STORYMIRROR

SIPRA NAMTA

Others

3  

SIPRA NAMTA

Others

ଘୋଷେ ବିଦ୍ୟମାନ ବଡ ଠାକୁର

ଘୋଷେ ବିଦ୍ୟମାନ ବଡ ଠାକୁର

2 mins
27.4K


ସୁନ୍ଦର ତୁମ ନବ ଯଉବନ ,ସୁନ୍ଦର ତୁମ ଠାଣି

ସକଳ ବିଶ୍ୱବାସୀଙ୍କ ହୃଦ ନେଉଅଛ ତୁମେ କିଣି ।।


ଆକାଶୁ ପୁଷ୍ପ ବର୍ଷଣ ହୁଏ ମୌସୁମୀ ବୁନ୍ଦାର ଧାରେ

ସତେ କି କେଉଁ ଭକତର କଷ୍ଟ ବାଧେ ତୁମ ହିଆରେ ।।


ନର ନାରୀ ଦାଣ୍ଡେ ସନ୍ନିବେଶ ତୁମ ରଥ ଟାଣିବାକୁ

ଲୋକାରଣ୍ୟେ ବଡ କଷ୍ଟ ହୁଏ ତୁମ ମୁହଁ ଦେଖିବାକୁ।।


ଭାରି ଇଛା ହୁଏ ତୁମ ମୁହଁ ଟିକୁ ଏକାନ୍ତରେ ଦେଖିବାକୁ

ନୟନେ ନୟନ ମିଶାଇବାକୁ ପଡେନି ପଲକ ତଳକୁ।।


ବଡ ଦାଣ୍ଡେ ଗଡେ ତିନି ରଥ ତୁମ ଉଡାଇ ବିଜୟ ବାନା

ବର୍ଷକେ ବାହାର ଭ୍ରାତାଭଗ୍ନୀ ସାଥେ,ଲକ୍ଷ୍ମୀ ନ କରନ୍ତି ମନା ।।


ତୁମ ପରଶରେ ନନ୍ଦିଘୋଷ ଆଜି ଧନ୍ୟ ହୋଇଗଲା

ବଡଦାଣ୍ଡ ଶହ ଶହ ଜନତାରେ ଗହ ଗହ ଉଛୁଳିଲା।।


ସୁନ୍ଦର ଟାହିଆ ଅପୂର୍ବ ଦିଶଇ ତିନି ଠାକୁର ମଥାରେ

ଝୁଲି ଝୁଲି ଆସୁଥାନ୍ତି କଳା ଧଳା ବେନିଭାଇ ପହଣ୍ଡିରେ ।।


ଘୋଷ ଯାତରାକୁ ଉଚ୍ଛନ୍ନ ହୋଇ ଯେ ଚାହିଁରହିଥାଅ

ଜଗତ ଜନର ଦୁଃଖ ଦୂର ପାଇଁ ଦରଶନ ଦେଉଥାଅ ।।


ରଥର ମହିମା କିଏ ତୁମ୍ଭର, ଆକଳନ କରିପାରିବ

ବଡ ଏଠି ସବୁ,ରଥ,ପଥ,ଦାଣ୍ଡ,ଆପେ ଆପେ ତ କହିବ।।


ରଥ ଯାତରାକୁ ପହଞ୍ଚି ନପାରି ଡାକିଥିଲା ସାଲବେଗ

ଅଟକି ଥିଲ ଯେ ଯବନର ପାଇଁ ଦେଖି ଭକ୍ତିର ଆବେଗ ।।


ତୁମ ଶ୍ରୀମନ୍ଦିର ମନା ଅଛି ସିନା ,ମନା ନାହିଁ ବଡଦାଣ୍ଡ

ଅଭିମାନ କିଛି ନାହିଁ ମହାପ୍ରଭୁ ତୁମେ ହିଁ ଅଟ ବ୍ରହ୍ମାଣ୍ଡ ।।


ଶ୍ରୀଅଙ୍ଗରୁ ତୁମ ବୋହିଯାଏ ପ୍ରଭୁ ପହଣ୍ଡିର ଶ୍ରମଝାଳ

ପଣ୍ଡାଏ ଦେଖାନ୍ତି ସଗର୍ବେ ତାଙ୍କର ତୁମପାଇଁ ବାହୁବଳ ।।


ତୁମେ କଳାମୁଖ ଉଜ୍ଜ୍ୱଳ ଦିଶଇ ଭକତ ଜନଙ୍କୁ ଦେଖି

ଭକତ ଭକ୍ତି ଭାବରେ ସମର୍ପି ଦେଉଅଛି ହାତ ଟେକି ।।


ଭାଇ ଭଉଣୀଙ୍କୁ ସଙ୍ଗେ ଘେନି ମାଉସୀ ଘରକୁ ଆସି

ପୋଡପିଠା ନାନା ସୁସ୍ୱାଦୁ ବ୍ୟଞ୍ଜନଭୁଞ୍ଜିବାକୁ ହସି ହସି ।।


ଆଡପ ମଣ୍ଡପେ ନିତି ନୂଆ ବେଶେ ଭକତ ପ୍ରେମରେ ମଜ୍ଜି

ଦେଶ ବିଦେଶରେ ଚତୁର୍ଦ୍ଧା ମୁରତି ହୃଦେ ହୃଦେ ଯେ ବିରାଜି ।।


ତୁମେ କର୍ତ୍ତା ,ତୁମେ କ୍ରିୟା ଆଉ ତୁମେ ହିଁ କର୍ମ ଏଇ ସୃଷ୍ଟିର

ତୁମେ ଥାଉଁ ଥାଉଁ ଏଇ ତ୍ରିଭୁବନେ କରିବ କେ' ଦୁଃଖ ଦୂର ।।


ଲୀଳାମୟ ତୁମ ଲୀଳା ଯେ ବିଚିତ୍ର କିଏ ବା ବର୍ଣ୍ଣି ପାରିବ

ତୁମକୁ ବୁଝିବ ଏଇ ଦୁନିଆରେ ଯା ପାଖରେ ଭକ୍ତି ଥିବ ।।



କୋଟି କୋଟି ନମନ ତୁମଶ୍ରୀଚରଣେ ଢାଳଇ ସଚରାଚର

ଆନନ୍ଦ ମନରେ ଘୋଷ ଯାତ୍ରା କର ଜଗତର ବଡ଼ ଠାକୁର ।।



ସିପ୍ରା ନାମତା ( ନମ୍ରତା )

ବାରିପଦା

824985016


Rate this content
Log in