ଭକ୍ତିପୁଷ୍ପ-୨୦
ଭକ୍ତିପୁଷ୍ପ-୨୦
ଝରି ପଡ଼େ ପ୍ରୀତି ମଧୁ
ଝୁରି ହୁଏ ମନ ବଧୂ
ଝୁମିବ କାହ୍ନୁରେ ସହୀ ଜାଗେ ବାସନା,
ଝାପ୍ସା ଦିଶେ ପୂର୍ବାକାଶ
ଝଅଟ ସଜନୀ ଆସ
ଝୁଲି ଝୁଲି ଯିବା ଗୋପୀ ଚାଲ ଯମୁନା ।
ଝାମ୍ପେ ମୀନ ମାଛରଙ୍କା
ଝାମ୍ପି ନେବେ ବଂଶୀଫୁଙ୍କା
ଝଙ୍କାଳିଆ ଛାଇ ତଳ କଦମ୍ବ ବନେ ,
ଝୁଲେଇବେ ବାହୁ ଡୋରେ
ଝୁମେଇବେ ପ୍ରୀତି ସ୍ବରେ
ଝୁମୁକା ମୋ ବାଜୁ ଥିବ କହ୍ନେଇ ନାମେ ।
ଝୁଣ୍ଟି ପଡ଼ିଲେ ଦୁଃଖଦ
ଝଗଡ଼ା କରେ ନଣନ୍ଦ
ଝାଡ଼ି ପଡ଼ି ଦିଏ ବହୁ କଟୁ ଗଞ୍ଜଣା ,
ଝରି ପଡ଼େ ଲୁହ ଲହୁ
ଝରଝର ହେଇ ବହୁ
ଝିଙ୍କି ନେଇ ଶାଶୁ ଯେବେ ଦିଏ ଯାତନା ।
ଝିପିଝିପି ବରଷାରେ
ଝଡ଼ିପୋକ ସମ ମରେ
ଝୁଙ୍କି ପଡ଼େ ଆପେ କାହ୍ନୁ ପ୍ରେମ ବହ୍ନିରେ ,
ଝୁରି ଝୁରି ହେଲି କଣ୍ଟା
ଝଙ୍କା ଭରି ନେଲି ଥଟ୍ଟା
ଝୁଲିବାକୁ ଟିକେ ଶ୍ୟାମ ବାହୁ ଦୋଳିରେ ।
