STORYMIRROR

Biswanath Nayak

Others

3  

Biswanath Nayak

Others

ମାଟି ବୈକୁଣ୍ଠ-------------

ମାଟି ବୈକୁଣ୍ଠ-------------

1 min
18


ବୁଦ୍ଧ ନୁହେଁ ମୁହିଁ

    ସାଧନା କରିବି

        ବୋଧିଦ୍ରୁମ ତଳେ ଯାଇ,

ମାଟିର ମଣିଷ ,

     ମୋ ଜନମ ମାଟି

         ମୋ ପାଇଁ ସାଧନା ଭୂଇଁ। 


ଜଗତ ଜଞ୍ଜାଳେ

     ସନ୍ତାପିତ ହୋଇ

          ବହେ ଯେବେ ଶ୍ରମଝାଳ,

ଧରଣୀ ପରାୟେ

      ପିଏ ସେହି ଝାଳ

            ମାଆ ମମତା- ଅଞ୍ଚଳ। 


ବିପଦ ଆପଦେ

      ରାହା ଖୋଜେ ଯେବେ

             ଭରସା ଟିକିଏ ପାଇଁ,

ଏଠାରେ ମିଳଇ

       ପିତାଙ୍କ ଆଶିଷ

              ସତେକି ଆକାଶ ଛାଇ। 


ନିତି ସଞ୍ଜବେଳେ 

       ଘର ଅଗଣାରେ

              ତୁଳସୀ ଚଉରା ମୂଳେ,

ପରିବାର ସୁଖ

        ମାନସିକ କରି

              ମାଆ ସଞ୍ଜବତୀ ଜାଳେ। 


ଘର ମୋର କାବ୍ୟ

       ଘର ମୋ କବିତା

              ଘର ମୋର ସବୁ ଆଶା,

ଯେଉଁଠି ପ୍ରେୟସୀ

      ‌କହିଥିଲା ମୋତେ

               ପହିଲି ପ୍ରଣୟ ଭାଷା। 


ସର୍ବ ଦେବପୂଜା

       ତୀର୍ଥ ବ୍ରତ ଫଳ

               ସାଧନାର ଯେଉଁ ଲାଭ,

ପିତାମାତା ସେବା

       ପ୍ରସାଦରୁ ମିଳେ

               ଯୋଗୀଙ୍କୁ ଯାହା ଦୁର୍ଲ୍ଲଭ। 


ତୀର୍ଥ ବ୍ରତ ମୋର

        ନାହିଁ ଦରକାର

               ଘର ମୋ ସାଧନା ପୀଠ,

ପିତାମାତା ଯହିଁ

        ଚଳନ୍ତି ଦେବତା

               ସେହି ମୋ ମାଟି ବୈକୁଣ୍ଠ। 



Rate this content
Log in