ମୋ କବିତାର ଗଳ୍ପ
ମୋ କବିତାର ଗଳ୍ପ
1 min
1.2K
ଜ୍ବରୁଆ ସୂର୍ଯ୍ୟଙ୍କ ଏକ ଭିଜା ସକାଳରେ
ରାତି ଉଜାଗର ଶିଶିର
ମୁହଁ ଜାକି ଶୋଇଥିଲା ଘାସରେ ପତ୍ରରେ
ଖବରକାଗଜ ବିକାଳୀର ସଜା ଫୋପଡା
ଅଖବର ଫର୍ଦ୍ଦର ବାହାରେ
ବିଜ୍ଞାପନ ବଗିଚାରୁ ବାହାରି
ଅକ୍ଷରମାନେ ହେଉଥିଲେ ଟଣାଟଣି
'ଶବ୍ଦ' ହେବାଲାଗି ନିଜ ନିଜ ଭିତରେ
ସ୍ନେହରେ ଡାକିଦେଲି ଆସ ହେ!
ଗଢି ସଜେଇ ରଖିଦେଲି ମନ ପସନ୍ଦର 'ଶବ୍ଦ'
ଥାକ ଥାକ ବହି ଓ ବ୍ଯସ୍ତତା ସନ୍ଧିରେ
କହିଦେଲି ହୋ ହାଲ୍ଲା କରିବନି ବେଶୀ
ବାହାରେ ବିରୋଧୀ ସାଜି ଅନ୍ଯକୁ ଲଢାଇ
ଭିତରେ ସ୍ବ-ସ୍ବାର୍ଥ ଲାଗି କୋଳାକୋଳି
ରାଜନେତା ଭଳି ଗପସପ ହେଉଥାଅ ବସି
ଫେରିଲେ ସାଥୀହୋଇ ମିଶି
ବୁଲି ଆସିବା ବଜାର ଘାଟ ନଈକୂଳ ସଂଧ୍ୟାରେ
ଶୁଣି ଆସିବା ଦୁନିଆର ଖବର ଚା' ଖଟିରେ
ମନଉଣା କରିବନି କହିଲେ କେହି
ହାତଗୋଡ଼ ଛାଟୁଛି କନ୍ଯା ଶିଶୁ ନର୍ଦ୍ଦମା କଡରେ
ଅବୟସର ଫୁଲ ଫୁଟିଛି ଅନାଥାଶ୍ରମରେ
କ୍ଷତାକ୍ତ ଅଚିହ୍ନାଟିଏ ଶବ ହୋଇ ପଡିଛି ନଦୀ ପଠାରେ
ଜାଣିଛ ତ !
କେତେ କଣ ଘଟେ ଆଜିକାଲି ନିଶୀଥ ପ୍ରହରେ
ଏଣୁ ତୁମକୁ ନେଇ ନୂଆ କବିତା ଲେଖିବି
ଆଜି ରାତି ବିଳମ୍ବ ଘଡିରେ
ଫେରିଲାବେଳକୁ ବିଳମ୍ବ ସଂଧ୍ୟା
ଡାକିଆଣିଥିଲା ରାତି
ଦେଖେତ ନାହାନ୍ତି 'ଶବ୍ଦ' କେହି
ଜଣକୁ ଛାଡି ରଖିଲା ଯାଗାରେ
ଭାବରେ ପେଟ ପୁରିବନି କହି
ମିଛ ସତକୁ ଭିଡି ଟାଣି ବିଜ୍ଞାପନରେ
ବାକିସବୁ ଡେଇଁ ମିଶିଗଲେ 'ଅକ୍ଷର' ହୋଇ
ଆଉ କିଛି 'ମାତ୍ରା' ନିରାପଦ ମଣି
ମିଶିଗଲେ ବର୍ଣ୍ଣବୋଧରେ
'କବିତା' ଅଟକି ଯାଇଥିବା ଶବ୍ଦଟିଏ
ରହୁ କି ନରହୁ କେହି
ସମୟ ଦାଉରେ ଯାଇନି ଛାଡି
ଯା' ଆସ କରେ ନିଶ୍ବାସରେ
ରକ୍ତ ହୋଇ ବହୁଥାଏ
ମୋ ଭାବ ରେ ମୋ ତୃଷ୍ଣା ରେ....
ଆଶିଷ ମହାପାତ୍ର