STORYMIRROR

Bijaya Kumarr Senapati

Others

4  

Bijaya Kumarr Senapati

Others

କ୍ଷତ ଚିହ୍ନ

କ୍ଷତ ଚିହ୍ନ

1 min
417

କ୍ଷତରୁ ଝରିଲା ରକ୍ତ 

ବଂଦ ହେବା ନ ଧରିଲା ନାଆଁ,

ଖୋଜୁଥିଲା କାଳେ କେଉଁ ଚିହ୍ନାହାତ

ଚିପିଧରି ଜୋର୍ କରି 

ଥମିଯା ଥମିଯା ବୋଲି କହନ୍ତା କି ଆହା ?

ସେମିତିକା କିଛିବି ହେଲାନି,

ରକ୍ତ ପାଣି ପୂଜ ବୋହି

ବଡ ଏକ ଘାଆ ସେ ହେଲାଣି ।


ମାଗିଥିଲେ ବାୟାଣୀ ଲୋ ଦେଇଥାନ୍ତି

ଆକାଶରୁ ଜହ୍ନତାରା ତୋଳି,

ତୁ କିନ୍ତୁ ମାଗିଥିଲୁ ସ୍କୁଲ୍ ପଛ ପଡିଆରେ

ଘଞ୍ଚବୁଦା ଖଟା କାନକୋଳି,

ବୋକା ବୋଲି ଭାବିଥିଲୁ ମୋତେ ତୁହି

ପାଦେ ଯେବେ କଣ୍ଟା ଫୁଟିଥିଲା

ବୋକା ମୁଁ ନଥିଲି ଜମା, ତୋ ପାଇଁକି 

ସବୁ କରିପାରିବାର ନିଶା ଘାରିଥିଲା ।


ବାପା ମୋ ତାଗିଦ୍ କଲେ 

ଧନ ମୋର ହୁଅନା ଅବୁଝା,

ମୁଣ୍ଡ ଝାଳ ତୁଣ୍ଡେ ମାରେ ତୋ ପାଇଁକି 

ମନଦେଇ ପାଠ ତୁ ପଢି ଯା ।

ଗରିବ ଲୋକର ପରା ସ୍ବପ୍ନ କିଛି 

ନ ଥିଲା କି ନାହିଁ?

ସମୟ ଗଡିଲେ ଧନ ହେବୁ ଜାଣ

ବୃଥା ହାଇଁପାଇଁ।


ପଢିଲି ମୁଁ ମନଦେଇ ପାଠ

ସହରରେ ରହି ଯାଇ ପଢିଲି ଅନେକ

ବେଳେବେଳେ ଗାଁ କୁ ଆସିଲେ,

ତୋ ସାଥୀରେ ଦେଖାହୁଏ

ଗାଁ ମୁଣ୍ଡ ବରଗଛ ମୂଳେ।


ପଚାରୁ ତୁ ଘାଆ ତୋର 

ଭଲ ଏବେ ହେଲାଣି କି ନାହିଁ?

କେମିତି କହିବି ତୋତେ ପାଦଘାଆ

ଶୁଖିଗଲା ଅଳ୍ପଦିନ ପରେ ହେଲେ

ଛାତି ତଳେ ଅଛି ସିଏ

ବଡ ଏକ ଘାଆଟିଏ ହୋଇ ।


ତୋ ଲାଜୁଆ ଚାହାଣୀକୁ

ମୁଁ ବୋକାଟା ପଢି ପାରିଲିନି,

ତୁ ବି କୋଉ ସାହସୀ ଯେ

ମନକଥା ଖୋଲି କହିଲୁନି?

ଭଲହେଲା କହିନୁ କି ତୁହି କିଛି

କହିନି ବି ମୁହିଁ,

ନୋହିଲେ ତୋ ସୁଖର ସଂସାରେ ଖାଲି

ହେଉଥାନ୍ତୁ ମିଛେ ହାଇଁପାଇଁ।


ମୁଁ ବି ଭଲରେ ଅଛି

ମୋ ସଂସାର ସୁଖରେ ହସୁଛି

ଗାଁ ବରଗଛ ମୂଳେ କିନ୍ତୁ କେବେକେବେ

ପାଦତଳ ଘା କୁ ଖୋଜୁଛି ।

ଜହ୍ନରେ କଳଙ୍କ ଚିହ୍ନ ପରି ସେଇ ଚିହ୍ନ,

ସୁନ୍ଦର ଲାଗଇ ମୋତେ ମନେପଡି

ହଜିଥିବା ସେ ପୁରୁଣା ଦିନ।


ଆହା ସେଇ କାନକୋଳି କଣ୍ଟା ଅବା

ଖଜୁରୀର ତୀକ୍ଷ୍ଣ କଣ୍ଟାମାନ

ବାଜି ଥରେ ଦିଅନ୍ତାକି 

ଆଉ ଗୋଟେବଡ ଘାଆ ଚିହ୍ନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍