ଫଗୁଣ ଦେଇଛି ପହିଲି ଚିଠି
ଫଗୁଣ ଦେଇଛି ପହିଲି ଚିଠି
ମାଘ ହୋନ୍ତେ ଅନ୍ତ ରୂପସୀ ବସନ୍ତ
ଧରଣୀ କୋଳରେ ପଡ଼ିଲା ଲୋଟି
ସତେ କି ଲାଗଇ ପ୍ରକୃତିରାଣୀକୁ
ଫଗୁଣ ଦେଇଛି ପହିଲି ଚିଠି ?
ଆସିବି ଆସିବି ବୋଲି କହି କହି
ପୂରିଗଲା ଯେବେ ଏକ ବରଷ
ଚିଠିଟି ଭିତରୁ ତା' ପରିଭାଷାରୁ
ଛୁଟିଲା ଆହା ! କି ମଧୁର ବାସ ।
ପତରେ ପତରେ ଫୁଲରେ ଫୁଲରେ
ମଧୁ ମଳୟରେ ତା'ର ଝଲକ
ତନୁରେ ତନୁରେ ବୋଳେ ସପ୍ତରଙ୍ଗ
ବିଭୋରେ ଅନ୍ତର ତୋଳେ ପୁଲକ ।
କୋକିଳ କଣ୍ଠର ସୁମଧୁର ସୁରେ
ଆମ୍ରକନନଟି ଉଠେ ଉଲ୍ଲସି
ମଧୁପାୟୀଙ୍କର ମଧୁ ଗୁଞ୍ଜରଣ
ଆମ୍ବ ବଉଳରୁ ଆସଇ ଭାସି ।
ମେଲିଦିଏ ହୋଲି ତା' ରଙ୍ଗ ପସରା
ଭାଇଚାରା ବୁଣି ଚାଲନ୍ତି ଜନେ
ଜୀବନକ୍ଷେତଟି ହସଇ ସତେକି
ଫଗୁଣ ଚିଠିକୁ ଅବଲୋକନେ ।
ଶ୍ରୀରାଧାମାଧବ ଚଢ଼ି ବିମାନରେ
ବାହାରି ଯାଆନ୍ତି ମେଲଣ ଥାନ
ଭାବଭକ୍ତି ରସ ଛୁଟାଇ ଭକତେ
କରିଥାନ୍ତି ଚର୍ମଚକ୍ଷୁ ପାବନ ।
ଗୋପାଳ ବାଳକେ ବାଡ଼ି ଖେଳେ ମାତି
ଫଗୁ ଫୁଆରାରେ ନାଚିନାଚିକା
ଦେଖଣାହାରୀଙ୍କୁ ନେଇଥାନ୍ତି କିଣି
ସତେ ଗୋପପୁର ସଖୀ ଦୂତିକା ।
ଚିଠିର ଶେଷରେ ଚଇତ୍ରକୁ ଡାକି
କହଇ କାନରେ ବସନ୍ତ ଗାଥା
ଚଇତି ଘୋଡ଼ାକୁ ସଜାଇ ଧୀବର
ଗୀତେ କହେ ଘୋଡ଼ା ନାଚର କଥା ।।