STORYMIRROR

AJITKUMAR MUNI

Others Tragedy

3  

AJITKUMAR MUNI

Others Tragedy

ଧୋକା

ଧୋକା

2 mins
27.5K


ଖୋଜିଛି ତୁମକୁ ପ୍ରିୟା ବିରହି ରୂପରେ

ସାହିତ୍ୟର ଗୋଟି ଗୋଟି ସୁବର୍ଣ୍ଣ ପୃଷ୍ଠାରେ।୧।

ଖୋଜିଛି ତୁମ୍ଭର ସ୍ଥିତି ପ୍ରତିଟି ଯୁଗରେ

ତୁମ୍ଭ ଅବସ୍ଥାନ ଗ୍ରାମ,ନଗ୍ର ପଥଧାରେ।୨।

କାଁହୁ ବୁଝିବଗୋ ମୋର ବିରହ ଯନ୍ତ୍ରଣା

ଖୋଜି ଖୋଜି ପାଇନି ମୁଁ ଅଣୁଏ ସୂଚନା।୩।

ପଚାରିଛି ନଗ୍ର ଗ୍ରାମ ଦ୍ୱାରେ ଦ୍ୱାରେ ଯାଇ

ତୁମ୍ଭ ସ୍ଥିତି ସମ୍ବନ୍ଧରେ କହିଲେନି କେହି।୪।

ଦିନେକ ଠିକଣା ଯେବେ ପାଇଲି ସକାଳେ

କ୍ଷଣିକେ ମୁଁ ପହଂଚିଲି ରାଜଧାନୀ କୋଳେ।୫।

ସମ୍ବାଦ ପାଇଲି ସେଠି ମୁହଁ ସଞ୍ଜ ବେଳେ

ମେଧା ଛାତ୍ରୀ ମରିଅଛି ରଜ୍ଜୁ ଦେଇ ଗଳେ।୬।

କି ଦୁର୍ଭାଗ୍ୟ ଅଦାରିଲ ମୋ ହୃଦୟ ରାଣୀ

କାହିଁ ନଘୋଷିଲ ତୁମ୍ଭ ପ୍ରତିରୋଧ ବାଣୀ।୭।

ନିଜେ ନଚାଳିଲ କାହିଁ ନିଜର ଲେଖନୀ

ଲେଖନୀରେ ନ ଘୋଷିଲ ପ୍ରତିରୋଧ ବାଣୀ।୮।

ପାରନ୍ତ ଦମନ କରି ଛାତ୍ରୀ ନିର୍ଯ୍ୟାତନା

କେଉଁ ଚାପେ ସାଜିଗଲା ଏଡ଼େ ଭିତମନା।୯।

କିବା ସୃଜିଥାନ୍ତ ଭିନ୍ନ ଏକ ଧ୍ଵଂସସ୍ତୁପ

ପ୍ରମାଣ କରିବା ଲାଗି ଆପଣ ସତିତ୍ୱ।୧୦।

କିମ୍ପା ଅଦାରିଲ ପ୍ରିୟା ଅରଣ୍ୟ ରୋଦନ

ଭୀରୁ ପ୍ରାୟେ ଆଚରିଲ ସୀତା ବିସର୍ଜନ।୧୧।

ଆଜି ବି ମୁଁ ମରେ ଭାଳି ତୁମ୍ଭର ଅସ୍ଥିତ୍ଵ

ଦୁଖୀ ମନେ ରଚିବାକୁ ଲୁଣ୍ଠିତ ନାରୀତ୍ବ।୧୨।

କେବେ ପୁଣି ପତି ପରିତ୍ୟକ୍ତ। ଅବଳାରେ

ତୁମ୍ଭ ଉପସ୍ଥିତି ଦେଖେ କାଠଗଡା ପରେ।୧୪।

କାନ୍ଦି କାନ୍ଦି ମଗୁଥାଅ ତୁମ୍ଭ ଅଧିକାର

ନୟାନୁ ନିଗାଡି ତପ୍ତ ଲୋତକର ଧାର।୧୪।

ଅବା ଜୀବନ ଯୁଦ୍ଧରେ ହାରିଗଲା ପରେ

ମୁଠେ ଦାନା ଖଣ୍ଡେ କନା ଯୋଗାଡ଼ ଆଶାରେ।୧୫।

ଦରମରା ସାଜି ଦେହଜିବି ଚରିତ୍ରରେ

ଦେଖିଛି ତୁମକୁ ନିଷିଦ୍ଧ ଅଞ୍ଚଳରେ।୧୬।

କେବେ ପୁଣି ନବବିବାହିତା ଅବସ୍ଥାରେ

ଅର୍ଧଦଗ୍ଧ ଶବ ତୁମ ଦେଖିଛି ନିଆଁରେ ।୧୭।

ଜଳି ପୋଡି ମଲାବେଳେ ଯୌତୁକ ଯୁଇରେ

କାନ୍ଦିଛି ମୁଁ ସମ ଦୁଃଖେ ତୁମରି ଚିତ୍କାରେ।୧୮।

ନିତି ପୁଣି ଦେଖୁଅଛି ସହର ଗ୍ରାମରେ

ଘଟୁଥିବା ନାବାଳିକା ଅପହରଣରେ।୧୯।

ପୁଣି ଯେବେ ବୁଲୁଥାଅ ଚାକିରୀ ଆଶାରେ

ନଥିପତ୍ର ବୋଝ କରି ଆପଣା ପିଠିରେ।୨୦।

ଶୁଣିଛି ଚିତ୍କାର ତୁମ ପ୍ରାସାଦ ଭିତରେ

ଦେଖିଛି କ୍ରନ୍ଦନରତା ଧର୍ଷିତା ରୂପରେ।୨୧।

ଆପଣା ଲାଜ ଲୁଚାଏ ଯେ ଚିଣ୍ଡା କପଡ଼ାରେ

ରହେ ପୁଣି ତୈଳ ଶୁନ୍ୟ ତାମ୍ର କବରୀରେ।୨୨।

ସହରତଳି ବସ୍ତି ର କିଶୋରୀ ଦେହରେ

ଦେଖିଅଛି ତୁମ୍ଭ ସ୍ଥିତି ପ୍ରତିମୁହୂର୍ତରେ।୨୩।

ପୁଣି କେବେ ସୁନାର ସଂସାର ପ୍ରଲୋଭନେ

ତୁମ ହତ୍ୟା ଦେଖିଅଛି ନିର୍ଜନ ଅରଣ୍ୟେ।୨୪।

ଅବା ପୁଣି ଚଳଚ୍ଚିତ୍ର ନାୟିକା ଆଶାରେ

ଦୁଷ୍କର୍ମ ଶିକାର ଶୁଣେ ତୁମରି ମୁଖରେ।୨୫।

ଆଜି ବି କିଲାଗି ରୁହ ଦୁର୍ବଳା ରୂପରେ

ମରିମରି କାଳ କାଟ ନିର୍ଯ୍ୟାତନା ଭାରେ।୨୬।

ମନୁ ତେଜି ନାରୀତ୍ବର ବୃଥାଭିଭାଷଣ

ଦୃଢ ହୁଅ ରୁକ୍ଷ ହୁଅ ଘେନି ସ୍ୱାଭିମାନ।୨୭।

ଦେଖିବଗୋ ପ୍ରିୟା ମୋର କାଲି ପ୍ରଭାତରେ

ଶତ ଦୁର୍ଯ୍ୟୋଧନ ଆସି ନମିବେ ପୟରେ।୨୮।

ନହେଲେ ମୁଁ କେତେ କାଳ ଖୋଜୁଥିବି ଏକା

ମାରୁଥିବ ମୋତେ ତୁମ ପ୍ରତାରଣା " ଧୋକା"।୨୯।


ଅଜିତ କୁମାର ମୁନି

ଓଡିଶା ଆଦର୍ଶ ବିଦ୍ୟାଳୟ,

ଗୁଣ୍ଡିମା, ମୋହନା, ଗଜପତି, ଓଡ଼ିଶା।

ଦୂରଭାଷ- ୯୪୩୮୬୬୨୮୭୮


Rate this content
Log in