ଲୁହ ମୋର ସାଥୀ
ଲୁହ ମୋର ସାଥୀ
ଏହି ଦୁନିଆଁରେ ସାଥୀ କିଏ ଥରେ
ଭାବି ଦେଖ ମନେ ମନେ
ସୁଖରେଦୁଃଖରେ ଥାଏ ପାଶେପାଶେ
ଛାଡ଼ି ନଯାଇକି ଦିନେ ।
ବାପା ମାଆ ଭାଇ ସଖା ସହୋଦର
ଦିନେ ବି ଯାଆନ୍ତି ଛାଡ଼ି
ମାନବ ଶରୀର ନଶ୍ବର ଯେଣୁ ସେ
ପ୍ରାଣ ପକ୍ଷୀ ଯାଏ ଉଡ଼ି ।
ଦେହର ଛାଇ ବି ଅନ୍ଧାର ହୋଇଲେ
ପାଶେ ରହି ପାରେ ନାହିଁ
ପ୍ରାଣ ପକ୍ଷୀ ମଧ୍ଯ ଅନ୍ଯ ଘଟ ପାଇ
ଚାଲିଯାଏ ପୁଣି କାହିଁ ।
ହେଲେ ଆଖି ଲୁହ କୌଣସି ସ୍ଥିତିରେ
କରି ନଥାଏ ଟି ପର
ମନ ଭାବନାକୁ ସଫା ସୁତରରେ
କରଇ ପ୍ରକାଶ ତା'ର ।
ଅନ୍ତର ବେଦନା ଆନନ୍ଦ ମୂର୍ଚ୍ଛନା
ଯେବେ ଜାଗେ ହୃଦୟରେ
ଆଖି ବାଟ ଦେଇ ଲୁହ ଦୁଇଟୋପା
ଝରିଯାଏ ନିର୍ବିଘ୍ନରେ ।
ଆଶାଠୁଁ ଅଧିକ ପାଇଲେ ସହଜେ
ଆନନ୍ଦାଶ୍ରୁ ଆସେ ବହି
ଅତି ପ୍ରିୟ ବସ୍ତୁ ହରାଇଲେ ଦୁଃଖେ
ଲୋତକ ପଡ଼ଇ ଝରି ।
ମନର ଭାବନା ଆସଇ ଯେବେଳେ
ଅପ୍ରତ୍ଯାଶିତ ସ୍ବରୂପେ
ଅଶ୍ରୁ ବିଗଳିତ ହୁଅଇ ନୟନୁଁ
ସେହି ଭାବନା ପ୍ରକାଶେ ।
ସୁଖରେ ଦୁଃଖରେ ଲୁହ ମୋର ସାଥୀ
ଥିବା ଯାଏ ଦେହେ ପ୍ରାଣ
ହେ ଲୁହ ତୁମକୁ କରୁଛି ସଲାମ
ରୁହ ସାଥୀ ଚିର ଦିନ ।
