STORYMIRROR

Bijayananda Pattanaik

Others

3  

Bijayananda Pattanaik

Others

ବର୍ଷାରେ ମୋ ଗାଁ

ବର୍ଷାରେ ମୋ ଗାଁ

1 min
292


ସିନ୍ଦୂରା ଫାଟିଲେ ଚାଳ ମଥାନରେ

ଡାମରା ରାବଇ କାଆ,

ଅଳସୀ ରାତିଟା କଡ଼ ଲେଉଟାଏ

ବହେ ସୁଲୁସୁଲୁ ବାଆ।୧।

ବରଷାରାଣୀର କଳା ପଣତରେ

ସୂରୁଜ ଲୁଚାଏ ମୁହଁ,

ନବବଧୂ କୂପମୂଳେ ପଖାଳଇ

ଲାଜେ ରତିକ୍ଲାନ୍ତ ଦେହ।୨।

ପଲ୍ଲୀବଧୂ,ବାଳା ପୋଖରୀ କୂଳରେ

ଆସର ଜମାନ୍ତି ମିଶି,

ଆରପଟ ତୁଠେ ପ୍ରେମିକକୁ ଦେଖି

ପ୍ରେମିକା ଦିଅଇ ହସି।୩।

ବାଙ୍କ ବିହାରୀଙ୍କ ମନ୍ଦିର ଭିତରୁ

ଭାସିଆସେ ଶଙ୍ଖ ନାଦ,

ଚଷାପୁଅ ଚଷେ ଆନନ୍ଦ ମନରେ

ଗାଇ ଭଞ୍ଜ କବି ପଦ।୪।

ଚାଳ ଓଳିତଳେ ପାଣିଧାର ଚାଲେ

ଫୋଟକା ମିଳେଇ ଯାଏ,

ମାନବ ଜୀବନ ଏହାରି ସଦୃଶ

ମୃତ୍ୟୁ ଅଭିମୁଖେ ଧାଏଁ।୫।

ଗୋଠରୁ ବାହୁଡ଼ି ଆସେ ଗାଈ ପଲ

ନିଜ ଘର ଗୁହାଳକୁ,

କଅଁଳା ବାଛୁରୀ ବାଉଆଁ ଚିରା ରେ

ଅନୁସରି ଧାଏଁ ମାତାକୁ।୬।

ସଞ୍ଜ ବତୀ ଜାଳି ଚଉରା ମୂଳରେ

ବଧୂ ଟି ମନାସେ ସୁଖ,

ଚାଳରୁ ଉଠି ଧୂମକୁଣ୍ଡଳୀ ଯାଏ

ସତେ ପରମାତ୍ମା ପାଖ।୭।

ଖୋଳ କରତାଳ ଆସର ଶୁଭଇ

ଭାଗବତ ଟୁଙ୍ଗୀ ଘରେ,

ଘଡ଼ଘଡ଼ି ଶୁଣି ଭୟାତୁର ଶିଶୁ

ଲୁଚେ ମାଆ ପଣତରେ।୮।

ଝିଙ୍କାରି ଶବଦେ ରାତି ମାଡ଼ିଆସେ

ସାଇଁ ସାଇଁ ବହେ ବାଆ,

ନିଦ୍ରା ଦେବୀ କୋଳେ ଆଶ୍ରୟ ସଭିଏଁ

ଏଇତ ମୋହରି ଗାଆଁ।୯।

ସାରୁ ଗଛ ମୂଳେ ବେଙ୍ଗୁଲି ନାନୀର

କଟର କଟର ଧ୍ୱନି,

ସତେ ଆବାହନୀ ଗୀତରେ ଆସୁଛି

ଋପସୀ ବରଷା ରାଣୀ।୧୦।

ପାହାଡ଼ ସେପଟୁ କଳାପାଟ୍ଟ ପିନ୍ଧି

ବିଜୁଳିର ରୋଷଣୀରେ,

ମେଘ ଘଡ଼ଘଡ଼ି ଡମ୍ବରୁ ନାଦରେ

ପାଦ ଥାପେ ଧରଣୀରେ।୧୧।

ବିଲମାଳ ଡେଇଁ ମୋ ଗାଁ ଭିତରେ

ରସ ବୃଷ୍ଟି କରିଚାଲେ,

ସକଳ ପ୍ରାଣରେ ଖୁସି ଭରିଯାଏ

ଦାଣ୍ଡରେ ନାଚନ୍ତି ପିଲେ।୧୨।

ପଖାଳ ଗୁଣ୍ଡାଏ ଖାଇ ଚଷାପୁଅ

ଚାଷ କରେ ତରତରେ,

ସଭିଙ୍କୁ ଆହାର ଯୋଗାଏ, ତା'ପରି

ଅଛିକିଏ ମରତରେ।୧୩।

ଚହଟ ଚମ୍ପାର ବାସ ଛୁଟିଆସେ

ସକାଳ ସଞ୍ଜେ ନିତି,

ଘନ ଅନ୍ଧକାର ରାତିରେ ଭରସା

ଡିବିରି ଆଲୁଅ ବତୀ।୧୪।

ନବବଧୂ ଦେହେ କାମନାର ନିଆଁ

ବେପଥୁ ବିରହ କୋହ,

ପରବାସୀ ସ୍ବାମୀ ଫେରନ୍ତା ପଥକୁ

ଚାହିଁ ଢାଳୁଥାଏ ଲୁହ।୧୫।

ଲାକ୍ଷା ରଞ୍ଜିତ'ତା ପାଦର ପାଉଁଜି

ପ୍ରଣୟ ମୂର୍ଚ୍ଛନା ତୋଳେ,

ମଲ୍ଲି ଗଜରାରେ କବରୀ ସଜାଇ

ବାସର ରାତିଜୁ ଭାଳେ।୧୬।

ପହିଲି ଆଷାଢ଼ ଛୁଆଁରେ ଗ୍ରାମର

ଚିତ୍ରପଟ ମନୋହର,

ଓଷା ପରବରେ ପିଠାପଣା ହୁଏ

ପୁରିଉଠେ ଲକ୍ଷ୍ମୀ ଘର।୧୭।

ନିଦାଘ ଯନ୍ତ୍ରଣା ଉପଶମ କରେ

ଆଷାଢ଼ର ବାରିଧାରା,

ସବୁଜିମା ଭରା ପ୍ରକୃତିର ଶୋଭା

ମନଲୋଭା ମୋ ଗାଁ ପରା।୧୮।



Rate this content
Log in