କାଶତଣ୍ଡୀ
କାଶତଣ୍ଡୀ
ଗେହ୍ଲେଇ ଫୁଲେଇ
ମୁହଁକୁ ହଲେଇ
କାଶତଣ୍ଡୀ କହେ ନାକରେ,
ଶରତେ ମରତେ
ମାଆଙ୍କ ଆଗତେ
ରହିବେନି କେହି ଭୋକରେ ।
ବରଷାର ଶେଷେ
ଶରତ ଯେ ଆସେ
କାଶତଣ୍ଡୀ ହସେ ମୁରୁକି,
କମଳକୁ ଧରି
ଉଷା ଆସେ ଥିରି
ଶିଶିର ସିନାନ ସାରିକି ।
ଗୋରୀ ବୋଲି ଶିରି
ଦେଖେନି କାହାରି
ଖେଳୁଛି ପବନ ସାଥିରେ,
ଶିରିଶିରି ବାଆ
ଛୁଏଁ ତାର ହିଆ
ମଜିଛି ପହିଲି ପ୍ରୀତିରେ ।
ନବ ଯଉବନୀ
ପ୍ରେମର ରାଗିଣୀ
ଗାଇ ଗାଇ ଯେବେ ଆସେ ,
ସମୟକୁ ଉଣ୍ଡି
ଦେଖି କାଶତଣ୍ଡୀ
ଖଣ୍ଡିକାଶ ମାରି ହସେ ।
ନୂଆ ଭୁଆସୁଣୀ
ପକାଇ ଓଢ଼ଣୀ
ଆସେ ଯେବେ ନଈ ଧାରେ ,
କାଶତଣ୍ଡୀ ଦେଖି
ମାରେ ତାକୁ ଆଖି
ରାତି ରତି ସ୍ମୃତି ଫେରେ ।
ଓଥରା ବାତେରା
ଯେତେ ଘର ଛଡ଼ା
କାଶତଣ୍ଡୀ ପାଶେ ବସି ,
ଗୁହାରି କରନ୍ତି
କେମିତି ମରନ୍ତି
ପ୍ରିୟା ବିନା ଦିବା ନିଶି ।
ସୁନାର ଫସଲ
ଦେଖି ଚାଷ କୁଳ
ଆନନ୍ଦେ ବିଭୋର ହୁଅନ୍ତି ,
କାଶତଣ୍ଡୀ ରୁଷି
ଯାଏ, ଯେବେ ଚାଷୀ
ଗର୍ଭଣା ସଂକ୍ରାନ୍ତି ପାଳନ୍ତି ।
ଅଦିନିଆ ମେଘ
ମନେ ବହି ରାଗ
ଭାସି ଯାଏ ଯେବେ ଆକାଶରେ
ଜହ୍ନି ଫୁଲ ହସ
କାଶତଣ୍ଡୀ କାଶ
ମିଶି ଯାଏ ପୁଣି ବତାସରେ ।
