ନିସ୍ଵ ଜନର ନିବେଦନ
ନିସ୍ଵ ଜନର ନିବେଦନ
ହେ,ଈଶ୍ୱର ତୁମ ଚରଣରେ ମୁଁ
କୋଟିଏ ପ୍ରଣତି ଢାଳି
ମିନତୀ ମୋହର କରନ୍ତୁ ହେ ଘେନା
ଭକତି କୁସୁମାଞ୍ଜଳି |
ଏ ଶୁଭଲଗନେ ମନ ଉପବନେ
ତୁମରି ସତ୍ତାର ପରଶ ପାଇ
ମୁକୁଳିତ ମନ ବିଲୋଳିତ ହୁଏ
ମନ ମାନକୁ ମୁଁ ଦେଲି ହଜାଇ |
ଜଗତର ତ୍ରାଣ କରତା ତୁମେ ହେ
ଅନେକ ହୃଦୟେ ସରଳ ସୂତ୍ର
ଦେଇଛ, ନେଇଛ ଇଚ୍ଛା ଅନୁସାରେ
ତୁମେ ତ ସଂସାରେ ଅମୋଘ ମନ୍ତ୍ର |
ଶ୍ରୀକ୍ଷେତ୍ର ସୁନ୍ଦର ପ୍ରଭୁ ନିରାକାର
କାନ୍ତ କମନୀୟ ପରମ ବ୍ରହ୍ମ
ଗଗନେ ପବନେ ସଦା ମୁଖରିତ
ତୁମରି ପ୍ରେମର ମହିମାଗାନ |
ପ୍ରତ୍ୟୁଷେ ପ୍ରଦୋଷେ ତୁମକୁ ହିଁ ସ୍ମରେ
କରିବାକୁ ଏହି ସଂସାର ପାର
କିନ୍ତୁ ହେ ଠାକୁର ଏତେ ନିଷ୍କରୁଣ
କାହିଁକି ମୋଠାରେ ଏ ଅବିଚାର |
ରତ୍ନବେଦୀପରେ ବସି କି କଳୁଛ
ମୋର ହୃଦୟର ଅସୀମ ବଳ
ଜୀବନ ସଂଗ୍ରାମେ ହାରିବା ପଥରେ
ତୁମେ ବଢାଇଛ ମୋ ମନୋବଳ |
ଅଜ୍ଞାନ ଅନ୍ଧାର ଦୂର କରିବାକୁ
ଜ୍ଞାନାଲୋକ ତୁମେ ଦୀପର ଶିଖା
ଆଜୀବନ ତୁମ ଶ୍ରୀପଦେ ଶରଣ
ରଖି ଚାଲିବି ମୁଁ ରଖିଣ ନିଷ୍ଠା |
ସ୍ନେହ ମମତାର ସତ୍ୟ ଅହିଂସା ର
ପ୍ରତୀକଟିଏ ମୁଁ ହୋଇବି ସଦା
କରପତ୍ର ଯୋଡି ସତ ମୁଁ କହୁଛି
ଲୋଡ଼ାନାହିଁ ମୋର ସୁଖ ସଉଦା |
କେତେ ଯେ ମାରୁଛ କେତେ ବି ତାରୁଛ
ମୋ ପାଇଁ ଏଥିରୁ ଗୋଟେ ବି ନୁହେଁ
ପାପୀଠାରୁ ପାପୀ ତା ଠାରୁ କି ପାପୀ
ସେ ପାଇଁ କରୁଣା ଉଣା ଯେ ହୁଏ |
ମାଗିବା ଆଗରୁ କାହାକୁ ଦେଉଛ
ସେ କି ବେଶୀ ତୁମ ଆପଣା ଲୋକ
ମୁଁ ମାଗିଲେ କିଛି ମୁହଁ ବୁଲାଉଛ
ନେହୁରା ହେଲେ ବି ଶୁଣୁନା ଡ଼ାକ |
ମୋତେ ନ ଚାହିଁଲେ ନ ଚାହଁ ହେ ପ୍ରଭୁ
ସଂସାର ଲୋକଙ୍କୁ ଚାହଁ ହେ ଥରେ
ସର୍ବ ଦୁଃଖ ହାରୀ କର ଦୁଃଖୁ ପାରି
ରଚ ନାହିଁ ଆଉ ମାୟା କା'ଠାରେ |
