ବିଶ୍ଳେଷଣ
ବିଶ୍ଳେଷଣ
1 min
131
ସମୟର ଅନନ୍ତ ଛାଇ
ସୂର୍ଯ୍ୟ ଉଠେ, ତାରା ଫୁଟେ
ନଇଁ ଯାଏ ଇଞ୍ଚ ଇଞ୍ଚ-
ମାଟିର ମଣିଷ
ଗୁଣ୍ଡ ହୁଏ ଅତୀତର
ସ୍ବପ୍ନ ବାରବାଟୀ,
ମାଟିର ମଣିଷ ଚାହେଁ
ମାଟି ଖାଲି ମାଟି ।
ଫର୍ଦ୍ଦ ଫର୍ଦ୍ଦ ବୟସର ଓଜନ ଅଜାଡ଼ି
ଭୁଲି ବାକୁ ଚାହେଁ ସେ
ଛାତି ତଳ ଖାଲ-ଢିପ,
କ୍ଷତ ଓ ବିକ୍ଷତ
ଜୀବନର ରଙ୍ଗ ନେଇ-
ଲୁଚାଲୁଚି ଖେଳ ।
ସମୟର ବିସ୍ତୀର୍ଣ୍ଣ ବାଲିରେ
ଅତୀତର ସବୁ ପଦ ଚିହ୍ନ
ଲିଭାଇଛି ନିଜ ହାତରେ ।
ଉତୁରା ଭାଟିର ବାସ୍ନା ଭୁଲି
ଆବୋରିଛି ବତୁରା ମାଟିକୁ
ମାଟି ଏବେ ଋତୁମତୀ
ନଇଁ ପଡ଼ି ପୋତି ଯାଏ
ଗଜୁରା ବୀଜକୁ ।
