କ୍ରୋଧର ନିଆଁ
କ୍ରୋଧର ନିଆଁ
ତାପ ନାହିଁ ଶିଖା ନାହିଁ
ନଥାଏ ଧୂଆଁ ,
ନିମିଷକେ ଜାଳି ପାରେ
କ୍ରୋଧର ନିଆଁ ।
ହିତାହିତ ଜ୍ଞାନ ଭୁଲି
ଜାଳେ ଦୁନିଆଁ ,
ବୁଦ୍ଧି ନାଶ କରେ ଏହି
କ୍ରୋଧର ନିଆଁ ।
ପୁଞ୍ଜୀଭୂତ ହିଂସା ଫାଟି
ଯେବେ କରେ ଆଁ ,
ଉଦ୍ଗିରଣେ ଜନ୍ମ ନିଏ
କ୍ରୋଧର ନିଆଁ ।
ଚିହ୍ନି ପାରେ ନାହିଁ ରକ୍ତ
ବଂଧୁ କୁଣିଆଁ ,
ରକ୍ତ ନଦୀ ଶୋଷି ନିଏ
କ୍ରୋଧର ନିଆଁ ।
ନର ଜାଳେ ଘର ଜାଳେ
ଜାଳଇ ଗାଆଁ ,
ରାଜ୍ୟ ଜାଳେ ଦେଶ ଜାଳେ
କ୍ରୋଧର ନିଆଁ ।
ମାନେନି ପାଣି ପବନ
ମାନେନି ନିଆଁ ,
ଅଗ୍ନିଠୁ ପ୍ରଖର ଏହି
କ୍ରୋଧର ନିଆଁ ।
ସାବଧାନ ହୁଅ ଭାଇ
ନମାରି ଡିଆଁ ,
ଅଣାୟତ ପରା ଏହି
କ୍ରୋଧର ନିଆଁ ।
ମନକୁ ଆୟତ କର
କରି କିମିଆଁ ,
ଆପେଆପେ ଶାନ୍ତ ହେବ
କ୍ରୋଧର ନିଆଁ ।
