଲର ସମ।
ବଧୂ ହୋଇ କେବେ ବସିବାର ଭାଗ୍ୟ
କପାଳେ ମୋହର ନାହିଁ।
ମଥାରେ ସିନ୍ଦୂର ନାଇବାର ସ୍ବପ୍ନ
ଦେଖିବାକୁ ରାତି କାହିଁ।
ଶୂନ୍ୟ ମଥା ମୋର ରହିଗଲା ଖାଲି
ଏ ଜନମ ପାଇଁ ପରା
ସିନ୍ଦୂରକୁ ନେଇ ଗର୍ବ କରିବା
ଲେଖିଲାନି ବିହି ପରା।
ଦୂରରୁ ଦେଖୁଛି ସିନ୍ଦୂର ଫରୁଆ
ଲୋଭ ହୁଏ ଧରିବାକୁ
ଡରଲାଗେ ପୁଣି ସିନ୍ଦୂରକୂ ଦେଖି
ନିନ୍ଦୁଛି ମୋର ଭାଗ୍ଯକୁ।
କେତେ କଥା ଦିନେ ଭାବିଥିଲି ମୁହିଁ
ହେବା ମୁଁ କାହାର ବାମା
ଜାଣି ମୁଁ ନଥିଲି ପଳାସ ଫୁଲ ମୁଁ
ରୂପ ଅଛି ବାସ ହୀନା।
ସାତ ସପନ ତ ସିନ୍ଦୂର ମୋ ପାଇଁ
ଦେଖିବାକୁ ମନା ନାହିଁ
ଦେବୀ ପୂଜା ପାଇଁ ଧରି ତ ପାରିବି
ନିଜ ପାଇଁ ମନା ସେହି।
ଜାୟା ହେବା ପାଇଁ ଭାଗ୍ୟରେ ମୋହର
ଷଠିଦଶୀ ଲେଖା ନାହିଁ
ନାରୀର ପୂର୍ଣ୍ଣତା ଜନନୀ ହେବାରେ
ମୋ ପାଇଁ ତ ଅଧା ସେହି।
ପୂର୍ବ କର୍ମଫଳ ଭୋଗୂଅଛି ମୁହିଁ
ଦୋଷ ମୁଁ କାହାକୁ ଦେବି
ଜଳିଜଳି ଯେବେ ବିତରେ ଆଲୋକ
ସେହି ଏକା ଅନୁଭବି।
ଆସିଛନ୍ତି କେତେ କହିଛନ୍ତି ପରା
ଜଳିବାରେ ମୋର ଧର୍ମ
ପଥ ପ୍ରଦର୍ଶକ ହୋଇ ମୁଁ ପାରିଲେ
ଧୋଇଯିବ ସବୁ କର୍ମ।