STORYMIRROR

Bhakta Malla

Others

3  

Bhakta Malla

Others

ଗଣତନ୍ତ୍ର

ଗଣତନ୍ତ୍ର

2 mins
13.8K


ଗଣତନ୍ତ୍ର ଆଜି ଜଣତନ୍ତ୍ରର କ୍ଷମତା ମୋହରେ ବନ୍ଧା

ସମାଜବାଦଟା ପୁଂଜିବାଦର ଉଡାଏ ଜୈତ୍ର ବାନା,

ଗରିବର ପେଟେ ଦାଉ ଦାଉ ଜଳେ ପ୍ରଳୟ ଅଗ୍ନି କ୍ଷୁଧା

ଦରଦାମର ଚକ୍ରବୃଦ୍ଧିରେ ପିଠିକି ପାଏନା କନା ।।

ଧନୀକ, ବଣିକ- ଅୟସ ଜୀବନ - ଶ୍ରମିକ ରକତ ପିଏ

ଶ୍ରମିକ ସ୍ଵେଦରେ ଗଢାହୁଏ ଏଠି - ବହୁତଳ ଅଟ୍ଟାଳିକା,

ସେଇ ଅଟ୍ଟାଳିକା ନର୍ଦ୍ଦମା କଡରେ ଝୁମ୍ପୁଡି ଯୁବତୀ ଟିଏ

ପେଟ ଭୋକ ପାଇଁ ସଂଚିତ ଦେହ- କରୁଥାଏ କିଣା ବିକା ।।

ନବ୍ୟବାଦର ସଭ୍ୟ ସମାଜ ତାପ ନିୟତିନ୍ତ୍ର ଗୃହେ

ଶୋଷଣର ନୂଆ ଚିତ୍ର ଆଙ୍କନ୍ତି ଲୁଟିବାର ଯେତେ ଫନ୍ଦି,

ସମାଜବାଦର ନୂଆ ଅର୍ଥନୀତି ଜନତା ମନକୁ ମୋହେ

ସ୍ଵପ୍ନ ଦେଖାରେ ନୀରିହ ଜୀବନ ଚିରକାଳ ହୁଏ ଛନ୍ଦି ।।

ଶାସକ ଶୋଷିତ ଦୁଇ ଗୋଟି ଶ୍ରେଣୀ ଚୌଦିଗେ ଆଜି ଉଭା

ଧନୀ ଗରିବର ବିଭେଦ ପ୍ରାଚୀର ହେଲାଣି ଆକାଶ ଛୁଆଁ,

ଦୂର ଦିଗ୍ ବଳୟେ ହଜି ତ ଗଲାଣି ସତ୍ୟ ଜ୍ୟୋତିର ବିଭା

ମିଥ୍ୟା ପ୍ରବଞ୍ଚନା ଆଶ୍ରୟରେ ଆଜି ଛଳନାର ଏ ଦୁନିଆ ।।

ବିପ୍ଳବର ବହ୍ନି କାଳେ ଲାଗିଯିବ- ବିରୋଧି ଏ ଅର୍ଥନୀତି

ସମାଜର ଯେତେ ପୃଷ୍ଠପୋଷକ ରହି ଦୃଷ୍ଟି ଅନ୍ତରାଳେ,

ଜାତି ଧର୍ମର ବିଷ ବିଦ୍ଵେଷ ବୁଣୁ ଥାନ୍ତି ନିତି ନିତି

ଅଜ୍ଞ ଜନତା ବୁଝେ ନାହିଁ କିଛି , ରକ୍ତରେ ହୋରି ଖେଳେ ।।

କଳଙ୍କିତ ଏଇ ଶାସନତନ୍ତ୍ର ଓଠରେ ପୀୟୂଷ ଧାର

ଗର୍ଭରେ ଭରିଛି ଶୋଷଣବାଦର ଉତ୍କଟ ହଳାହଳ,

ଗଣତନ୍ତ୍ରର ଗଳାରେ ଲଗାଏ ତୀକ୍ଷ୍ଣ ଶାଣିତ କ୍ଷୁର

ରମ୍ୟ ବନର ନଗ୍ନ ନୃତ୍ୟ ରେ ବୁଡିଛି ସେ ଚିରକାଳ ।।

କେତେ କାଳ ଆଉ ଚାଲିବ ଚାଲିବ ନିର୍ମମ ଅତ୍ୟାଚାର

ନୀରିହ ଜନତା କେବେ ସେ ଚାଖିବ ଗଣତନ୍ତ୍ରର ସ୍ଵାଦ,

କେତେ କାଳ ଆଉ ଝରିବ ଝରିବ ଆଖିର ଅଶ୍ରୁ ଝର

କେବେ ପୁଂଜିବାଦ କବର ଉପରୁ ଫୁଟିବ ମୁକ୍ତିର ପଦ୍ମ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

20th October 2017.


Rate this content
Log in