ବିଶ୍ଳେଷଣ
ବିଶ୍ଳେଷଣ
ଫର୍ଚ୍ଚା ଆକାଶ ତଳେ
ଫିକା ଫିକା ପୃଥିବୀର ମୁହଁ,
ଫିକା ପଡ଼େ ରାଧିକାର ମନ
ଚାପି ଯାଏ ବୁକୁ ତଳ କୋହ ।
କାହ୍ନୁରେ ବିନତି,
ଛାଡ଼ ମୋ' ପଣତ ଏବେ
ଥାଉ ଚୋରା ପ୍ରୀତି ।
ସିନ୍ଦୂରା ଫାଟିବା ଆଗୁଁ
ପିନ୍ଧିବାକୁ ହେବ ମୋତେ
ପୁଣି ଥରେ ସିନ୍ଦୂରର ଟୋପା,
ନଣନ୍ଦ ନ ଦେଖୁ ସୀମନ୍ତ
ଚନ୍ଦ୍ରସେଣା ନ ଜାଣନ୍ତୁ କିଛି
ଶାଶୁ ମୋର ନ ହୁଅନ୍ତୁ ଖପା ।
ତଥାପି; ଲମ୍ପଟି କପଟି କାହ୍ନା
ନ ଛାଡ଼ି ପଣତ ପୁଣି
କୋଳେ ଟାଣି ନେଇ କହେ,
ପତି ପ୍ରେମେ ନାହିଁ ଯାହା-
ଚୋରା ପୀରତିରେ ଥାଏ ।
ସତୀ କିଆଁ ଅସତୀ ହୋଇବ ?
କଣା କଳସୀରେ ଯେବେ
ଜଳ ଘେନି ଯିବ
ପ୍ରତିଟି କଣାରେ ଥିବ
ମୋର ପ୍ରତିବିମ୍ବ ।
ଭୁଲି ଯାଏ ରାଇ ମନ
ଚାଲେ ଚୋରା ପ୍ରୀତି,
କଣ୍ଟ ଦେଇ କାହ୍ନୁ ମାନେ
ଚାଲି ଯା'ନ୍ତି ଦୂରେ
ନେଇ ତା'ର ସତୀ ।
ଲେଖନ୍ତି ଚିଠିରେ;
ବିରହରେ ଥାଏ ମଜା
ନଥାଏ ରତିରେ ।
ଏବେ ଏଇମିତି
ଯୁଗେ ଯୁଗେ ରାଇମାନେ
ବାଇ ସାଜୁଥାନ୍ତି ।
☮
