ଭକ୍ତିପୁଷ୍ପ-୭
ଭକ୍ତିପୁଷ୍ପ-୭
ଋଣୀ କରି ଦେଲୁ
ରଜନୀ ପାହିଲୁ
ଉଷା କଲେ ଆଗମନ
ଯିବି ଲୋ ଯମୁନା
କରି ଗୋ ବାହାନା
ଆନମନା ମୋର ମନ ।
କେତେ ବା ସହିବି
କେମିତି କହିବି
କାହ୍ନୁ ବିନା ସବୁ ବିଷ
କାହ୍ନୁ ମୋ ଜୀବନ
କାହ୍ନୁ ମୋ ସପନ
ସେଇ ଲୁହ ସେଇ ହସ ।
ଶାଶୁର ଗଞ୍ଜଣା
ପଡ଼େ ନାହିଁ ଜଣା
କୃଷ୍ଣ କଥା ଭାବି ଦେଲେ
ଚନ୍ଦ୍ରସେଣା ରାଗ
ସିଝେ ନାହିଁ ଶାଗ
ଏ କାନୁ ସେ କାନ ଗଲେ ।
ରାତିର ଆକଟ
କରେ ଛଟପଟ
ଆଖିକୁ ଆସେନି ନିଦ
ନିଜ ଅଜାଣତେ
ଶୁଣାଏ କେ ମୋତେ
ପ୍ରେମର ଅବୁଝା ବେଦ ।
ଶୁଣ ଲୋ ରଜନୀ
କରିଦେଲ ଋଣୀ
ସହଳ ଯାଉଛ ବୋଲି
ମରମ ଯାତନା
କରମ ତାଡ଼ନା
ସରି ଯାଏ ଗଲେ ଚାଲି ।
କାହ୍ନୁରେ ଦର୍ଶନ
ହେଇଗଲେ ଦିନ
ଦେଇ ଯାଏ ସ୍ୱର୍ଗ ସୁଖ
ତା ବଂଶୀର ସ୍ୱନ
ଶୁଣି ଦେଲେ କ୍ଷଣ
ତୁଟି ଯାଏ ସବୁ ଦୁଃଖ ।
