ଫକୀରଙ୍କୁ ପଦେ
ଫକୀରଙ୍କୁ ପଦେ
ହେ ଫକୀର,
ଦେଖି ଯାଅ ନିଜେ ଆସି
କେମିତି ଜୀଉଁଛି ଏ ଜାତି ମଣିଷ
(ତୁମେ) ଗଲା ପରେ ହସି ହସି ।
ସାରିଆ ଭଗିଆ ଏବେ ବି ପୀଡ଼ିତା
ମଙ୍ଗରାଜ ନୂଆ ରୂପେ,
ଲଛମାନିଆ ତ ଦିଶୁ ନାହିଁ କାହିଁ
ମାମୁଁ ମରେ ଅଭିଶାପେ ।
ଛଅ ମାଣ ଆଉ ନାହିଁ ହେ ଫକୀରେ
ଆଠ ଗୁଣ୍ଠ ବାକି ରହିଛି ,
ସେଇ ଆଠ ଗୁଣ୍ଠ ଜାଗାରେ ମୁନୀସ୍
ନିଘୋଡ଼ ନିଦରେ ଶୋଇଛି ।
ରେବତୀ ଯାଉନି ପାଠ ପଢ଼ି ଆଉ
ବଳତ୍କାରୀ ବାଟ ଜଗିଛି ,
ଏକାଟା ପାଇଲେ ଟେକାଟା ମାରୁଛି
ଟେକି ନେଇ ଝୁଣି ଖାଉଛି ।
ବାସୁ ମାଷ୍ଟର ତ ମାଷ୍ଟର କୁ ବାସୀ
ଯୌନ ପିପାସୁ ସାଜିଛି,
ରେବତୀର ରାବ ଶୁଭୁନି କାହାରେ
ମଙ୍ଗରାଜ ମଙ୍ଗ ଧରିଛି ।
ଧୂଳିଆ ବାବା ତ ଲମ୍ପଟ ଲାଞ୍ଚୁଆ
ଝାଡ଼ି ଝୁଡ଼ି ଧୂଳି ବସିଛି ,
କଣା ମାମୁଁ ତୁମ ଗାଡ଼ିରେ ବୁଲୁଛି
ବାଡ଼ିରେ ଦାଢ଼ିକୁ ଚାଞ୍ଛୁଛି ।
ରାଣ୍ଡି ପୁଅ ରାଣ୍ଡି ପିଣ୍ଡିରେ ବସିକି
ରାଣ୍ଡିକୁ ଦରାଣ୍ଡି ଆଣୁଛି ,
ଦଣ୍ଡି ମିଳୁ ନାହିଁ ମଣ୍ଡିରେ ଫକୀର
ତୁଣ୍ଡି ଦେଇ ଚାଷୀ ବୁଲୁଛି ।
ଶହେ ବର୍ଷ ତଳୁ ନାରୀ ଶିକ୍ଷା ହେଉ
ଜାଗି ଥିଲା ତୁମ ମନେ ,
ନାରୀ ଆଗେଇଲେ ଦେଶ ଆଗେଇବ
ଫୁଙ୍କିଲ ଏ ଜାତି କାନେ ।
ନାରୀ ସେବେ ଥିଲା ଅବଳା ଦୁର୍ବଳା
ଏବେ ବି ଲୁଣ୍ଠିତା ହେଉଛି,
ଡେଇଁଲେ ଏରୁଣ୍ତି ହୁଏ ଖଣ୍ଡି ଖଣ୍ଡି
କେରାଣ୍ଡି ର ସମ ମରୁଛି ।
ଶାରିଆ କିଣିକି ସରକାରୀ ସାର
ବାଡ଼ି ପଟେ ମଦ ରାନ୍ଧୁଛି ,
ଭଗିଆର ଭାଗ୍ୟ 'କାଳିଆ ଯୋଜନା'
ଆହାର କେନ୍ଦ୍ରକୁ ଧାଉଁଛି ।
ଆଖୁ କିଆରିରେ ମାଡ଼ୁ ନାହିଁ ପାଣି
ମାହାରିଆ ଶୁଖା ପଡ଼ିଛି ,
ଶହେ ପାନ ଆଉ ଦୁଇଶ' ଗୁଆରେ
ଅଭାବୀ ସଂସାର ଚଳୁଛି ।
ମଲ୍ଲିକାଶପୁର ମଲ୍ଲି ଏବେ ଯାଇ
ମଲ୍ଲିକା ମାଳତି ସାଜୁଛି ,
ରଙ୍ଗବତୀ ରଙ୍ଗ ଫିକା ପଡ଼ିଲାଣି
ବଙ୍ଗ ରୁ ବାରଙ୍ଗ ଧାଉଁଛି ।
ନେତି ବୋଉ ନେତା ପଛରେ ଧାଉଁଛି
ଛତା ଧରି ଚାଲେ ଗେରସ୍ତ,
ତଥାପି ତ ନାରୀ ପାଉନି ସୁରକ୍ଷା
ନାରୀ ଠାରେ ନାରୀ ପରାସ୍ତ ।
କେତେ କଥା ଆଉ କହିବି ଫକୀର
ନିଜକୁ ଧିକ୍କାର ଲାଗୁଛି,
ଏ ଦେଶର ନର ଏବେବି ଫକୀର
ଅଇଁଠା ପତର ଚାଟୁଛି ।