ନଈ
ନଈ
ଭସା ମେଘ ସବୁ
ଭାସି ଯାଉ ଥିଲେ
ପାହାଡ଼ରେ ହେଲା ଧକ୍କା ,
ଅବଶ ଦେହକୁ
ଆଉଜେଇ ଦେଲେ
ମାରିବାକୁ ଟିକେ ଥକ୍କା ।
ଅନେକ ଯନ୍ତ୍ରଣା
ସହି ନପାରିକି
ଝରେଇଲେ ଯେବେ ଲୁହ ,
ପାଣି ଦେହ ସିନା
ପାଣି ହେଇଗଲା
ବହି ଗଲା ମିଶି କୋହ ।
ପଥୁରିଆ ପଥେ
ଝରି ଝରି ଆସ୍ତେ
ସମତଳ ଛୁଇଁ ଗଲା ,
ଧରଣୀ ଛାତିରେ
ସେନେହ ପ୍ରୀତିରେ
ନଈ ହେଇ ବହି ଗଲା ।
ପାଣିର ଧର୍ମ ତ
ତଳକୁ ତଳକୁ
କେମିତି ରହନ୍ତା ଅଟକି ?
ନୁଆଁଣିଆ ଦେଖି
ଗଡ଼ି ଯାଉ ଥିଲା
ଖାଇ ଯାଉ ଥିଲା ମାଟିକି ।
ଅଣ୍ଟା ଭଙ୍ଗା ଚାଲି
କଥା ଚୁଲୁବୁଲି
ଲୋକେ କହୁ ଥିଲେ ଛଟିକୀ,
ପ୍ରିୟ କଥା ଭାବି
ଅପ୍ରିୟ କଥାକୁ
ପିଇ ଯାଉ ଥିଲା ବାଟିକି ।
ପାହାଡ଼ର ପାଣି
ନିଏ ତାକୁ ଟାଣି
ସାଗରେ ମିଶିବା ପାଇଁକି ,
ଦେଲେ କେହି ବାଧା
ବାଟ ଭାଙ୍ଗି ଯାଏ
ପଚାରେନି କେବେ କାହିଁକି ?
ଲକ୍ଷ୍ୟତା ମିଶିବ
ସାଗର ସାଥିରେ
ଆସୁ ଯେତେ ବାଧା ବନ୍ଧନ,
ଧାଉଁଛି ଧାଇଁବ
କାହାକୁ କହିବ
ନ ଶୁଣନ୍ତୁ କେହି କ୍ରନ୍ଦନ ।
ନିରିମାଖୀ ଦେଖି
ସଭିଏଁ ପକାନ୍ତି
ମନ ଇଚ୍ଛା ଯେତେ ଅଳିଆ,
ଗାଆଁ ଗହିରିର
ନାଳ ପାଣି ଆସି
ମିଶିକି କରନ୍ତି ଗୋଳିଆ ।
ସଭିଙ୍କୁ ଆଦରି
ନିଜେ ହେଇ ଭାରି
ଧାଉଁଛି ଖାଇକି ପାହାର,
ନଈ କୂଳେ କୂଳେ
ତରୁ ଲତା ଡାଳେ
ସଭିଙ୍କୁ ଯୋଗାଏ ଆହାର ।
ନଈରେ ବିଶ୍ୱାସ
ଚାଷୀ କରେ ଚାଷ
ପାଣି ନିଏ ହାତ ବଢ଼େଇ,
ଆସିଲେ ବରଷା
ତୁଟେଇ ଭରସା
କ୍ଷେତୁ ଦିଏ ପାଣି ଗଡ଼େଇ ।
ଫାଙ୍କା ଫାଙ୍କା ଦେଖି
ସଖା ସଙ୍ଗେ ସଖି
କରନ୍ତି ଗୋପନର ଆଳାପ,
ଆଉ କେବେ ପୁଣି
କେଉଁ ବିରହୀଣି
କରୁଥାଏ ବସି ବିଳାପ ।
ସବୁ ଦେଖି ଦେଖି
ସାଜେ ମୂକ ସାକ୍ଷୀ
କାହା ଦୁଃଖ କେତେ ସହିବ,
ନିଜ ଦୁଃଖେ ଭାରି
କାହା ଆଗେ ଗୁହାରି
କି ଅବା କାହାକୁ କହିବ ?
ଅଶୌଚ ଆସି
ଶୌଚ ହେଉଛି
ବାସି ଲୁଗା କିଏ ଧୋଉଛି ,
ବାସି ମଢ଼ ଫିଙ୍ଗି
ଦୂଷିତ କରନ୍ତି
ତଥାପି ସବୁକୁ ସହୁଛି ।
ଚତୁର ଧୀବର
କରଇ ନିର୍ଭର
ମାଛ ଧରି ବିକେ ହାଟରେ ,
ବେପାର ସାରିକି
ସାଧବ ଫେରିକି
ଡଙ୍ଗା ଲଗେଇବ ଘାଟରେ ।
କେ ପାରିବ ମାପି
ବୁକୁ ତଳେ ଚାପି
କେତେ ଯେ ରଖିଛି କୋହ,
ପଛକୁ ଫେରେନି
କା କଥା ଶୁଣେନି
ଧାଉଁଛି ସାଗରେ ମୋହ ।
