ଭକ୍ତିପୁଷ୍ପ-୧୮
ଭକ୍ତିପୁଷ୍ପ-୧୮
ଜହ୍ନ ଗଲା ଲୁଚି
ରାତି ଗଲା ଘୁଞ୍ଚି
ସୂର୍ଯ୍ୟ ଆସେ ଦେଖ ପୂରୁବେ
ମନ ଜିଣା ବଂଶୀ
ଆସେ ଭାସି ଭାସି
ଆସ ଗୋ ଯମୁନା ଯିବା ସରବେ ।
ଏକା ଏକା କାହ୍ନା
ବିରହ ବେଦନା
ସହି ପାରିବେ କି ସଖୀ କୁହ
ଯେତେ ହୁଏ ଡେରି
ଆପେ ଯାଏ ଝରି
ମାନେ ନାହିଁ ବୋଲ ଆଖି ଲୁହ ।
ସକାଳକୁ ଚାହିଁ
ରାତି ଗଲା ପାହି
ସକଳ ପାଇଟି ପଛେ ଥାଉ
ଆଗ ଯିବା ଚାଲ
ଯମୁନାର କୂଳ
ଦେଖି ଦେଲେ ଶ୍ୟାମ ଦୁଃଖ ଯାଉ ।
ସତ କୁହ ସଖୀ
କାହ୍ନୁକୁ ନଦେଖି
କାମରେ ଲାଗେ କି ତୁମ ମନ
ନଯାଇ ଯମୁନା
ନଶୁଣି ଗଞ୍ଜଣା
ରହି ପାରିବକି ଗୋଟେ ଦିନ ?
କାହ୍ନୁ ବଂଶୀ ସ୍ୱନ
ଶୁଣି ଦେଲେ କାନ
ଲୋକ ନିନ୍ଦା ଆଉ ଶୁଭେ ନାହିଁ
କହିବା ଲୋକେ ତ
କହିବେ ବହୁତ
କାହା କଥା କିଛି ଭାବେ ନାହିଁ ।
