କୁଟକୁଟା ବର୍ଷା
କୁଟକୁଟା ବର୍ଷା
ରାତ୍ରିଚର ପରିବାର
ସମସ୍ତ ସଦସ୍ୟ ପ୍ରବର
ଶେଜ ଶୁଙ୍ଘନ୍ତି ଗଡିଗଲେ
ବିଭାବରୀ ବାର ପ୍ରହର ।
ମିଛ କହିଲି ବୋଧେ !
ଥକି ପଡ଼ନ୍ତି ବେହାଲ
କେଞ୍ଚି କେଞ୍ଚି ମୋବାଇଲ
ଜଣା ପଡ଼େନା ଶର୍ବରୀର ମୂଲ ।
କେବେ ଆଖିପତା ମୁଦିପଡ଼େ
କେବେ ଘୁଙ୍ଗୁଡିର ଶ୍ଵର ଉଡ଼େ
କେବେ ହୁଏ ସକାଳ
କେବେ ସୂର୍ଯ୍ୟସ୍ନାତ ଧରଣୀର କୋଳ ।
ବ୍ୟତିକ୍ରମ ଥିଲା ଆଜି
କୁଟ୍ କୁଟା ବର୍ଷାର ଆତସବାଜି
ବାଦଲ ଫଟା ବିଜୁଳିର ଘନଘଟା
ସହିତ ଘଡ଼ଘଡ଼ି ବୁକୁଫଟା ।
ତନ୍ଦ୍ରା କୋଳେ ରଜନୀର ଶେଷ ପ୍ରହର
ମୋର ତନ୍ଦ୍ରାଚ୍ୟୁତି ଅନୁଭୂତି ପ୍ରଖର
ବସି ଦେଖୁଛି ଗଦଗଦିଆ
ମୂଷଳ ଧାରା ବର୍ଷଣ
ଅନବରତ ଗର୍ଜନ ତର୍ଜନ
ଭାଦ୍ରବେ ପ୍ଳାବନ ।
ଗଳଗଳ ଲଗାଣ କ୍ଷରଣ
ନିଅଣ୍ଟିଆ ମୌସୁମୀର ପୁନଃ ଭ୍ରମଣ
କୁଟ୍ କୁଟା ବାଦଲଫଟା
ବର୍ଷା ନୁହେଁ ତ ରାତି ଆଉଟା
ସଜ ସକାଳର କାକଳୀ କଳରବ
ଭିଜି ସାରିଥିଲେ ମୁଗ୍ଧେ ଘନଘଟା ।