ଦୁଃଖୀ ନାଉରିଆ
ଦୁଃଖୀ ନାଉରିଆ
ମାଆଲୋ ତୁ ମୋତେ କୋଉଠି ଛାଡ଼ିଲୁ
ହେଲିଣି ମୁଁ ବାଟବଣା
ବୁଦ୍ଧି ଦିଶୁନାହି ବାଟ ପାଉନାହିଁ
ସବୁ ଜାଣି ବି ଅଜଣା !
ଦୁନିଆକୁ ଆଣି ଦୁନିଆ ବାଟରେ
ଚଲେଇଲୁ ହାତଧରି
ପରିଚିତ କଲୁ ବାପାଙ୍କ ସାଥିରେ
କୁନି ଓଠେ ଭାଷା ଭରି ।।୧।।
ତୋ ସ୍ନେହ ମମତା ବାପାଙ୍କ ଶାସନ
ଗୁରୁକୃପା ସାଥେଧରି
ଜିବନର ନାଆ ବାନ୍ଧିବି ଭାବିଲି
ଯୌବନରେ ପାଦଦେଇ ।
ଭଙ୍ଗା ନାଆଟାର ନାଉରିଆ କରି
ହାତରେ କାତ ଧରେଇ
ଏକା ଛାଡ଼ିଦେଲୁ କାହିଁକିଲୋ ମାଆ
ଦେଖି ସୁଅ ମୁଁହ ନଇ ।।୨।।
ବାହିବା ଆଗରୁ ଫୁଟା ନାବେ ମୋର
ଗଳି ଆସିଲାଣି ପାଣି ।
ବୁଡ଼ି ଯିବିନିତ ମଝି ନଇ ସୁଏ ?
ଭଉରି ନବନି ଟାଣି ?
ପିଲା ନାଉରିଆ ଜାଣି ତ ନଥିଲି
ନାଆ ବାଛିବାର ବିଧି
ସେଥିପାଇଁ କିବା ଜୀବନ ନଇରେ
ବଣାହେଲା ମୋର ବୁଦ୍ଧି ।।୩।।
ତଥାପି ସାହସ ବାନ୍ଧି ମୁ ମାଆଲୋ
ବାହିବି ସେ ଫୁଟା ନାବ
ବିପଦ ଆପଦ ମାରଣ ତାରଣ
ଭାଗ୍ୟେ ଯାହାଥିବ ହେବ
ତୋ ଆଶିଷ ଘେନି ଯାତ୍ରା ଆରମ୍ଭୁଛି
କଲ୍ୟାଣ କରିବୁ ମାଆ
ହାରିଗଲି ଯଦି କାନ୍ଦିବୁନି ଜମା
ମୁଁତ ଦୁଖୀ ନାଉରିଆ ।।୪।।
କୀର୍ତ୍ତିପୁର,
ପିତଳ, ଗଞ୍ଜାମ।
ଦୂରଭାଷ-୯୪୩୮୬୬୨୮୭୮
