ପଦାରେ ଶୀତୁଆ ସଂଜ
ପଦାରେ ଶୀତୁଆ ସଂଜ
କିଏ ଜାଣି ଥିଲା ଭାରତ ବନ୍ଦ
ଦିନ ଯାଇ ହେଲା ସଂଜ ,
ଗାଡ଼ି ଘୋଡ଼ା ନାହିଁ ଯିବି ବା କେମିତି
ନାହିଁ ପାଶେ ଶୀତ ସଜ ।
ଶୀତ ଜାଣେ ନାହିଁ ଧନୀ କି ଗରିବ
ସଭିଙ୍କୁ ଥରେଇ ମାରୁଛି ,
ଛାତ ତଳେ ଥାଅ ଛତା ତଳେ ଥାଅ
ଶୀତ ତା ପଛରେ ଧାଉଁଛି ।
ଆଜି ମୁଁ ବୁଝୁଛି ଅଭାବୀ ମଣିଷ
ଶୀତରେ କେମିତି ଜୀଉଁଛି ,
ଖୋଲା ମେଲା ଏଇ ଆକାଶଟା ତଳେ
ଜୀବନ ସାଙ୍ଗରେ ଯୁଝୁଛି ।
ଯୁଆଡ଼େ ଚାହିଁଲେ ଶୀତର ଲହରୀ
ବାଘ ଭଳି ମାଡ଼ି ବସିଛି ,
କଅଁଳା ବାଛୁରୀ ପରି ମୋ ପାଦଟା
ଶୀତେ ଏଠି ସେଠି ପଡ଼ୁଛି ।
ମନୁ ରିକ୍ସାବାଲା ମନ କଥା ଜାଣି
ନିଆଁ ଟିକେ ଆଣି ଜାଳୁଛି ,
ଭାରଯା ତାହାର ଛୁଆଟାକୁ ଧରି
ପିନ୍ଧା କାନି ଟାଣି ଘୋଡ଼ୁଛି ।
ସାତ ସିଆଁ ଚିରା ଚାଦର ଘୋଡ଼େଇ
ବୁଢ଼ା ଭିକାରିଟି ବସିଛି ,
ଶୀତୁଆ ସଂଜକୁ ଉଷୁମ କରିବ
ଖଣ୍ଡିଆ ବିଡ଼ିଟେ ଟାଣୁଛି ।
କୁଁ କୁଁ ହେଇ କୁକୁର ଛୁଆଟା
ମାଆ ପେଟ ତଳେ ପଶୁଛି ,
ସହି ନପାରିକି ଶୀତର ପ୍ରକୋପ
ବିଲୁଆ ସଂଜରେ ଭୋକୁଛି ।
ଖାଁ ଖାଁ ଲାଗେ ଗାଅାଁରୁ ସହର
ବୁଲା ଷଣ୍ଢ ରଡ଼ି ଛାଡ଼ୁଛି ,
ହାଟ ସାରି ଫେରେ ହାଟୁଆ ହାଟରୁ
ଟିପା ବତୀ ହାତେ ଧରିଛି ।
ସତରେ ବାହାରେ ଶୀତୁଆ ସଂଜରେ
ଜୀଇଁବା ବିଷମ ଲାଗୁଛି ,
ଗୋଟିଏ ସଂଜରୁ ବୁଝିଗଲି ଏବେ
ଅଭାବୀ କେମିତି ବଞ୍ଚୁଛି ।
