ପିତୃପକ୍ଷ
ପିତୃପକ୍ଷ
କଥାଅଛି ଶାସ୍ତ୍ରେ ଏଇ ପିତୃପକ୍ଷେ
ପିତୃଲୋକ ଧରାପରେ
ଆସି ବିଚରଣ କରନ୍ତି ଖୁସିରେ
ପ୍ରିୟଜନ ପରିବାରେ ।।
ଯିଏ ଯାହା ଦିଏ ପିତୃଙ୍କ ଉଦ୍ଦେଶ୍ଯେ
ବ୍ରାହ୍ମଣ ଭୋଜନ ଦାନ
ଜଳ ତର୍ପଣ, କୁଆ କୁ ଭୋଜନ
ଗୋ ମାତା କୁ ଦିଏ ଅନ୍ନ ।।
ତାହାଙ୍କ ମାଧ୍ଯମେ ପାଆନ୍ତି ପିତରେ
ଅଧିକ ଖୁସି ହୁଅନ୍ତି
ପରିତୃପ୍ତ ହୋଇ ଆନନ୍ଦିତ ମନେ
ଆଶିଷ ବରଷି ଦ୍ୟନ୍ତି ।।
ମହାଭାରତରେ କର୍ଣ୍ଣ ରାଜାଙ୍କର
ହେଲା ଯେବେ ବୀରଗତି
ଦାନବୀର ବାନା ଉଡୁଥିଲା ରଥେ
ସରଗ କୁ କଲେ ଗତି ।।
ଯୁଆଡେ ଚାହିଁଲେ ଭଳି ଭଳି ଖାଦ୍ଯ
ମନ ପସନ୍ଦର କେତେ
ଭୋକିଲା ଥିଲେସେ, ଖାଇବାକୁ ଇଚ୍ଛା
ମାଗିଲେ କାହାକୁ କେତେ ।।
ଯାହାକୁ ମାଗନ୍ତେ ହିରା, ନୀଳା, ମୋତି
ସ୍ବର୍ଣ୍ଣ ଅଳଙ୍କାର ମାନ
ନିଅ ବୋଲି ଆଣି ସମୀପେ ଦିଅନ୍ତି
କରହେ ରାଜା ଗ୍ରହଣ ।।
ମହାରାଜା କର୍ଣ୍ଣ କହନ୍ତି ଏ ସବୁ
ଖାଇବା ପଦାର୍ଥ ନୁହଁ
ଭୋକିଲା ଅଛି ମୁଁ କେତେ ଦିନ ହେବ
ଅନ୍ନ ଜଳ ମତେ ଦିଅ ।।
କହିଲେ ସଭିଏଁ ତୁମ୍ଭେ ଦାନୀ କର୍ଣ୍ଣ
କରିଛ ଅନେକ ଦାନ
ଅନ୍ନଦାନ କେବେ କରିଅଛ କିହେ
ମିଳିବ ତୁମ୍ଭେ ଭୋଜନ ।।
ଅନ୍ନଦାନ ଅଟେ ମହା ପୂଣ୍ଯ ଦାନ
ପ୍ରାଣୀ ଆତ୍ମା ହୁଏ ତୋଷ
ଅନ୍ନଦାନ କରୁଥିବା ଲୋକଙ୍କର
ବଢେ ଧନ, ଆୟୁ, ଯଶ ।।
ଧର୍ମରାଜେ ଚାହିଁ ମହାଦାନୀ କର୍ଣ୍ଣ
କହନ୍ତି ହେ ଦେବ ଧର୍ମ
ଏକପକ୍ଷ ମତେ ଦିଅନ୍ତୁ ସମୟ
ଯିବି ମୁହିଁ ମର୍ତ୍ତ୍ୟ ଧାମ ।।
ଅନ୍ନଦାନ ମୁହିଁ କରିବି ମରତେ
ବ୍ରାହ୍ମଣ ଭୋଜନ ଛଳେ
ଧର୍ମକାର୍ଯ୍ୟ କରି ଆସିବି ନିଧାର୍ଯ୍ୟ
ମିଶିବି ଦେବତା ମେଳେ ।।
ଅନୁମତି ନେଇ ଧର୍ମ ରାଜାଙ୍କର
କର୍ଣ୍ଣ ରାଜା ଥିଲେ ଆସି
ପିତୃପକ୍ଷ ବୋଲି ସେହି ସମୟକୁ
କହନ୍ତି ଜଗତ ବାସୀ ।।
ସେହି ଦିନଠାରୁ ଏହି ପିତୃପକ୍ଷ
ପାଳନ୍ତି ଧରାରେ ଜାଣ
ଶ୍ରଦ୍ଧା, ଭକତି ରେ ପିତୃଙ୍କ ସକାଶେ
କରିଥାନ୍ତି ପିଣ୍ଡ ଦାନ ।।
କମଳିନୀ ଦେବୀ
