STORYMIRROR

Bhakta Malla

Others

3  

Bhakta Malla

Others

ନୀଳ ଦଂଶନ

ନୀଳ ଦଂଶନ

1 min
13.3K


କାମନାର କାଳ ବୈଶାଖି ଝାଞ୍ଜି

କ୍ଷୀପ୍ର ବେଗରେ ଆସେ,

ଘଡିକ ଭିତରେ ଘର୍ଘର ନାଦେ

ଘଞ୍ଚ ବନକୁ ଧ୍ଵଂସେ;

ଘୃଣାର କୁସୁମ ଜୁଡାରେ ବାନ୍ଧି

ଘୃଣିତ ଜୀବନ ବଞ୍ଚେ ।।

ସେଇ ଯେ କାମନା ତାଣ୍ଡବ ତା'ର ନୃତ୍ୟ

ଛନ୍ଦ ବିହୀନ ବେସୁରା ରାଗର ଗୀତ,

କପଟ କଟାକ୍ଷେ ଚଳାଏ ରଙ୍ଗ ଛୁରୀ

ମୋହିନୀ ମାୟା ତା' କେବେ ବି' ହୁଏନା ଶାନ୍ତ ।।

କାମନାର ଯେତେ କଳାପାଟବତା ଖଣି

ନୀଳ ଦଂଶନ ଜହର ଜ୍ବାଳାର ମଣି

ଜାଗଇ ଜୀବନେ ଦୃପ୍ତ ଦୀପକ ରାଗେ,

ଅବରୋହେ କେବେ ନିମ୍ନକୁ ଖସେ ପୁଣି ।।

ଛଇଳ ଚପଳ ତଡିତ୍ କାମନା ଛନ୍ଦ

କେବେ ଭୀମକାୟ, କେବେ ସେ ମନ୍ଦ ମନ୍ଦ,

ପାର୍ଥିବ ତା'ର କ୍ଷଣ ଭଙ୍ଗୁର ତନୁ,

ତଲ୍ଲୀନ ସିଏ ସ୍ନାୟୁର ସହରେ ବିଦ୍ଧ ।।

ଆହା ! ସେ କାମନା କେଡେ କମନୀୟ କାନ୍ତି

ମୃତ୍ୟୁ ଦୁଆରେ ଭୀତିରୁ ବି ଆଣେ କ୍ରାନ୍ତି ,

ନର୍ମ୍ମ ଦ୍ୟୁତିରେ ନର୍ତ୍ତନ ପ୍ରତିକ୍ଷଣ

ନାହିଁ ତା'ବିଲୟ ନିଷ୍କ୍ରମଣ ଅବ୍ୟାହତି ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ,

ନେମ୍ବରା, କେନ୍ଦ୍ରାପଡା ।

ଦୂରଭାଷ୍ ନଂ 7978122527.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍